ନେତାଜୀଙ୍କୁ 'ରାଷ୍ଟ୍ର ପୁତ୍ର' ଘୋଷଣା ଦାବିରେ ହାଇକୋର୍ଟରେ ପିଟିସନ
କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ । ସାରା ଦେଶ ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତେବେ ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଏବଂ ଆଜାଦ୍ ହିନ୍ଦ୍ ଗଠନ ଦିବସକୁ ‘ଜାତୀୟ ଦିବସ’ ଭାବେ ଘୋଷଣା ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । କଟକର ଜଣେ ସମାଜସେବୀ ପି ନାକପାଣି ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି ।ଆବେଦନକାରୀ ଆବେଦନରେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି, ‘ଭାରତ ପ୍ରତି ନେତାଜୀଙ୍କର ଯେଉଁଭଳି ଅବଦାନ ରହିଛି, ଦେଶ ପାଇଁ ସେ ଯେଉଁଭଳି ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାକୁ ସମ୍ମାନ ଜଣାଇ ସରକାର ନେତାଜୀଙ୍କୁ ଭାରତର ‘ରାଷ୍ଟ୍ର ପୁତ୍ର ଭାବେ ଘୋଷଣା କରିବା ଆବଶ୍ୟକ । ସେହିପରି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖକୁ ‘ଜାତୀୟ ଦିବସ’ ଭାବେ ମଧ୍ୟ ଘୋଷଣା କରିବାକୁ ଆବେଦନକାରୀ ପିଟିସନରେ ପ୍ରାର୍ଥନା କରିଛନ୍ତି । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ୭୮ବର୍ଷ ପରେ ବି ତାଙ୍କୁ ଏ ଦେଶ ଉଚିତ ସମ୍ମାନ ଦେଇପାରିନାହିଁ । ଦେଶକୁ ସ୍ବାଧୀନତା କରିବାରେ ନେତାଜୀ ଏବଂ ତାଙ୍କ ଦ୍ବାରା ଗଠିତ ଆଜାଦ୍ ହିନ୍ଦ୍ ଫୌଜର ବହୁତ ବଡ଼ ଭୂମିକା ରହିଛି ।’