ବିନା ଯାଞ୍ଚରେ ଅର୍ଥ ବରାଦ : ଭୂତ ସ୍କୁଲ ପାଇଁ ୫୦ ଲକ୍ଷ!

ଯଖପୁରା : ସ୍କୁଲର ଭିତିଭୂମି ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଯେଉଁ ଯେଉଁ ଜିଲ୍ଲାରେ ଖଣିଜ ପାଣ୍ଠି ରହିଛି ସେ ଜିଲ୍ଲାରେ ବିଭିନ୍ନ ସମସ୍ୟା ପାଇଁ ଆଖି ବୁଜା ଟଙ୍କା ଖର୍ଚ୍ଚ ହେଉଛି । ଏହିକ୍ରମରେ ଯାଜପୁର ଜିଲା ଖଣିଜ ପାଣ୍ଠିରୁ ପ୍ରତ୍ୟେକ ପ୍ରାଥମିକ ଓ ଉପ୍ରା ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ବିଦ୍ୟାଳୟ ମାନଙ୍କରେ ଅତିରିକ୍ତ ଶ୍ରେଣୀ, ପାଠାଗାର, ଶୌଚାଳୟ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାର ଦେଖିବାକୁ ମିଳୁଛି । 
ସେହି କ୍ରମରେ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତୀରା ପଞ୍ଚାୟତର ରାବଣା ପ୍ରାଥମିକ ବିଦ୍ୟାଳୟ ଓ ରଘୁନାଥ ଉପ୍ରା ବିଦ୍ୟାଳୟ ନିମନ୍ତେ ୪୭ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଉଭୟ ବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ରଘୁନାଥ ଉପ୍ରା ବିଦ୍ୟାଳୟର ଅତିରିକ୍ତ ଗୃହ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପାଇଁ ଶୁଭ ପଡ଼ିଲା, ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲାଗିଲା । ଏମିତିକି କାର୍ଯ୍ୟ ଆରମ୍ଭ ପାଇଁ ଖୋଳେଇ ଆରମ୍ଭ ହେଲା । ମାତ୍ର ଅଧାରୁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିଦେ୍ର୍ଦଶ ହୋଇଛି । ହେଲେ ପ୍ରକୃତ ପକ୍ଷେ ଗଲାବର୍ଷ ଅକ୍ଟୋବର ମାସରୁ ରଘୁନାଥ ଉପ୍ରା ବିଦ୍ୟାଳୟ ବନ୍ଦ ହୋଇଯାଇଛି । କାରଣ ସରକାର ନିୟମ ଅନୁଯାୟୀ ଯେଉଁ ସବୁ ବ୍ଲକ୍ ଗ୍ରାଂଟ ବିଦ୍ୟାଳୟରେ ଥିବା ଶିକ୍ଷକ ଅବସର ଗ୍ରହଣ କରିନେବେ ସେ ସ୍କୁଲରେ ଆଉ ନୂତନ ଶିକ୍ଷକ ଥାଇଥାନ ହୋଇପାରିବ ନାହିଁ । ସେହି କ୍ରମରେ ଉକ୍ତ ବିଦ୍ୟାଳୟରେ ଥିବା ଦୁଇଜଣ ଶିକ୍ଷକ ଅବସର ଗ୍ରହଣ ପରେ ସରକାର ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେଲେନାହିଁ । ବରଂ ସ୍କୁଲରେ ଥିବା ଦୁଇ କକ୍ଷା ଯଥାକ୍ରମେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବିଇଓଙ୍କ ନିଦେ୍ର୍ଦଶରେ ହଠାତ୍ ଟିସି ନେବାକୁ ପଡ଼ିଲା । ସେତେ ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ସନ୍ଦିହାନ ହୋଇପଡିଥିଲେ । ଏମିତିକି ଛାତ୍ରଛାତ୍ରୀ ଆନେ୍ଦାଳନରେ ବସିଥିଲେ । ଛାତ୍ରଛାତ୍ରୀଙ୍କ ସମସ୍ୟାକୁନେଇ ସେତେବେଳେ ସୂର୍ଯ୍ୟପ୍ରଭାରେ ଖବର ପ୍ରକାଶ ପାଇଥିଲା । ବିଦ୍ୟାଳୟ ବନ୍ଦ ହେବାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ସେବେ ଠାରୁ ରଘୁନାଥ ଉପ୍ରା ବିଦ୍ୟାଳୟ ବନ୍ଦ ହୋଇଯାଇଛି ବୋଲି ବିଇଓ ଦାନଗଦୀ କହିଛନ୍ତି । ମାତ୍ର ବନ୍ଦ ହୋଇ ପଡ଼ିଥିବା ବିଦ୍ୟାଳୟ ପାଇଁ ବରାଦ ହୋଇଥିବା ଅଧ କୋଟି ଟଙ୍କାରେ ଅତିରିକ୍ତ ଶ୍ରେଣୀ ଗୃହ, ପାଠାଗାର ଓ ଶୌଚାଳୟ କାର୍ଯ୍ୟ ଆରମ୍ଭ କରିବାକୁ ଠିକାଦାର ଆଗେଇ ଆସିଲେ । ଏହା କିପରି ସମ୍ଭବ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସ୍ୱାଭାବିକ ବିଡିଓଙ୍କ ଆଡକୁ ଆଙ୍ଗୁଳି ଉଠିଛି । ବନ୍ଦ ପଡ଼ିଥିବା ଗୋଟିଏ ବିଦ୍ୟାଳୟ ପାଇଁ ବରାଦ ଅର୍ଥ ବିନିଯୋଗ ଅନୁମତି ଦିନରେ ଲଣ୍ଠନ ଦେଖାଇବା ସଦୃଶ ହୋଇଛି । ଏବିଷୟରେ ଦାନଗଦୀ ବିଡ଼ିଓଙ୍କୁ ପଚାରିଲେ ସେ କହିଛନ୍ତି କି ମୁଁ ଦେଖୁଛି କଣ ହୋଇଛି । ଦାନଗଦୀ ବିଇଓଙ୍କୁ ବିଦ୍ୟାଳୟ ବନ୍ଦ ହୋଇଯାଇଛି କି ନାହିଁ ପଚାରିଲେ ସେ ବୁଲେଇ ବଙ୍କେଇ ଉତର ରଖିଥିଲେ । ପ୍ରକାଶ ଥାଉ କି ନବୀନ ସରକାର ସମୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କାର୍ଯ୍ୟ ପାଇଁ ଯୋଜନା ହୋଇଥିଲା । ସେତେ ବେଳେ ରଘୁନାଥ ଉପ୍ରା ବିଦ୍ୟାଳୟଟି କାର୍ଯ୍ୟକ୍ଷମ ରହିଥିଲା । ସେହି ସୂତ୍ରରେ ଅର୍ଥ ବରାଦ କରାଯାଇଥିଲା । ମାତ୍ର ସାଧାରଣ ନିର୍ବାଚନ ହେବାରୁ ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟ ହୋଇନଥିଲା । ପରବର୍ତୀ ସମୟରେ ସରକାର ପରିବର୍ତନ ହେଲା । ପୁଣି ସେ ଅର୍ଥକୁ ନୂତନ ଯୋଜନାରେ ଅର୍ଥ ମଞ୍ଜୁର କରାଗଲା । ପ୍ରଶ୍ନ ଉଠିଛି କୌଣସି କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ କରିବା ପୂର୍ବରୁ ତାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନହୋଇ କିପରି ଅର୍ଥ ବରାଦ କରାଯାଇଛି ତାହା ସାଧାରଣରେ ପ୍ରଶ୍ନ କରିଛି । ସରକାରଙ୍କ ଖାମଖିଆଲି ନୀତି ପାଇଁ କୋଟିକୋଟି ଟଙ୍କାକୁ ଏପରି ନଷ୍ଟ କରାଯାଉଛି ବୋଲି ଅଭିଯୋଗ ହେଉଛି । ଦେଖାଯାଉ ଆଗାମୀ ଦିନରେ ଏହି ଭୂତ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବନ୍ଦ ହେଉଛି ନା ନାହିଁ ।