ଧନୁଯାତ୍ରା ଉଦଯାପିତ, ଆକର୍ଷଣ ସାଜିଲା କଂସ ପୋଡ଼ି


 ଜଟଣୀ,: ଜଟଣୀ ପାତ୍ରପଡା ସ୍ଥିତ ଜଗନ୍ନାଥପୁର ଶ୍ରୀ ଶ୍ରୀ ମଦନ ମୋହନ ନାଟ୍ୟକଳା ସଂସଦ ଆନୁକୁଲ୍ୟରେ ସାତ ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ପୂର୍ବ ଓଡ଼ିଶାର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏଥିସହିତ ସମାପ୍ତ ହୋଇଛି ତ୍ରିଭୁବନ ପ୍ରତାପୀ ମହାରାଜ କଂସଙ୍କ ରାଜୁତି । ବିର୍ସ୍ତିଣ୍ଣ ଜମିରେ ଅନୁଷ୍ଠିତ ହେଉଥିବା ଏହି ମେଳାରେ ମନୋରଞ୍ଜନ ନିମିତ୍ତ କଳାହାଣ୍ଡି ଜିଲ୍ଲାର ଘୁମୁରା ନାଚ, ବାରିପଦା ଛଉ ନୃତ୍ୟ, ଗଞ୍ଜାମ ପଶୁ ନୃତ୍ୟ, ଧାନ କୋଇଲା ନୃତ୍ୟ, ଗୋଟିପୁଅ ନୃତ୍ୟ, ସୁନ୍ଦରଗଡ଼ ଜିଲ୍ଲାର ଡାଲଖାଇ ରସରକେଲି, ଜଗତସିଂହପୁରର ଘଣ୍ଟ ପଟୁଆ, ଖୋର୍ଦ୍ଧା ଜିଲ୍ଲାର ପାଇକ ଆଖଡା ସାଙ୍ଗକୁ ମୀନା ବଜାର ଓ ବିଭିନ୍ନ ଚଟ୍ ପଟି ଖାଦ୍ୟର ଷ୍ଟଲ୍ ର ବ୍ୟବସ୍ଥା କରାଯାଇଥିଲା । ଏହି ରଙ୍ଗାରଙ୍ଗ ସାଂସ୍କୃତିକ ଓ ପୌରାଣିକ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଅଞ୍ଚଳ ଦ୍ୱାପର ଯୁଗର ମଥୁରା ନଗରୀ ପାଲଟିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମନ୍ତ୍ରୀ ଅକୃର ସାଙ୍ଗରେ କୃଷ୍ଣ ଓ ବଳରାମ ବେନି ଭାଇଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସୁସଜ୍ଜିତ ରଥରେ କଂସ ମାମୁଁଙ୍କ ଦରବାରକୁ ନିମନ୍ତ୍ରଣ କରି ଆଣିଥିଲେ । ଦୈବବାଣୀ ମୁତାବକ ଶ୍ରୀକୃଷ୍ଣ ଙ୍କୁ ବଦ୍ଧ କରିବା ନିମନ୍ତେ ମୁଷ୍ଠିକ ଓ ·ଣୁର ଭଳି ଯୋଦ୍ଧାଙ୍କୁ ପ୍ରେରଣ କରି ହତାଶ ହେବା ପରେ ନିଜେ ଅନନ୍ୟୋପାୟ ହୋଇ କୃଷ୍ଣଙ୍କୁ ମାରିବା ପାଇଁ ଉଦ୍ୟତ କରନ୍ତେ ମଞ୍ଚରୁ ପଡ଼ି ମୃତ୍ୟୁ ବରଣ କରିଥିଲେ ମାମୁଁ କଂସ । କଂସଙ୍କ ଭୂମିକାରେ ଅଭିନୟ କରୁଥିବା ମନୋଜ କୁମାର ସାହୁଙ୍କ ଭୂମିକା ବେଶ୍ ପ୍ରଶଂଶନୀୟ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ଅଧ୍ୟାପିକା ଡ ପ୍ରତିଭା ମହାରଥୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି, ଶିଳ୍ପପତି ଟିକନ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରି·ଳନା କରିଥିଲେ ମହୋତ୍ସବ କମିଟିର ସମ୍ପାଦକ ଅଶୋକ କୁମାର ମଙ୍ଗରାଜ, ସଭାପତି ମନମୋହନ ରାଉତରାୟ, ସହ ସମ୍ପାଦକ ଜୟନ୍ତ ପଲେଇ, ତାରେସ୍ୱର ସ୍ୱାଇଁ କୋଷାଧକ୍ଷ କେଳୁଚରଣ ସାହୁ, ଉପସଭାପତି ଅଭିମନ୍ୟୁ ପ୍ରଧାନ, ଲଲାଟେନ୍ଦୁ ବେବର୍ତା, ବାଇନ ପ୍ରଧାନ, ମନୋଜ ସାହୁଙ୍କ ସମେତ ଅଞ୍ଚଳର ଗ୍ରାମବାସୀ ଓ ଯୁବ ସଂଗଠନର କର୍ମକର୍ତ୍ତା ମାନେ । ସଭା କାର୍ଯ୍ୟକ୍ରମ ଶେଷରେ ଜନସାଧାରଣଙ୍କ ଅନ୍ୟତମ ଆକର୍ଷଣ ସାଜିଥିଲା ବହୁ ଉଚ୍ଚତା ବିଶିଷ୍ଟ କଂସଙ୍କ ପିତୁଳା । ଅନ୍ୟ ସବୁଠାରେ ରାବଣ ପୋଡି ଅନୁଷ୍ଠିତ ହେଉଥିବା ବେଳେ ଏଠାରେ କଂସ ପୋଡ଼ି ହେଉଛି ଏକ ନିଆରା ପରମ୍ପରା ।