ପିଏମ୍ ଆବାସ ଯୋଜନାର ହିତାଧିକାରୀ ଚିହ୍ନଟ ତାଲିମି ଶିବିର
ରାଜକନିକା : ରାଜକନିକା ବ୍ଲକ ଅନ୍ତର୍ଗତ ୨୯ଟି ପଞ୍ଚାୟତ କାର୍ଯ୍ୟଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ହିତାଧିକାରୀ ଚିହ୍ନଟ ତାଲିମି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଡିଓ ଅଶୋକ ଦେହୁରୀ ଓ ବ୍ଲକ ପ୍ରକଳ୍ପ ସଂଯୋଜକ ମୃତୁ୍ୟଞ୍ଜୟ ବୁଦ୍ଧପଦ ଦାସ ଉପସ୍ଥିତ ରହି ଆବାଆସପ୍ଲୁସ-୨୦୨୪ ଆପ୍ ମାଧ୍ୟମରେ କେମିତି ଯୋଗ୍ୟ ହିତାଧିକାରୀ ଚୟନ ହେବା ସହିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ କେମିତି ସର୍ଭେ କରିବେ ସେହି ବିଷୟରେ ଆଲୋଚନା କରିଥିଲେ । କର୍ମଶାଳରେ ବ୍ଲକ୍ ବିପିସି, ଏପିଓ, ଜୁନିୟର ଇଂଜିନିୟର, ପିଓ, ଏଡିଓ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏବଂ ବ୍ଲକ ପକ୍ଷରୁ ଟ୍ରେନିଂ ପାଇଥିବା ଅଧିକାରୀମାନେ ପଞ୍ଚାୟତରେ ସମସ୍ତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗକୁ ହେବାକୁ ଥିବା ସର୍ଭେରେ କେମିତି ହିତାଧିକାରୀ ନିଜେ ସର୍ଭେ କରିପାରିବେ ଏବଂ କ୍ଷେତ୍ର କର୍ମଚାରୀ ଗାଁକୁ ଯାଇ ସର୍ଭେ କରିବେ, ଏଥିରେ କଣ ସବୁ ପ୍ରମାଣ ପତ୍ର ଦରକାର ସେହି ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା, ଜିଲ୍ଲା ପରିଷଦ ମେମ୍ବର, ୱାର୍ଡ ମେମ୍ବର, ଏମ୍ବିକେ, ସିଆରପି, ଏସ୍ଏଚ୍ଜି ମେମ୍ବର ଉପସ୍ଥିତ ଥିଲେ ।