ଶ୍ରମିକ ମୃତୁ୍ୟ ଘଟଣା : ୧୫ଲକ୍ଷ ଓ ନିଯୁକ୍ତିରେ ସମାଧାନ
କଳିଙ୍ଗନଗର : ଭିସାଷ୍ଟିଲରେ କାର୍ଯ୍ୟରତ ଶ୍ରମିକଙ୍କ ଆକସ୍ମିକ ମୃତୁ୍ୟ ଘଟଣାର ସମାଧାନ ହୋଇଛି । ମୃତକ ପରିବାରକୁ କ୍ଷତିପୂରଣ ବାବଦରେ ୧୫ଲକ୍ଷ ଏବଂ ପରିବାରରୁ ଜଣଙ୍କୁ ନିଯୁକ୍ତି ସର୍ତରେ ସମାଧାନ ହୋଇଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇନଥିବାର ଜଣାପଡ଼ିଛି । ମୃତ ଶ୍ରମିକ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ମଧୁ ସେଠୀ ଜଣେ ବିଜେପି ନେତାଙ୍କ ଠିକାଦାରୀ ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲା । କାରଖାନା ପରିସରରେ ଥିବା ଫାଷ୍ଟ ଏଡ଼ ପରେ ଟାଟା ମେଡ଼ିକାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶ୍ରମିକଙ୍କ ଅବସ୍ଥାରେ କୈାଣସି ସୁଧାର ନଆସିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡ଼ାକ୍ତର ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । ଆଜି ବ୍ୟବଚ୍ଛେଦ ପରେ ମରଶରୀର ଗାଁରେ ପହଁଚିଥିଲା । ଶ୍ରମିକ ମୃତୁ୍ୟକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ କ’ଣ ତାହା ଜଣାପଡ଼ିବ ବୋଲି କୁହାଯାଉଥିଲେ ହେଁ ମୃତୁ୍ୟ ସ୍ୱଭାବିକ ନୁହେଁ ଅସ୍ୱାଭାବିକ ବୋଲି ଶୁଣିବାକୁ ମିଳୁଛି । କାର୍ଯ୍ୟରତ ସମୟରେ ଅନ୍ୟଶ୍ରମିକ ହାଇଡ଼୍ରୋଜିଲ ପ୍ରେସର ମୃତ ଶ୍ରମିକର ମଳଦ୍ୱାର ମୁହଁରେ ଲଗାଇ ସୁଇଚ ଅନ କରିଦେବାରୁ ହାୱା ଯାଇ ପେଟ ଫୁଲିଯାଇଥିଲା । ଯେଉଁ କାରଣରୁ ମଧୁ ଗୁରୁତର ହୋଇପଡ଼ିଥିଲା ଏବଂ ମୃତୁ୍ୟ ଘଟିଥିଲା । ଏହାଜଣାପଡ଼ିବା ପରେ ଠିକାସଂସ୍ଥା ମୃତୁ୍ୟ ଘଟଣାକୁ ନେଇ କୈାଣସି ଅପ୍ରିତିକର ପରିସ୍ଥିତି ଘଟିବା ଆଗରୁ ସମାଧାନ ବାଟ ଆପଣାଇଥିଲେ ବୋଲି ଆଲୋଚନା ହେଉଛି । ପରିବାର ପକ୍ଷରୁ ଏନେଇ କିଛି କୁହାଯାଇନଥିବା ବେଳେ ଅଭିଯୋଗ ମଧ୍ୟ କରାଯାଇନି ।