ଜାଳ ଆଣିବାକୁ ଯାଇଥିବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
କୁଆଖିଆ : ଏହି ଥାନା ଅନ୍ତର୍ଗତ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର କିଛି ଦଳିତ ମହିଳାଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ଉଦେ୍ଦଶ୍ୟ ମୁଳକ ଭାବରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହାକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜ୍ଜୁ କରିଛି । ସୂଚନା ଅନୁଯାୟୀ ସେରପୁର ଗ୍ରାମର କିଛି ଦଳିତ ମହିଳା ରୋଷେଇ ଜାଳ ସଂଗ୍ରହ ପାଇଁ ସେହି ଗ୍ରାମର ଠାକୁରାଣୀ ମନ୍ଦିର ନିକଟକୁ ଯାଇଥିଲେ । କିଛି କାରଣ ନଥାଇ ସେହି ଗ୍ରାମର ହରେକୃଷ୍ଣ ଦାସଙ୍କ ପୁଅ ଅନୀଲ, ଶୁକବେଦ ଦାସଙ୍କ ପୁଅ ସୁଧାକର କହ୍ନେଇ ଦାସଙ୍କ ପୁଅ ପ୍ରଭାକର, ଅନୀଲ ଦାସଙ୍କ ପୁଅ ଶୁଭଶ୍ରୀ, ହରେକୃଷ୍ଣ ଦାସଙ୍କ ପୁଅ ଟୁନି ସଂଘବଦ୍ଧ ଭାବରେ ସେଠାରେ ପହଁଚି ସେମାନଙ୍କୁ ଜାତିଗତ ଆକ୍ଷେପ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସେମାନେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ମାରଣାସ୍ତ୍ର ଦ୍ୱାରା ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଏହାକୁ ନେଇ ଆହତ ମହିଳା ଭଗବାନ ମଲିକଙ୍କ ପତ୍ନୀ କୌଶଲ୍ୟା, ପୂର୍ଣ୍ଣଚନ୍ଦ୍ର ମଲିକଙ୍କ ପତ୍ନୀ ସଞ୍ଜୁଲତା, ପ୍ରହଲାଦ ମଲିକଙ୍କ ପତ୍ନୀ ମିନତୀ, ଶଙ୍କର୍ଷଣ ମଲିକଙ୍କ ପତ୍ନୀ ପାର୍ବତୀ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଅନୁଯାୟୀ ଏସ୍ଡିପିଓ ଏସ୍.କେ. ପଟ୍ଟନାୟକ ଘଟଣାର ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କେସ୍ ନଂ- ୨୨୩/୨୪ ଦଫା-୩୪୧/୩୨୩/୨୯୪/୩୫୪/୫୦୬/୩୪ଆଇପିସି ଧାରା ଆଟ୍ରୋସିଟ୍ ରେ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଏହି ଗ୍ରାମରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସେଠାରେ ବସବାସ କରୁଥିବା ଦଳିତ ଲୋକଙ୍କ ଉପରେ ଉଦେ୍ଦଶ୍ୟ ମୂଳକ ଭାବରେ ଆକ୍ରମଣ କରୁଥିବା ଅଭିଯୋଗକାରୀଙ୍କ ଠାରୁ ପ୍ରକାଶ ।