ପୁଲିସ୍ ପରିଚୟରେ ଅଳଙ୍କାର ଲୁଟ
ଅନୁଗୁଳୁ: ପୁଲିସ ପରିଚୟ ଦେଇ ଦିବା ଲୋକରେ ଚକମା ଦେଖାଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ଯାହାକି ଆଜି ସାରା ସହରରେ ଚର୍ଚ୍ଚାର ବିଷୟ ହୋଇପଡିଛି ।ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରର ଦିବ୍ୟଜ୍ୟୋତି ସିନେମା ହଲ ନିକଟରେ । ସୂଚନା ଅନୁସାରେ କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ ଆଉ ହାତରେ ମେଞ୍ଚାଏ ସୁନା ମୁଦି ପିନ୍ଧି ସହର ଆଡୁ ନିଜ ଘର ହୁଲୁରିସିଂହାକୁ ଯାଉଥିଲେ ।ତେବେ ଦିବ୍ୟଜ୍ୟୋତି ହଲ ଛକ ନିକଟରେ ହଠାତ ଦୁଇଜଣ ବ୍ୟକ୍ତି ପୁଲିସ ପୋଷାକରେ ଆସି ତାଙ୍କୁ ଅଟକାଇଥିଲେ । ଆଗରେ ଡକାୟତି ହୋଇଛି,ଏଭଳି ସୁନା ଚେନ,ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିବା ସହ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି ଚେନ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ ରଖି ଘରକୁ ଯାଇଥିଲେ ।ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ଗୁଡି ୪ ଟି ଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ସେ ଦୁଇ ଠକଙ୍କ କାମ ଜାଣିପାରି ଅନୁଗୁଳ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ।