ଇଦ୍ ପାଳନ ନେଇ ପ୍ରସ୍ତୁତି ବୈଠକ
ଭଦ୍ରକ: ଚନ୍ଦ୍ର ଦର୍ଶନ ଅନୁଯାୟୀ ଚଳିତ ମାସ ୩୧ କିମ୍ବା ଆଗାମୀ ଏପ୍ରିଲ ୧ ତାରିଖରେ ପାଳିତ ହେବାକୁ ଥିବା ଉଦ୍-ଉଲ୍-ଫିତର ପର୍ବ ଉପଳକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍ପି ମାଡକର ସନ୍ଦୀପ ସମ୍ପତ, ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଏସ୍ପିଡିଆଇବି ଅଂଶୁମାନ ଦ୍ୱିବେଦୀ, ସିଟି ଡିଏସ୍ପି ସମ୍ବିତ ମାଝୀ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ରମଜାନ ମାସର ଶେଷ ଦିନରେ ଚନ୍ଦ୍ର ଦର୍ଶନର ପରବର୍ତ୍ତୀ ଦିନ ଇଦ୍ପର୍ବ ପାଳନ ହୁଏ ଏବଂ ଚଳିତ ବର୍ଷ ଏହା ମାର୍ଚ୍ଚ ୩୧ କିମ୍ବା ଏପ୍ରିଲ ୧ରେ ପାଳନ କରାଯିବା ନେଇ ବୈଠକରେ ମୁସଲିମ୍ ଜମାତ୍ର ସମ୍ପାଦକ ଅବଦୁଲ ମୋକିତ ଖାଁ ପ୍ରକାଶ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ ନିମନ୍ତେ ମୁସଲିମ୍ ଜମାତ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ଶାନ୍ତି କମିଟି ସଦସ୍ୟ ସାମ୍ବାଦିକ ରୋଟାରିଆନ୍ ଅତିସ ବେହେରା, ସମାଜସେବୀ ସୁଧାକର ରାଉତ, ମୁସଲିମ୍ ଜମାତ୍ର ଉପସଭାପତି ସେକ୍ ଜକାଉଲ୍ଲା, ସାଧାରଣ ସମ୍ପାଦକ ସେକ୍ ଇନାମ ମହମ୍ମଦ, ସଦସ୍ୟ ହାଜି ଅନୱାର ହୋସେନ୍, ଜମିଲ ଅକତର ଖାନ୍, ଏସ୍ଏମ୍ ଫାରୁକ୍ ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
