ଇତିହାସ ରଚିଲା ଭାରତ : ଉତ୍କ୍ଷେପଣ ହେଲା "ନିସାର'


  ଶ୍ରୀହରିକୋଟା : ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର ରାଡାର (ନିସାର) ସାଟେଲାଇଟର ସଫଳ ଉତ୍କ୍ଷେପଣ ସହିତ ଭାରତ  ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଇତିହାସ ରଚିଛି । ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ମିଳିପାରିବ ।
୨୩୯୩ କିଲୋଗ୍ରାମ ଓଜନର ଏହି ସାଟେଲାଇଟ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୫ଟା ୪୦ ମିନିଟରେ ଇସ୍ରୋର ଜିଏସଏଲଭି ଏଫ-୧୬ ଯୋଗେ ମହାକାଶର ଶୂନ୍ୟସ୍ଥାନକୁ ଉଡ଼ାଣ ଭରିଛି । ନିସାର ମିଶନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଯୁକ୍ତରାଷ୍ଟ୍ରର ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ମଧ୍ୟରେ ୧.୫ ବିଲିୟନ ଡଲାରର ମିଳିତ ଉଦ୍ୟମ । ଏବେ ଜଳବାୟୁ ମନିଟରିଂ ଏବଂ ବିପର୍ଯ୍ୟୟ ପ୍ରଶମନରେ ବିପ୍ଳବ ଆଣି ପାରିବ । ଏହାଦ୍ୱାରା କେବଳ ଭାରତ ନୁହେଁ ସାରା ବିଶ୍ୱ ଉପକୃତ ହେବ । ନିସାର ହେଉଛି ବିଶ୍ୱର ପ୍ରଥମ ପୃଥିବୀ-ମ୍ୟାପିଂ ସାଟେଲାଇଟ୍ ଯାହା ଡୁଆଲ୍-ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଆପର୍ଚର ରାଡାରରେ ସଜ୍ଜିତ । ସିନ୍ଥେଟିକ୍ ଆପେର୍ଚର ରାଡାର ନିମ୍ନ ଦୃଶ୍ୟକୁ ତୀକ୍ଷ୍ଣ କରିବା ପାଇଁ ଉପରେ ରାଡାର ଉଡ଼ିବା ସମୟରେ ନିଆଯାଇଥିବା ଅନେକ ମାପକୁ ମିଶ୍ରଣ କରିଥାଏ । ଏହା ପାରମ୍ପରିକ ରାଡାର ପରି କାମ କରେ, ଯାହା ଦୂରବର୍ତ୍ତୀ ପୃଷ୍ଠ ଏବଂ ବସ୍ତୁଗୁଡ଼ିକୁ ଚିହ୍ନଟ କରିବା ପାଇଁ ମାଇକ୍ରୋୱେଭ୍ ବ୍ୟବହାର କରେ । କିନ୍ତୁ ଉଚ୍ଚÿ ରିଜୋଲୁ୍ୟସନରେ ଗୁଣ ଏବଂ ବୈଶିଷ୍ଟ୍ୟଗୁଡ଼ିକୁ ପ୍ରକାଶ କରିବା ପାଇଁ ଡାଟା ପ୍ରକ୍ରିୟାକରଣକୁ ବୃଦ୍ଧି କରେ ।
ଏହି ଐତିହାସିକ ମିଶନ କେବଳ ମହାକାଶ-ଆଧାରିତ ଜଳବାୟୁ ପର୍ଯ୍ୟବେକ୍ଷଣରେ ଭାରତର ସ୍ଥିତିକୁ ସୁଦୃଢ଼ କରେ ନାହିଁ ବରଂ ଏହା ମଧ୍ୟ ପ୍ରଦର୍ଶନ କରେ ଯେ ଅନ୍ତର୍ଜାତୀୟ ସହଯୋଗ କିପରି ସାମୂହିକ ମଙ୍ଗଳ ପାଇଁ ବୈଜ୍ଞାନିକ ପ୍ରଗତିକୁ ଆଗେଇ ନେଇପାରେ । ଉପଗ୍ରହର ବିକାଶ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା । ଭାରତୀୟ ଏବଂ ଆମେରିକୀୟ ମହାକାଶ ସଂସ୍ଥାଗୁଡ଼ିକ ଉପଗ୍ରହର ବିକାଶ, ପ୍ରକ୍ଷେପଣ ଏବଂ ବର୍ତ୍ତମାନ କାର୍ଯ୍ୟ ପାଇଁ ଏକାଠି ହୋଇଥିଲେ । ଏହା ପୃଥିବୀ ପୃଷ୍ଠରେ ଘଟୁଥିବା ବିଭିନ୍ନ ଘଟଣାର ଅଧ୍ୟୟନ କରିପାରିବ । ଉଦାହରଣ ପାଇଁ ସମୁଦ୍ର ବରଫର ଗତି, ଝଡ଼ର ପଥ, ଉଦ୍ଭିଦ ଏବଂ ଜଙ୍ଗଲରେ ପରିବର୍ତ୍ତନ, ଏପରିକି ଭୂମିକମ୍ପ ଏବଂ ଆଗ୍ନେୟଗିରି ସମୟରେ ଗତିବିଧି ଉପରେ ନଜର ରଖିବ । ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ଉପଗ୍ରହ ଜଳବାୟୁ ପରିବର୍ତ୍ତନ କିମ୍ବା ପ୍ରାକୃତିକ ବିପଦର ମୁକିବାଲରେ ସହାୟକ ହେବ ।