ସନ୍ଧ୍ୟାରାଣୀଙ୍କ ପାଇଁ ଟିମ୍ ଆଲେକଜାଣ୍ଡାର ଓ ବାବୁ ଏକାଠି 

ଯାଜପୁର: ଦୁଇଜଣ ଯାକ ଥିଲେ ଆଶାୟୀ । ହେଲେ ଦଳ ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କଲା । ଯାହା ଅସହ୍ୟ ହୋଇଥିଲା ଯୁବ ନେତା ଆଲେକଜାଣ୍ଡାର ଦାସ ଏବଂ ବରିଷ୍ଟ ନେତା ବିଶ୍ୱଜିତ ନାୟକ(ବାବୁ)ଙ୍କୁ । ଦଳୀୟ ନେତାଙ୍କୁ ଅପିଲ କଲେ । ହେଲେ ଅପିଲ ଶୁଣିଲେନି ବିଜେପି ରାଜ୍ୟ ନେତୃତ୍ୱ । ଦଳପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଉପେକ୍ଷିତ ହେବା ପରେ ବାବୁ ଏବଂ ଆଲେକ୍ସ ବିଜେପି ଆଗପଛ ହୋଇଛାଡ଼ିଲେ । ଆଗପଛ ହୋଇ ବିଜେଡ଼ିରେ ମିଶିଲେ ବାବୁ ଏବଂ ଆଲେକ୍ସ । ଉଭୟ ଏବେ ବିଜେଡ଼ି ନେତା । ବିଜେପିରେ ଥିବା ବେଳେ ଟିକେଟ ପାଇଁ ଏକାଠି ହେଉନଥିଲେ । କାଁ ଭାଁ କେମିତି ଉଭୟଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥାଏ । ତେବେ ଏବେ ବିଜେଡ଼ି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ଅନେକ ମଞ୍ଚରେ ଏକାଠି ହେଉଥିବାର ଦେଖିବାକୁ ମିଳୁଛି । କେବଳ ବାବୁ କି ଆଲେକ୍ସ ନୁହେଁ ଉଭୟଙ୍କ ପୁରା ଟିମ୍ଙ୍କୁ ପ୍ରଚାର ଅଭିଯାନରେ ଦେଖିବାକୁ ମିଳୁଛି । ଟିମ ଆଲେକଜାଣ୍ଡାର ଏବଂ ଟିମ ବାବୁ ପ୍ରାର୍ଥୀନୀଙ୍କ ପାଇଁ ମନପ୍ରାଣ ଲଗାଇ ଦେଇ ପ୍ରଚାର କରୁଛନ୍ତି । ସଭାସମିତିରେ ବିଜେପି ବିରୁଦ୍ଧରେ ଗର୍ଜୁଛନ୍ତି । କୋରେଇ ମାଟିରୁ ସନ୍ଧ୍ୟାରାଣୀଙ୍କୁ ଜିତାଇବା ପାଇଁ ଉଭୟ ପୁରାଦମରେ ଲାଗିପଡ଼ିଛନ୍ତି । ଉଭୟଙ୍କ ଟିମ୍ରେଥିବା ଶତାଧିକ ସହଯୋଗୀ ଭାଗଭାଗ ହୋଇ ବିଭିନ୍ନ ଗାଁ ଗଣ୍ଡାରେ ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଆଲେକ୍ସ ନିଜ ଟିମ ମାଧ୍ୟରେ ସର୍ବାଧିକ ଭୋଟ ଯୋଗାଡ଼ କାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ବାବୁଙ୍କ ଟିମ୍ ମଧ୍ୟ ପଛରେ ପଡ଼ିବାକୁ ଚାହୁନି । ବିଶେଷ କରି ଉଭୟ ନିଜ ପଞ୍ଚାୟତରେ ବିଜେଡ଼ିକୁ ସର୍ବାଧିକ ଭୋଟ ଯୋଗାଡ଼ ଲକ୍ଷ୍ୟରେ ରହିଛନ୍ତି । ଉଭୟ ଆଲେକ୍ସ ଏବଂ ବାବୁ ସନ୍ଧ୍ୟାରାଣୀଙ୍କ ପାଇଁ ଏକାଠି ହେବା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି ।