ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଖରିଫ୍ ୨୦୨୪ -୨୫ ବର୍ଷ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ, ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ପ୍ରତିନିଧି କାନ୍ଦ୍ରା ସୋରେନ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ କିଭଳି କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠି ଓ ଡେପୁଟି ରେଜିଷ୍ଟ୍ରାର୍, ସମବାୟ ସମିତି କୃଷ୍ଣଚନ୍ଦ୍ର ଦାସ ଉପସ୍ଥିତ ରହି ବିବରଣୀ ପାଠ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ସୂଚନାନୁସାରେ, ଚଳିତ ମାସ ଡିସେମ୍ବର ୨୪ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ୫୫୯୩୮ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ୧୦୩ ଗୋଟି ମଣ୍ଡି ଓ ୫୨ଟି ଲ୍ୟାମ୍ପସ ମାଧ୍ୟମରେ ୧୪,୬୬,୧୦୨.୯୪ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରାଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନ ଘଟିବା, ଚାଷୀମାନେ ଯେପରି କଟନୀ ଛଟନୀର ଶିକାର ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଧାୟକ ବୃନ୍ଦ ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରରେ ନୋଡାଲ ଅଫିସର ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କୁ ଦାୟିତ୍ୱ ମିଳିଥିବାବେଳେ ସମସ୍ତ ମଣ୍ଡିମାନଙ୍କରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଏବଂ ୪-୫ ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜିଙ୍ଗ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା, ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍ଏକୁ୍ୟ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ ।
ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଆର୍ଟିଫସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଯନ୍ତ୍ରର ବ୍ୟବହାର କରାଯିବ ଏବଂ ସମସ୍ତ ମଣ୍ଡି ମାନଙ୍କରେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ସହ ସିସିଟିଭି କ୍ୟାମେରା ଲଗାଯିବ ଓ ଧାନ ମିଳିବାର ୪୮ ଘଣ୍ଟା ମଧ୍ୟରେ ଯେପରି ଚାଷୀ ଟଙ୍କା ପାଇବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମାନଶୁ ଚାନ୍ଦ, ବାମନଘାଟି ଉପାଜିଲ୍ଲପାଳ ସୌମ୍ୟରଂଜନ ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ଶଙ୍କର ବେହୁରିଆ, କୃଷକ ପ୍ରତିନିଧି ଓ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।