ଯୁବତୀଙ୍କ ଗଳା କାଟି ହତ୍ୟା : ପ୍ରେମ ବ୍ୟାପାରରୁ ବୀଭତ୍ସ କାଣ୍ଡ
ସୋର : ସୋର ପୌର ପାଳିକା ଅଧୀନ ଲିଙ୍ଗପଡାରେ ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ଯୁବତୀ ଜଣକ ଲିଙ୍ଗପଡ଼ାର ଜ୍ୟୋତିର୍ମୟୀ ରଣା (୨୫) ହୋଇଥିବା ବେଳେ ପ୍ରେମ ଜନିତ କାରଣରୁ ତାଙ୍କୁ ବିଭସô ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି ।
ଘଟଣାନୁସାରେ ଯୁବତୀଙ୍କ ସହିତ ବାସୁଦେବପୁର ଥାନା ଭୈରବପୁରର ବିଶ୍ୱରଞ୍ଜନ ପୁହାଣଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା । ଉଭୟ ବାଙ୍ଗାଲୋରରେ ଘରୋଇ ସଂସ୍ଥାରେ ରହି କାମ କରୁଥିଲେ । ତେବେ ଜ୍ୟୋତିର୍ମୟୀ ଦୁଇମାସ ତଳେ ଘରକୁ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ବିଶ୍ୱରଂଜନ ତାଙ୍କୁ ବିଭିନ୍ନ ସମୟରେ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ । ଏଣୁ ସେ ଆତ୍ମହତ୍ୟା କରିଦେବେ ବୋଲି ତାଙ୍କୁ ଧମକ ମଧ୍ୟ ଦେଉଥିଲେ । ଫଳରେ ଜ୍ୟୋତିର୍ମୟୀ ଏଥିରେ ଅତିଷ୍ଠ ହୋଇ ଦୁଇ ଦିନ ତଳେ ବିଶ୍ୱରଂଜନଙ୍କ ନାମରେ ସୋର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ପୂର୍ବାହ୍ନରେ ଜ୍ୟୋତିର୍ମୟୀଙ୍କ ମାଆ ବାପା ଘରେ ନ ଥିବା ବେଳେ ଯୁବକ ଜଣଙ୍କ ତାଙ୍କ ଘରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳା କାଟି ଫେରାର ହୋଇଥିଲା । କିଛି ସମୟ ପରେ ପଡୋଶୀ ଲୋକେ ଜ୍ୟୋତିର୍ମୟୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବା ପରେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସୋର ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀଙ୍କ ମାଆ ସୋର ଥାନାରେ ଘଟଣା ଆଧାରିତ ଯୁବକଙ୍କ ନାଁରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୧୬୨/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।