ଦବିଲା ନିର୍ମାଣାଧୀନ ସେତୁ , ନିମ୍ନମାନର କାମ ଲୁଚାଇବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରୟାସ
ରାଜନଗର,: ରାଜନଗର ବ୍ଲକ ବାଘମାରୀ ପଞ୍ଚାୟତ ଉଦ୍ୟାନଠାରୁ ଦଳେଇସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ବଡକଟିଂଆ ନାଳ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ବିଜୁ ସେତୁଟି ଦବି ଯାଇଥିବା ଜଣାପଡିଛି ।
ଏହି ରାସ୍ତା ଓ ସେତୁ ଉପରେ ବାଘମାରୀ ଓ କେରୁଆଁପାଳ ପଞ୍ଚାୟତର ୧୪ଟି ଗ୍ରାମର ଲୋକେ ଯିବା ଆସିବା କରିବା ପାଇଁ ନିର୍ଭର କରିଥାନ୍ତି । ଏପରି ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣାଧିନ ଅବସ୍ଥାରେ ଦବି ଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେତୁ ଆରମ୍ଭରୁ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ କାମ ତଦାରଖ କରୁନଥିଲେ । ଉଭୟେ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ କାମ ଚାଲିଥିବା ସମୟରେ ଦେଖିବାକୁ ମିଳୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସହାୟକ ସେଠାରେ ରହି ନାମକୁ ମାତ୍ର ଯନ୍ତ୍ରୀଙ୍କ ପକ୍ଷରୁ କାମ ତଦାରଖ କରୁଥିଲେ । ସେତୁ ନିର୍ମାଣ ଶେଷ ଅବସ୍ଥାରେ ପହଞ୍ଚôଥିଲା । ଛାତ ପଡିବା ପରେ ସେତୁଟି ଫୁଟେରୁ ଉଦ୍ଧ୍ୱର୍ ତଳକୁ ଦବି ଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଖବରପାଇ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଅନୁଧ୍ୟାନ କରିବା ପରେ ଛାତ ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ହେଲା, କାମ ଶେଷ ଅବସ୍ଥାରେ ପହଞ୍ଚିଥିଲେ ମଧ୍ୟ ସୂଚନା ଫଳକଟିଏ ଲଗାଯାଇନାହିଁ । ଏପରିକି ସେତୁ କାହିଁକି ଦବିଗଲା ବୋଲି ପରିବାରୁ ଯନ୍ତ୍ରୀ ସମୀର ବେହେରା ଏହାକୁ ସ୍ୱୀକାର କରିବା ସହ ଠିକାସଂସ୍ଥା ପୁନର୍ବାର ନିର୍ମାଣ କରିବ ।
କେତେ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ହେଉଛି ବୋଲି ପଚାରିବାରୁ ଫାଇଲ ଦେଖିଲେ ଦିନକ ପରେ କହିବି ବୋଲି କହି କଥାକୁ ଏଡାଇ ଯାଇଥିଲେ । ଅପରପକ୍ଷରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ଅଛି, ସେତୁଟି ଦବି ଯାଇଥିବା ଜାଣିଛି । ଫାଇଲ ଦେଖିଲେ କେତେ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି ସୂଚନା ଦେବେ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି, ବିଭାଗୀୟ ଅଧିକାରୀଙ୍କ ଏଭଳି ଖାମଖିଆଲ ଓ ବେପରୁଆ ଢଙ୍ଗ ପାଇଁ ବିଜୁ ସେତୁ ନିର୍ମାଣାଧିନ ଅବସ୍ଥାରେ ଦବିଯାଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି । ସୂଚନା ଥାଉକି, ଗତ ଫେବୃୟାରୀ ମାସ ୧ତାରିଖ ଦିନ ବିଧାୟକ ଧୃବ ସାହୁ ବଡକଟିଂଆ ନାଳ ଉପରେ ବିଜୁସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ।