କିଓସ୍କ ବ୍ୟାଙ୍କ ଆଳରେ ଲକ୍ଷାଧିକ ଟଙ୍କା ହଡପ , ଟଙ୍କା ଧରି ମ୍ୟାନେଜର ଛୁ'

କିଓସ୍କ ବ୍ୟାଙ୍କ ଆଳରେ ଲକ୍ଷାଧିକ ଟଙ୍କା ହଡପ , ଟଙ୍କା ଧରି ମ୍ୟାନେଜର ଛୁ'

 ନୀଳଗିରି : କିଓସ୍କ ବ୍ୟାଙ୍କ ଆଳରେ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ଅଗୋଚରରେ ଝାଳ ବୁହା ଧନ ମୋଲ ଗ୍ରୁପର ଚିଟ୍ ଫଣ୍ଡ ସଂସ୍ଥାରେ ଗରିବ, କମ ପଢୁଆ ଲୋକଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ହଡପ କରି କିଓସ୍କ ବ୍ୟାଙ୍କ ମ୍ୟାନେଜର ଫେରାର ହୋଇଯାଇଛନ୍ତି । ଏଭଳି ଏକ ଘଟଣା ଦେଖଇବାକୁ ମିଳିଛି ନୀଳଗିରି ବ୍ଲକ ସଜନାଗଡ ଅଞ୍ଚଳରେ । ସଜନାଗଡ ବଜାରରେ  ଜାମୁଡିହା ପଞ୍ଚାୟତ ଖରଡିଆ ଗ୍ରାମର  ବସନ୍ତ ସ୍ୱାଇଁ ଏକ କିଓସ୍କ ବ୍ୟାଙ୍କ ଖୋଲିଥିଲେ । ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଜମାକରିଥିଲେ । ସୂଚନା ଅନୁଯାୟୀ ସଜନାଗଡ ଗ୍ରାମର ଉଷାମଣୀ ବିଶ୍ୱାଳ ୨୫ ହଜାର, ଲିଲି ଖଣ୍ଡେଇ ୫୦ ହଜାର, ନାରଣ ମଢେଇ ୯୦ ହଜାର, ଚମ୍ପାମଣୀ ଖାଲପାଳିଆ ୧ ଲକ୍ଷ, ସରୋଜ ଖାଲପାଳିଆ ୭୫ ହଜାର, ରାବଣଶ୍ୱର ବିଶ୍ୱାଳ୨୫ ହଜାର, ସୁମତୀ ବିଶ୍ୱାଳ ୧୦ ହଜାର, ସରସ୍ୱତୀ ହାଁସନ୍ଦା୧ ଲକ୍ଷ ୫୦ ହଜାର, ଲକ୍ଷ୍ମୀଧର ହାଁସନ୍ଦା ୫୦ ହଜାର, ସେବତୀ ମାଝୀ ୫୦ ହଜାର ଲେଖାଁଏ ଟଙ୍କା ଦୈନିକ ମଜୁରୀରୁ ସଞ୍ଚୟ କରି ସଜନାଗଡ ସ୍ଥିତ କିଓସ୍କ ବ୍ୟାଙ୍କରେ ରଖିଥିଲେ । ଉକ୍ତ ବ୍ୟାଙ୍କର ମ୍ୟାନେଜର ଶ୍ରୀ ସ୍ୱାଇଁ ଜମାକାରୀଙ୍କୁ ଟଙ୍କାକୁ ଫିକ୍ସ ମାରିବା ପାଇଁ କହିବା ସହ ତା ଦ୍ୱାରା ଅତ୍ୟଧିକ ଟଙ୍କା ପାଇବେ ବୋଲି ଲୋଭାୟିତ କରିଥିଲେ । ଉକ୍ତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସ ମାରିବାକୁ କହି ଶ୍ରୀ ସ୍ୱାଇଁ ଉକ୍ତ ଟଙ୍କାକୁ ମୋଲ ଗ୍ରୁପ ନାମକ ଏକ ଚିଟ୍ ଫଣ୍ଡ ସଂସ୍ଥାର ସେୟାର ମାର୍କେଟରେ ଲଗାଇଥିଲେ । ଜମାକାରୀମାନେ ଟଙ୍କା ଉଠାଇବା ପାଇଁ କହିବାରୁ ସେ ସେମାନଙ୍କୁ ଗାଳି ଗୁଲଜ କରିବା ସହ କୌଣସି ଟଙ୍କା ନାହିଁ ବୋଲି କହି ଫେରସ୍ତ କରିବା ସହ ପରଦିନ ବ୍ୟାଙ୍କରେ ତାଲା ଝୁଲାଇ କେଉଁଆଡେ ଫେରାର ହୋଇଯାଇଛନ୍ତି । ଫଳରେ ଜମାକାରୀମାନେ ଥାନାର ଦ୍ୱାରସ୍ଥ ହେବା ସହ ଯଦି ତୁରନ୍ତ ସମସ୍ୟାର ସମାଧାନ ନହୁଏ ତେବେ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ଉକ୍ତ ଗ୍ରୁପ ସୋର ଅଞ୍ଚଳରେ ୨ଶହ କୋଟିରୁ ଉଦ୍ଧ୍ୱର୍୍ୱ ଟଙ୍କା ହଡପ କରିଥିବା ବେଳେ ଏବେ ଏହାର ଚେର ନୀଳଗିରିକୁ ଲମ୍ବିଥିବାର ସାମ୍ନାକୁ ଆସିଛି ।