ବିଭିନ୍ନ ସ୍ଥାନରେ ବିଜେଡି ଓ ବିଜେପିର ମିଶ୍ରଣ ପର୍ବ
ସିଂହପୁର: ସାଧାରଣ ନିର୍ବାଚନକୁ ନେଇ ବିଞ୍ଝାରପୁର ବିଧାନସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ ଯୋରଦାର କରୁଥିବା ବେଳେ ଏବେ ଏଠାରେ ବିଜେଡି ଓ ବିଜେପି ଉଭୟ ଦଳ ମିଶ୍ରଣ ପର୍ବରେ ଲାଗି ପଡିଛନ୍ତି । କେଉଁଠି ଅନ୍ୟ ଦଳର କର୍ମୀ ଦଳଛାଡି ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକଙ୍କ ଶିବିରରେ ଯୋଗଦେଉଛନ୍ତି ତ ଆଉ କେଉଁଠି ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ଶିବିରରେ ପହଞ୍ଚୁଛନ୍ତି ଅନ୍ୟ ଦଳର ଅସନ୍ତୁଷ୍ଠ କର୍ମୀ ଓ ସଂଗଠକ । ଅଳକୁଣ୍ଡ ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ ଦଳର କର୍ମୀ ଦଳ ଛାଡି ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱକୁ ଆଦରି ନେଇ ବିଜେଡିରେ ସାମିଲ ହୋଇଛନ୍ତି । ଅଳକୁଣ୍ଡ ସରପଞ୍ଚ ସୁଶାନ୍ତ ଦାସ, ସଭାପତି ନିରଞ୍ଜିନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ୨୫ରୁ ଊଦ୍ଧ୍ୱର୍ ଅନ୍ୟ ଦଳର କର୍ମୀ ପ୍ରମିଳାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିଲେ । ପ୍ରମିଳା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସେହିପରି ହଲଦୀଢିହ ପଞ୍ଚାୟତରେ ଅନ୍ୟ ଦଳର ଛାମୁଆ କର୍ମୀ ଓ ବହୁ ମହିଳା ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟରେ ଚାଲିଥିବା ଅପାରଗ ସରକାରକୁ ହଟାଇ ବିଜେପି କିଭଳି କ୍ଷମତାକୁ ଆସିବା ଏବଂ ବିଞ୍ଝାରପୁରବାସୀ ସୁଶାନ ପାଇବେ ସେଥିନେଇ ବିଜେପି ନେତ୍ରୀ ବବିତାନୂତନ ଭାବେ ବିଜେପିରେ ଯୋଗଦେଇଥିବା କର୍ମକର୍ତ୍ତା ମାନଙ୍କୁ ବୁଝାଇ କହିବା ସହିତ ନିଷ୍ଠାପର ଭାବେ ଜନସେବା କରିବାକୁ ପରାମର୍ଶ ଦେଇଥିଲେ । ବିଜେପି ନେତା ଜଜେୟ ବେହେରା ଏଠାରେ ମିଶ୍ରଣର ନେତୃତ୍ୱ ନେଇ ଅନ୍ୟ ଦଳର କର୍ମୀ ମାନଙ୍କୁ ବିଜେପିରେ ସାମିଲ କରାଇଥିଲେ ।