ଚାକରି ନାଁରେ ଠକେଇ
ବ୍ରହ୍ମପୁର: ଚାକିରୀ ପାଇବା ପ୍ରଲୋଭନରେ ଫସିଲେ ଯୁବକ ଯୁବତୀ ।କୋଟି କୋଟି ଟଙ୍କା ଠକେଇର ହେଲେ ଶିକାର । ଚାକିରୀ ଖୋଜା ବେକାରୀ ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଲୁଟିବାର ନିଆରା ଉପାୟ ଅବଲମ୍ବନ କରୁଥିଲେ ଠକେଇ ଗ୍ୟାଙ୍ଗ । ଏଭଳି ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ . । ସୂଚନା ଥାଉକି ସନ୍ତୋଷ କୁମାର ସାହୁ ନାମକ ଯୁବକ ଚାକିରୀ ପାଇବା ଆଶାରେ ୨୭ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ।ଏହାକୁ ଭିତ୍ତି କରି ପୋଲିସ ତଦନ୍ତ କରିଥିଲା ।ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଲା ଭଳି ପୋଲିସ ପାଖାପାଖି ଦୁଇ କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଜାଣିବାକୁ ପାଇଥିଲା । ପ୍ରଣବ ପଣ୍ଡା ନାମକ ଜଣେ ଯୁବକ ସୁରତରେ କାର୍ଯ୍ୟ କରୁଥିଲେ । ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ପାସ୍ । ଛତ୍ରପୁର ଏକ ସରକାରୀ କାର୍ଯ୍ୟାଳୟରେ ପିଅନ ଚାକିରୀ କରେଇବାକୁ ୩ ଲକ୍ଷ ଟଙ୍କା ଦାବୀ କରିଥିବା ବେଳେ ଅଗ୍ରିମ ଏକ ଲକ୍ଷ ଟଙ୍କା ଦେଇଥିଲେ । ସେହିପରି ଅନ୍ୟ ଜଣେ ମନୋରଞ୍ଜନ ସାହୁ ନିଜ ସ୍ତ୍ରୀ ପାଇଁ ଛତ୍ରପୁର ଏକ ସରକାରୀ କାର୍ଯ୍ୟାଳୟରେ କିରାଣୀ ଚାକିରୀ ପାଇଁ ୫୦ ହଜାର ଟଙ୍କା ଅଗ୍ରିମ ଦେଇଥିଲେ । ଅଢେଇ ବର୍ଷ ହେଲା ଅପେକ୍ଷା କରି ଚାକିରୀ ନମିଳିବାରୁ ସନେ୍ଦହ ସୃଷ୍ଟି ହୋଇଥିଲା । ଚାକିରୀ ନାଁ ରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେମାନେ ନିରୁପାୟ ହୋଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଗୋପାଳପୁର ଜଗଦୀଶ କୁମାର ବେହେରା,ପିତା କୁମୁଦ ଚନ୍ଦ୍ର ବେହେରା, ଆସିକା କାଳଷଣ୍ଡପୁରର ହୃଦୟାନନ୍ଦ ମୁନି, ପିତା ସ୍ୱର୍ଗତ ନୃରସିଂହ ଚରଣ ମୁନି ସମେତ କେନ୍ଦ୍ରାପଡା ଜିଲ୍ଲା ନଳଡ଼ିଆର ଶିଶିର ମିଶ୍ର ପିତା ଶଙ୍କର ସେଣ ମିଶ୍ର, ଆସିକା ନାଲବଣ୍ଟାର ସୂର୍ଯ୍ୟକାନ୍ତ ବେହେରା,ପିତା କାଁହୁ ଚରଣ ବେହେରା, ବାଲେଶ୍ୱର ଜିଲ୍ଲା ବଳିଆପାଟଣାର ସୁନୀଲ ବେହେରା ପିତା ସୁଦର୍ଶନ ବେହେରା, ବାଲେଶ୍ୱର ଜିଲ୍ଲା ଖଣ୍ଟାପଡାର ସୁମନ୍ତ ପାତ୍ର ପିତା ରବୀନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ବାଲାକାନ୍ତି ଥାନା ବାଲିଅନ୍ତାର ପ୍ରକାଶ ସେଠୀ ପିତା ପରୀକ୍ଷିତ ସେଠି, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଚୌହାନ ଜେନା ପିତା ଅଭିମନୁ୍ୟ ଜେନା, ନୟାଗଡ଼ର ସନ୍ତୋଷ ନାୟକ ପିତା କାଳୁ ନାୟକକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ବହୁ ନାମିଦାମୀ ମୋବାଇଲ ସହ ବହୁ କାଗଜପତ୍ର ଜବତ କରିଛି । ବିଭିନ୍ନ ଅଞ୍ଚଳର ପିଲାମାନଙ୍କ କାଗଜ ପତ୍ର, ବ୍ୟାଙ୍କ ଚେକ୍ ବହି ଏବଂ ସେମାନେ ବ୍ୟବହାର କରୁଥିବା ଟାଟା ଟିଗର କାର ଯାହା ନମ୍ବର ଙଊ୦୭ଇଇ୨୬୩୫ ଗାଡିଟିକୁ ବି ଜବତ କରିଛି ସ୍ଥାନୀୟ ବିଏନ୍ପୁର ପୋଲିସ । ପୋଲିସ ତଦନ୍ତରୁ ମୁଖ୍ୟ ଖଳନାୟକ ଜଗଦିଶ ବେହେରା ବିଭିନ୍ନ ବେସରକାରୀ ଓ ସରକାରୀ ଚାକିରୀ କରେଇବା ନାଁ ରେ ଠକେଇ କରୁଥିଲେ । ଏପରିକି ସଚିବାଳୟରେ ମଧ୍ୟ ଚାକିରୀ କରାଇବାକୁ କହି ଠକିଥିବା ତଦନ୍ତରୁ ଜଣା ପଡିଛି । ତଦନ୍ତରୁ ଜଣାପଡିଛି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଗୋଷ୍ଠୀ ଠକେଇ କରିଥିବା କହିଛି ପୋଲିସ । ଏହି ଠକେଇ ଗ୍ୟାଙ୍ଗର ଲିଙ୍କ କୋଲକାତା ସହ ରହିଥିବା ତଦନ୍ତରୁ ଜାଣିବାକୁ ମିଳିଛି । ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ବିବେକ କହିଛନ୍ତି । ତେବେ ଠକ ସାମ୍ରାଜ୍ୟର ସମୁଦ୍ରରେ ଆଶା ଓ ଚାକିରୀ ପାଇବା ବିଶ୍ୱାସ ପାଣିରେ ମିଳେଇ ଯାଇଥିବା ବେଳେ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟ ମିଳିବ ସହିତ ହରେଇ ଥିବା ଟଙ୍କା ଫେରିପାଇବେ କି ନାହିଁ ତାହା ଦେଖିବା ବାକି ରହିଲା ।