ହନୁମାନ ଜୟନ୍ତୀ, ଝାମୁଯାତ୍ରା; ଦୁଲୁକୁଛି ଉପକୂଳ
ତିର୍ତ୍ତୋଲ/ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ କନକପୁର ସ୍ଥିତ ପ୍ରସିଦ୍ଧ ଝଙ୍କଡ଼ ପୀଠରେ ମହାବିଷୁବ ସଂକ୍ରାନ୍ତି ଝାମୁଯାତ୍ରାରେ ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସକାଳୁ ମା'ଙ୍କ ପହୁଡ଼ ଖୋଲିବା ପରେ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁମାନେ ମା'ଙ୍କୁ ଦର୍ଶନ କରିବା ସହ ପାରମ୍ପାରିକ ପଣା ଭୋଗ ଅର୍ପଣ କରିଥିଲେ । ମଧ୍ୟାହ୍ନରେ ମା'ଙ୍କ ବିଜେ ପ୍ରତିମା ସୁସଜ୍ଜିତ ବିମାନରେ ଆରୋହଣ ପୂର୍ବକ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ । ଏହାପରେ ମନ୍ଦିର ସମ୍ମୁଖ ଦ୍ୱାର ନିକଟରେ ପୂଜାର୍ଚ୍ଚନା ପରେ ବିରାଟ ପଟୁଆରରେ ମା'ଙ୍କ ବିଜେ ପ୍ରତିମା ଲଣ୍ଡା ଦେଉଳ ପର୍ଯ୍ୟନ୍ତ ଯାଇ ମା’ଙ୍କୁ ଭୋଗଲାଗି କରାଯାଇଥିଲା । ଏହା ପରେ ରାହୁଳ ସେବାୟତ ମାନେ ମସ୍ତକରେ ଦଶଘଟ ଧାରଣ କରି ଝାମୁଯାତ୍ରାରେ ପ୍ରଜ୍ୱଳିତ ନିଆଁ ଉପରେ ଚାଲି ଭକ୍ତି ପରାକାଷ୍ଠାର ନିଦର୍ଶନ ଦେଇଥିଲେ । ଏହାପରେ ସୁସଜ୍ଜିତ ବିମାନରେ ମା'ଙ୍କ ବିଜେ ପ୍ରତିମା ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ ।
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକର ସିମୋର, କେନ୍ଦୁପଲ୍ଲୀ, ପୋଡାଡିହ, ସାରୁଅ, ବେଗୁନିଆ, ଛତ୍ରପଡା, ବାଦବାରବାଟୀ, ମାଣିକପୁର ପାଟଣା, ଡୋଭା ପାଟଣା, ଗୌଡପାଟଣା, ହିରାପୁର, ଜାଲଭାର, ମୁକ୍ତାପୁର, ହଜ କଲରାଝର, ସିକୋ, ଶଗଡଭଙ୍ଗା, ଦେଉଳି ଗଡମାଣତୀର, ଗୋବିନ୍ଦପୁର ଓ ମହାବିଷୁବ ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ମହାସମାରୋହର ସହିତ ପାଳନ କରାଯାଇଥିବା ବେଳେ ମାଣିକପୁର ପାଟଣା, ମୁକ୍ତାପୁର, ସିକୋ, କଲରାଝର, ହଜ, ଜାଲଭାର, ଶଗଡଭଂଗା ଆଦି ଗ୍ରାମର ଦଣ୍ଡଠାକୁରଙ୍କ ସ୍ଥାନୀୟ ଅଞ୍ଚଳରେ ମଞ୍ଚସ୍ଥ ହୋଇଥିବା ଚଢେୟାସୁଆଙ୍ଗ ପ୍ରସଙ୍ଗ ଭକ୍ତମାନକୁ ଆକୃଷ୍ଟ କରିଥିଲା । ଏହିପର୍ବ ଉପଲକ୍ଷେ ପଣାସଂକ୍ରାନ୍ତି ଦିନ ମଧ୍ୟାହ୍ନରେ ସିମୋର, କେନ୍ଦୁପଲ୍ଲୀ, ଡ଼ିଙ୍ଗର, ବଡ଼ବେରଣା, ପୋଡାଡିହ, ମଲ୍ଲୀପଦର, କଲରାଝର ଓ ହଜ, ପୋଡାଡିହ, କେନ୍ଦୁପଲ୍ଲୀ ଗ୍ରାମର ଭଗତାମାନେ ପୋଖରୀରେ ସ୍ନାନ କରିବାପରେ ପୂର୍ବପୁରୁଷ ଅନୁଯାୟୀ କେତେକ ଭକ୍ତଙ୍କ ଦେହରେ ବିଭିନ୍ୱ ଦେବାଦେବୀ ସବାର ହୋଇ ଘଣ୍ଟ, ମାଦଳ, ମୃଦଙ୍ଗ ଆଦି ବାଦ୍ୟର ତାଳେ ତାଳେ ହରିବୋଲ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନାଚିନାଚି ଯାଇ ଖଣ୍ଡା ଖେଳିଥିଲେ । କେତେକ ଗ୍ରାମରେ ପ୍ରତ୍ୟେକ ଭକ୍ତଙ୍କ ଦୁଆରେ ଭୋଗ ଖାଇଥିଲେ ।ଶେଷରେ କାମନା ଠାକୁରଙ୍କ ବିଜେ ସ୍ଥଳିରେ ଡହଡହ ନିଆଁରେ ଝାମୁଚଲା ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହିପରି କେତେକ ଗ୍ରାମରେ ରାତିରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।
କାକଟପୁର : ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରୁ ଆରମ୍ଭ ହୁଏ ଓଡ଼ିଆ ନବବର୍ଷ । ଏଥିପାଇଁ ପୁରପଲ୍ଲୀ ଓ ଧାର୍ମିକ ଅନୁଷ୍ଠାନ ଗୁଡିକରେ ପଣା ବାଣ୍ଟିବାର ପରମ୍ପରା ରହିଛି । ଏହି ଅବସରରେ ଜିଉଁନ୍ତିସ୍ଥିତ ଈଶ୍ୱରନାଥ ମହାଦେବଙ୍କ ପ୍ରାଙ୍ଗଣରେ ଥିବା ସିଦ୍ଧ ମହାବୀର ମନ୍ଦିରର, ଅସ୍ତରଙ୍ଗ ତାରିଣୀ ମନ୍ଦିରରେ ହୋମଯଜ୍ଞ କରି ପର୍ବ ପାଳନ କରିବା ସହିତ ରାମଚନ୍ଦ୍ରପୁର ଗ୍ରାମର ଯୁବକମାନେ ଏକ ଅଭିନବ ଉପାୟରେ ଏହି ପଣାସଂକ୍ରାନ୍ତିକୁ ପାଳନ କରିଛନ୍ତି । ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତାରେ ଯାଉଥିବା ପଥିକମାନଙ୍କୁ ପଣା ବଣ୍ଟନ କରିବା ସହିତ ପଣା ପିଉଥିବା ଲୋକମାନଙ୍କୁ ଗୋଟିଏ ଲେଖାଏଁ ଗଛଚାରା ଉପହାର ଦେଇଛନ୍ତି ଏବଂ ଏହି ଚାରାକୁ ନିଜ ବାଡିରେ ରୋପଣ କରିବା ପାଇଁ ଅନୁରୋଧ କରୁଛନ୍ତି । ଯାହାକୁ ନେଇ ଏହି ଯୁବକମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ଜଟଣୀ : ଜଟଣୀ ପୌରାଞ୍ଚଳ ୨୧ ନମ୍ବର ୱାର୍ଡ ଅନ୍ତର୍ଗତ କୁଦିଆରି ରଙ୍ଗଣୀ ସାହି ଠାରେ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବିଷୁବ ପଣାସଂକ୍ରାନ୍ତି ତିଥିରେ ଅନୁଷ୍ଠିତ ହୋଇଯାଇଛି । ମାଆଙ୍କ ନିକଟରୁ ବିଧିବିଧାନ ପୂର୍ବକ ଆଜ୍ଞାମାଳ ଆଣିବା ପରେ ଘଣ୍ଟଘଣ୍ଟା ହୁଳହୁଳି କୋଳାହଳମୟ ପରିବେଶ ମଧ୍ୟରେ କାଳସୀ ଝାମୁ ନିଆଁ ଖଳାରେ ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରବଳ ଗରମ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ଝାମୁଯାତ୍ରାକୁ ଗ୍ରାମବାସୀ ଓ ଜାଗେଶ୍ୱରୀ କ୍ଲବ୍ କମିଟି ପକ୍ଷରୁ ପରିଚାଳନା କରାଯାଇଥିଲା ।
କେନ୍ଦ୍ରାପଡା : ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ବା ହିନ୍ଦୁ ଓଡିଆ ନବବର୍ଷ ପାଳନ ଅବସରରେ ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ଓ ଧର୍ମରକ୍ଷା ସେନା, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ଜିଲ୍ଲାର ବିଭିନ୍ନ ପ୍ରମୁଖ ଛୋଟ ବଡ଼ ହିନ୍ଦୁ ସନାତନି ଏକତା ଦଳ ଓ ମଞ୍ଚ ପକ୍ଷରୁ ବିଶିଷ୍ଟ ସମାଜସେବୀ ବିବେକା ନନ୍ଦ ମହାରଣା, ଉମେଶ ଚନ୍ଦ୍ର ଦାସ, ଦେବୀ ପ୍ରସାଦ ତ୍ରିପାଠୀ, ବରିଷ୍ଠ ଆଡ଼ଭୋକେଟ୍ ଶାନ୍ତି ସ୍ୱରୂପ ଭୂୟାଁ, ରାଜନେତା ସରୋଜ ପରିଡା, ରାଜ୍ୟସେବା ବିଶ୍ୱହିନ୍ଦୁ ପରିଷଦ ପ୍ରମୁଖ ହରିଶ ଚନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଶାନ୍ତ ପଣ୍ଡା, ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ, ବିଶ୍ୱହିନ୍ଦୁ ପରିଷଦର ସଭାପତି ଗୋପୀନାଥ ତ୍ରିପାଠୀ, ସମ୍ପାଦକ ବୀରେନ୍ଦ୍ର ସାମଲ, ପ୍ରଭାତ ରଞ୍ଜନ ଦାସ, ଶାଶଙ୍କ ଶେଖର ଜେନା, ମାଧବା ନନ୍ଦ ପ୍ରାଧାନ, ପ୍ରଦୀପ୍ତ କିଶୋର ନାୟକ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ନୀହାର ରଞ୍ଜନ ସୁଆର, ରାଜକିଶୋର ନୟକ, ଅକ୍ଷୟ ସେନାପତି, କୁନା ପାଣି, ବିଜେପି ଜିଲ୍ଲା ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା ଓ ସ୍ମୃତି ଅନୁପମ ସେଠୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପ୍ରାୟ ୨୦ ହଜାରରୁ ଅଧିକ ବଜରଙ୍ଗୀ ବନ୍ଧୁ ବା ଭାଇମାନେ ଏହି ବିଶାଳ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ । ଏହି ରାଲିଟି ପ୍ରଥମେ ଇଛାପୁର ସ୍ଥିତ ମାଉସୀ ‘ମା’ ମନ୍ଦିର ପ୍ରାଙ୍ଗଣରୁ ବାହାରି ଶାନ୍ତସାହି ପୋଲ, ଫର୍ଜନ ଛକ, ମଢିଆଳ ବଜାର, ପୁରୁଣା ବସଷ୍ଟାଣ୍ଡ, ବଡ଼ହାଟ, କାକଟ ଛକ, ନୂଅ ବସଷ୍ଟାଣ୍ଡ, ମହିପାଳ ବଜାର ଦେଇ ତିନିମୁହାଣି ସ୍ଥିତ ରାମ ମନ୍ଦିର ପରିସରରେ ପହଁଚି ଥିଲା । ବାଟରେ ବିଭିନ୍ନ ସ୍ଥାନାରେ ବହୁ ଛକ ବଜାରରେ ଦହି ସରବତ ସହିତ ପାନୀୟ ଜଳ ପ୍ରଭୃତି ହିନ୍ଦୁମାନଙ୍କ ସହିତ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ମିଶି ରାଲି ବା ଶୋଭଯାତ୍ରାରେ ଯାଉଥିବା ବଜାରସଙ୍ଗୀ ମାନଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରାପଡା ପୁଲିସ ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ଆଇଜିଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆଙ୍କ ସହ ଦୁଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୬ଜଣ ଡିଏସପି, ୧୫ଜଣ ଇନିସପେକ୍ଟର ଏବଂ ୧୦ ପ୍ଲାଟୁନ ପୁଲିସ ଫୋର୍ସ ସହରର ବିଭିନ୍ନ ସମ୍ବେଦନଶୀଳ ଛକ ମାନଙ୍କରେ ମୁତୟନ କରା ଯାଇଥିଲା । ତେବେ ଏହି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବା ଜଣାପଡିଛି ।
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଗୋସିଗାଁସ୍ଥିତ ଗର୍ତ୍ତେଶ୍ୱର ଶୈ÷ବପୀଠରୁ ଯୁବ ସମାଜସେବୀ ଅମରେଶ ପଣ୍ଡାଙ୍କ ନେତୃତ୍ୱରେ ହିନ୍ଦୁ ଏକତା ଶୋଭାଯାତ୍ରା ବାହାରିଥିଲା । ସାନବଡଗୋପାଳପୁର ବଜାର ପରିକ୍ରମା କରି ତ୍ରିନାଥ ବଜାରରେ ପହଞ୍ଚôବା ସମୟରେ ରାଜନଗର ବିଧାୟକ ଧୃବ ସାହୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ମୁଣ୍ଡରେ ଗେରୁଆ ପଗଡି ଓ ବେକରେ ଗେରୁଆ ଗାମୁଛା ପକାଇ ଏହି ଶୋଭାଯାତ୍ରାରେ ରାଜନଗର ବଜାର ପରିକ୍ରମା କରିଥିଲେ । ହିନ୍ଦୁ ନବବର୍ଷରେ ହିନ୍ଦୁ ଏକତା ମଂଚ ନାମରେ ଅମରେଶ କରିଥିବା ଶୋଭାଯାତ୍ରାରେ ବିଧାୟକ ଶ୍ରୀ ସାହୁ ସାମିଲ ହେବାକୁ ନେଇ ଭିନ୍ନ ଚର୍ଚ୍ଚା ଲାଗିରହିଛି । ଗୋଟିଏ ପଟେ ବିଜୁ ଜନତାଦଳରେ ୱାକଫ ବିଲକୁ ନେଇ ତାତି କମିନଥିବା ବେଳେ ଓଡିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତୀ ଅବସରରେ ଅମରେଶଙ୍କ ହିନ୍ଦୁ ଏକତା ଶୋଭାଯାତ୍ରାରେ ସାମିଲ ହେବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅପରପକ୍ଷରେ ବିଧାୟକ ଶ୍ରୀ ସାହୁ ଶୋଭାଯାତ୍ରାରେ ଯାଇ ରାଜନଗର ବଜାର ଓ ଗାଁ ପରିକ୍ରମା କରିବା ପରେ ଶୋଭାଯାତ୍ରାରୁ ବାହାରି ନିଜ ଗାଡିରେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା ।