କନକଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସରେ ଉସôାହ; ମଉଳିଲା ବନିତାଙ୍କ ଆଶା

ବିଞ୍ଝାରପୁର/ସିଂହପୁର,: ଚଳିତ ସାଧାରଣ ନିର୍ବାଚନକୁ ନେଇ ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ବିଞ୍ଝାରପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ପକ୍ଷରୁ କନକଲତା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା ପରେ ବିଞ୍ଝାରପୁର କର୍ମୀଙ୍କ ମଧ୍ୟରେ ଉସôାହ ଖେଳିଯାଇଛି । ଆଜି ସକାଳୁ କନକଲତା ବିଞ୍ଝାରପୁରର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ବରୁଣେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚାନ କରି ବିଞ୍ଝାରପୁର ସ୍ଥିତ ଦଳିୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ କର୍ମୀ ସମ୍ବର୍ଦ୍ଧନା ଜଣାଇଥିଲେ । ବିଜେପି ଓ ବିଜେଡି ସରକାର ଦଶନ୍ଦି ଦଶନ୍ଦି ଧରି ଶାସନ କ୍ଷମତାରେ ରହିଥିଲେ ମଧ୍ୟ ବିଞ୍ଝାରପୁର ଅଞ୍ଚଳର ଚାଷୀ, ମୁଲିଆ, ଖଟିଖିଆ, ଶ୍ରମିକ, ମହିଳା ମାନଙ୍କର ବିକାଶକୁ କେହି ଗୁରୁତ୍ୱ ଦେଇନାହଁନ୍ତି ବରଂ ଏକଛତ୍ରବାଦ ଶାସନ କରି ବିଞ୍ଝାରପୁରରେ ଶିକ୍ଷା,ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, କୃଷି ଆଦି କ୍ଷେତ୍ରରେ ବିଞ୍ଝାରପୁରକୁ ଆହୁରି ତଳକୁ ନେଇଛନ୍ତି ବୋଲି କନକଲତା ପ୍ରକାଶ କରିଛନ୍ତି । ଚଳିତ ନିର୍ବାଚନରେ ବିଞ୍ଝାରପୁରବାସୀ କଂଗ୍ରେସ ସହିତ ରହିବେ । ପରିବର୍ତ୍ତନର ଆବଶ୍ୟକତାକୁ ଲୋକେ ବୁଝିଲେଣି, ବିକଶିତ ବିଞ୍ଝାରପୁର ଗଠନ କଂଗ୍ରେସ ପାଇଁ ଏକ ବଡ ଆହ୍ୱାନ ବୋଲି କନକ ମତଦେଇ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ କଂଗ୍ରେସ ଟିକଟ ପାଇଁ ଅନ୍ୟତମ ଆଶାୟୀ ବନିତା ଦାସଙ୍କ ଆଶା ମଉଳିଛି । ବନିତା ଆଶାୟି ରହିବା ସହିତ ବିଭିନ୍ନ ସଂଗଠନିକ କାର୍ଯ୍ୟ ମଧ୍ୟ କରୁଥିବାର ନଜରକୁ ଆସୁଥିଲା । ଏବେ ଦଳ କନକଙ୍କ ଉପରେ ଭରସା କରିବା ପରେ ବନିତାଙ୍କୁ ନିରାଶ ହେବାକୁ ପଡିଛି । ବନିତାଙ୍କ ସମର୍ଥକ ମାନେ ଆଗାମି ଦିନରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ କନକଙ୍କୁ ସମର୍ଥନ କରି ନିର୍ବାଚନ ଲଢେଇରେ ସାମିଲ ହେବେ ନା ଦଳ ବିରୋଧରେ ଅନ୍ୟ ଦଳକୁ ପ୍ରତ୍ୟେକ୍ଷ ବା ପରୋକ୍ଷ ସମର୍ଥନ କରିବେ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି । କନକ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଦଳର ଜଣେ ଶଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆସିଛନ୍ତି । ଛାତ୍ରୀ ଜୀବନରୁ କଂଗ୍ରେସ ରାଜନୀତି ସହିତ ଜଡିତ ହୋଇ ୧୯୯୭ ଆଉଁରୀ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ବିଜୟୀ ହୋଇ କନକ ବିଞ୍ଝାରପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବ୍ଲକ ମହିଳା କଂଗ୍ରେସ ସମ୍ପାଦିକା, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦିକା, ଜିଲା ପରାମର୍ଶଦାତା କମିଟି ସଭ୍ୟା, ପ୍ରଦେଶ କଂଗ୍ରେସ କମିଟି ଦଳିତ ସେଲ ସଭ୍ୟା, ରାଜ୍ୟ ସହିଳା କଂଗ୍ରେସ ସମ୍ପାଦିକା, ରାଜ୍ୟ କଂଗ୍ରେସ ଉପସଭାପତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । କନକ ପୂର୍ବରୁ ବାରମ୍ବାର ବିଞ୍ଝାରପୁର ଆସନ ପାଇଁ ଲବିରେ ରହିଥିଲେ ମଧ୍ୟ ଦଳ ତାଙ୍କୁ ସୁଯୋଗ ଦେଇନଥିଲା । ଚଳିତ ଥର ଦଳ ତାଙ୍କୁ ବିଞ୍ଝାରପୁର ବିଧାନସଭା ଆସନରୁ ଲଢିବାର ସୁଯୋଗ ଦେଇଥିବାରୁ କନକ ଓ ତାଙ୍କ ସମର୍ଥକ ମାନେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।