ସାଂସଦଙ୍କୁ ଘେରିଲେ ବିଧାୟିକା ଓ ପଞ୍ଚାୟତ ପ୍ରତିନିଧି : କଟନୀ-ଛଟନୀକୁ ନେଇ କମ୍ପିଲା ବୈଠକ

 ଦଶରଥପୁର: ଗୁରୁବାର ଦଶରଥପୁର ପଂଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ ହଟଗୋଳ, ହୋହଲାରେ ଶେଷ ହୋଇଛି । ତେବେ ବୈଠକରେ ଧାନ କିଣାରେ କଟନି-ଛଟନି କଥା ଉଠିବା ପରେ ଆରମ୍ଭ ହୋଇଯାଇଥିଲା ହଟଗୋଳ । ହଟଗୋଳକୁ ଇନ୍ଧନ ଯୋଗାଇଥିଲା ବ÷ଠକରେ ଉପସ୍ଥିତ ଥିବା ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ‘ଆମର ବିଧାୟକ ନଥିବାରୁ ଆମ ଦଳ ଏଠାରେ ଧାନ କିଣାରେ କୌଣସି ମୁଣ୍ଡ ଖେଳାଉନି’ମନ୍ତବ୍ୟ । ସାଂସଦଙ୍କ ଏହିମାତ୍ର ମନ୍ତବ୍ୟକୁ ନେଇ ଘେରିଥିଲେ ବୈଠକରେ ଉପସ୍ଥିତ ଥିବା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ, ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସମେତ ଏକାଧିକ ପଂଚାୟତ ପ୍ରତିନିଧି । ଯାହାକୁ ନେଇ କିଛି ସମୟ ପାଇଁ ବୈଠକ ହେଉଥିବା ସଭାଗୃହ ଦୁଲୁକିଥିଲା । ବ୍ଲକ କର୍ମଚାରୀ ଏବଂ କେତେକ ପଂଚାୟତ ପ୍ରତିନିଧି ପରିସ୍ଥିତି ସୁଧାରିବା ପରେ ବୈଠକ ଚାଲି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମରୁ ଏଜେଣ୍ଡାରେ ଥିବା ପ୍ରସଙ୍ଗକୁ ଛାଡ଼ି ଧାନ କଟନି-ଛଟନିକୁ ନେଇ ବିଧାୟିକା ପ୍ରମିଳା ମଲ୍ଲିକ ସାଂସଦଙ୍କୁ ପ୍ରଶ୍ନ ପଚାରିଥିଲେ । ସାଂସଦ ଉତର ରଖିବା ପୂର୍ବକ ସରକାରରେ ବିଜେପି ସରକାରରେ ଅଛି । କଟନି-ଛଟନି ବାବଦରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଫେଇ ଦେଇଥିଲେ । ତେବେ ସାଂସଦ ଏହି ସଫେଇ ଦେବା ଭିତରେ ଆମର ବିଧାୟକ (ବିଞ୍ଝାରପୁର-ଯାଜପୁର) ନଥିବାରୁ ଆମ ଦଳ ଏଠାରେ ଧାନ କିଣାରେ ମୁଣ୍ଡ ଖେଳାଉନି ବୋଲି କହିଥିଲେ । ସାଂସଦଙ୍କ ଏତକ କଥା ବୈଠକରେ ଉତେଜନା ପ୍ରକାଶ ପାଇଥିଲା । ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ଯାଜପୁର ବିଧାୟିକା ସୁଜାତା ସାହୁ ଏହାକୁ ବିରୋଧ କରି ଆପଣ ଯାଜପୁର ଜିଲାର ସାଂସଦ, ସବୁ ଚାଷୀଙ୍କର ସ୍ୱାର୍ଥ ରକ୍ଷା କରିବା ଆପଣଙ୍କର କର୍ତବ୍ୟ । କିନ୍ତୁ ଆପଣ ବିଜେପିର ବିଧାୟିକା ନଥିବାରୁ କର୍ତବ୍ୟ ଭୁଲି ଏପରି କଥା କହିବା ଆଦୌ ସମୀଚୀନ ନୁହେଁ ବୋଲି କହି ମନ୍ତବ୍ୟର ପ୍ରତିବାଦ କରିଥିଲେ । ଏହି ସମୟରେ ୬ନମ୍ବର ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୭ ନମ୍ବର ଜିଲା ପରିଷଦ ସଭ୍ୟା ନୀନାରାଣୀ ସାମଲ, ୫ନମ୍ବର ଜିଲା ପରିଷଦସଭ୍ୟା ମନସ୍ୱିନୀ ଦାସ, ବିରୁହାଁ ସମିତିସଭ୍ୟ ଲକ୍ଷ୍ମୀକାନ୍ତ ସାମଲ, ସୁସୁଆ ସରପଂଚ ବୃନ୍ଦାବନ ସାମଲ, ଚଷାଖଣ୍ଡ ସରପଂଚ ପ୍ରତିଭା ମଲ୍ଲିକ, ବିରଜାପୁର ସରପଂଚ ନିରାକାର ସାହୁ ପ୍ରମୁଖ ନିଜ ବସିବା ସ୍ଥାନରୁ ହଠାତ୍ ଉଠି ସାଂସଦ ବସିଥିବା ପୋଡ଼ିୟମ ନିକଟକୁ ଆସି ସାଂସଦଙ୍କୁ ଜୋରଦାର ବିରୋଧ ସହ ତାତ୍ସଲ୍ୟ କରି ବିଭିନ୍ନ ପ୍ରକାର ଭାଷା ପ୍ରୟୋଗ କରିଥିଲେ । ଏପରି ହଟଗୋଳ ଦୃଶ୍ୟକୁ ବିଧାୟିକା ବିରୋଧ କରିନଥିଲେ । ଅନ୍ୟ ସରପଂଚ, ସମିତି ସଭ୍ୟ କିଂ କର୍ତବ୍ୟ ବିମୁଢ଼ ହୋଇ ଘଟଣାକୁ ଦେଖୁଥିଲେ । ପରେ ଉତେଜିତ ସଦସ୍ୟମାନଙ୍କ ସହ ସାଂସଦଙ୍କର କଥା କଟାକଟି କିଛି ସମୟ ଚାଲିବା ପରେ କିଛି ସରପଂଚ, ସମିତିସଭ୍ୟ ଓ ବ୍ଲକ୍ କର୍ମଚାରୀ ବୁଝାସୁଝା କରି ପରିସ୍ଥିତିିରେ ସୁଧାର ଆଣିଥିଲେ । ପରେ ଅଳ୍ପସମୟ ମଧ୍ୟରେ ବୈଠକ ଶେଷ ହୋଇଥିଲା । ଏଠି ପ୍ରଶ୍ନଉଠେ ପଂଚାୟତ ସମିତିର ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଏଜେଣ୍ଡା ଥିବାବେଳେ କଟନି-ଛଟନି ପ୍ରସଙ୍ଗକୁ ନେଇ ହଟଗୋଳ କରି ସାଂସଦଙ୍କୁ ଟାର୍ଗେଟ କରିବାର ଯୋଜନା ପୂର୍ବ ପ୍ରସ୍ତୁତ ନଥିଲା ତ? ଅନ୍ୟପକ୍ଷରେ ସାଂସଦ ସରକାରୀ ସ୍ତରରେ ଯୋଗ ଦେଉଥିବା ବିଭିନ୍ନ ବୈଠକରେ ବିଜେଡ଼ି, ବିଜେପି ମନୋଭାବ ନେଇ ମନ୍ତବ୍ୟ ରଖିବାକୁ ସାଧାରଣରେ ନାପସନ୍ଦ କରାଯାଇଛି ।