ଟାଇଁ ଟାଇଁ ଖରା ରାସ୍ତାଘାଟ ଶୂନଶାନ୍, ଜୀବନଯାତ୍ରା ପ୍ରଭାବିତ
ବୁଗୁଡା : ଗ୍ରୀଷ୍ମର ପ୍ରକୋପ କିଛି ଦିନର ବ୍ୟବଧାନରେ ପୁଣି ଫେରିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଦିନ ୧୦ଟା ପରେ ଘରୁ ବାହାରିବାକୁ କଷ୍ଟକର ଲାଗୁଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପାର୍ଯ୍ୟନ୍ତ ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇପଡ଼ୁଛି । ଏଇ ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ପାର କରିଛି । ବୈଶାଖ ନ ଆସୁଣୁ ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଆଗକୁ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାଳବୈଶାଖୀ ଜନିତ ବର୍ଷା ଫଳରେ ଗତ କିଛି ଦିନ ପୂର୍ବେ ବୁଗୁଡା ଅଞ୍ଚଳରେ ତାପମାତ୍ରା ଟିକେ ହ୍ରାସ ପାଇଥିଲା ଏବେ ପୁଣି ତାପମାତ୍ରା ବୃଦ୍ଧି ପାଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବାକୁ ଠିକ୍ ମଣୁନାହାଁନ୍ତି । ଦୋକାନ ବଜାର, ରାସ୍ତାଘାଟ ଖାଁ ଖାଁ ଲାଗୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲଗୁଡିକୁ ତିନି ଦିନିଆ ଛୁଟି ଘୋଷଣା କରିଛନ୍ତି । କଂକ୍ରିଟ ରାସ୍ତା ନିର୍ମାଣ ସାଙ୍ଗକୁ ରାସ୍ତା କଡରୁ ବୃକ୍ଷ ଛେଦନ ଯୋଗୁଁ ଗରମ ଅସହ୍ୟ ହେଉଛି । ଅନ୍ୟପକ୍ଷରେ ବୃକ୍ଷଶୂନ୍ୟ ରାଜପଥରେ ବିଶ୍ରାମ ପାଇଁ କେହିହେଲେ ଛାଇ ଟିକିଏ ପାଇ ପାରୁନାହାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ରାସ୍ତା କଡରେ ବ୍ୟାପକ ବୃକ୍ଷ ରୋପଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।