ଶ୍ରୀକ୍ଷେତ୍ରରେ ମହାବିଷୁବ ସଂକ୍ରାନ୍ତି ପାଳିତ

ଶ୍ରୀକ୍ଷେତ୍ରରେ ମହାବିଷୁବ ସଂକ୍ରାନ୍ତି ପାଳିତ


ପୁରୀ :ଉଦ୍ଦୀପନାର ସହ ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ମହାବିଷୁବ ସଂକ୍ରାନ୍ତି ପର୍ବ । ଉକôଳୀୟ ନବବର୍ଷ ଅବସରରେ ହନୁମାନଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ନୂତନ ପଞ୍ଜିକାର ପ୍ରଚଳନ । ବିଭିନ୍ନ ଜାଗାଆଖଡ଼ା ଅନୁଷ୍ଠାନ ପକ୍ଷରୁ ଜାକଜମକରେ ପାଳିତ ହୋଇଛି ପଣାସଂକ୍ରାନ୍ତି ପର୍ବ । ସହରର ସମସ୍ତ ଜାଗା ଆଖଡ଼ା ପ୍ରତୁ୍ୟଷରୁ ହୋଇଉଠିଥିଲା ଚଳଚଞ୍ଚଳ । ବିଭିନ୍ନ ଜାଗାଆଖଡ଼ାରେ ଛୁଟିଥିଲା ପଣା ଓ ଛତୁଆର ମହକ । କ୍ଷୀର, ଖୁଆ, ରାବିଡ଼ି, ବିଭିନ୍ନ ଫଳ ଦ୍ୱାରା ପ୍ରସ୍ତୁତ ପଣା ଏବଂ ଛତୁଆ ମହାବୀରଙ୍କ ଠାରେ ଭୋଗ କରାଯାଇ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ରାମଜୀ ମଠ ନିକଟସ୍ଥ ମହାବୀରଙ୍କ ନିକଟରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ହଣ୍ଡାହଣ୍ଡା କ୍ଷୀର ପଣା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । ସେହିଭଳି ବାରବାଟୀ ଜାଗାରେ ମଧ୍ୟ ପଣା ବଣ୍ଟନ କରାଯାଇଥିଲା । ଘରେ ଘରେ ତୁଳସୀ ଚଉରା ଉପରେ ନଡ଼ିଆ ଚାଞ୍ଚର ଛାମୁଣ୍ଡିଆ ନିର୍ମାଣ କରାଯାଇ ଆମ୍ବଡ଼ାଳ, ବିଭିନ୍ନ ଫଳ, କୋଳି ଓ ଫୁଲରେ ସଜ୍ଜିତ କରାଯାଇଥିଲା । ଚାଞ୍ଚର ମଧ୍ୟ ଭାଗରେ ଟଙ୍ଗାଯାଇଥିଲା ବସନ୍ତରା ଘଡ଼ି । ଘଡ଼ିର ନିମ୍ନଭାଗରେ ଛିଦ୍ର କରାଯାଇ ସେଥିରେ ବନ୍ଧାଯାଇଥିଲା କୁଶ । କ୍ଷୀର, ଚିନି, କଦଳୀ, ନଡ଼ିଆ, କାକୁଡ଼ି, କଷି ଆମ୍ବ ଓଖଇର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ସ୍ୱାଦିଷ୍ଟ ପଣା । ଏଥିସହିତ ଛତୁଆ ଚକଟା ପ୍ରସ୍ତୁତ କରାଯାଇଥିଲା । ବ୍ରାହ୍ମଣମାନେ ଧୂପ, ଦୀପ ଅର୍ପଣ ପୂର୍ବକ ଛତୁଆ ଓ ପଣା ଭୋଗ କରିବା ସହ ମହାବୀରଙ୍କ ନିକଟରେ ସଂକ୍ରାନ୍ତି ହୋମ କରିଥିଲେଃ ବିଭିନ୍ନ ଜାଗା ଆଖଡ଼ା ପକ୍ଷରୁ କର୍ତ୍ତାମାନେ ଏହି ସଂକ୍ରାନ୍ତି ହୋମରେ ସାମିଲ ହୋଇଥିଲେ । ସୁନ୍ଦରା ଜାଗା ମହାବୀର, ଦକ୍ଷିଣଦ୍ୱାର ମହାବୀର, ବାରବାଟୀ ଜାଗା ନୃସିଂହ, ଲୋକନାଥ ରୋଡ଼ ଛପନଛକ ସ୍ଥିତ ମହାବୀର, ରାମଜୀ ମଠ ନିକଟସ୍ଥ ମହାବୀର ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିଥିଲା ।  ପଣା ସଂକ୍ରାନ୍ତି ଅବସରରେ ରାଜନୈତିକ ନେତାମାନେ ମଧ୍ୟ ବିଭିନ୍ନ ଜାଗାଆଖଡ଼ା ପରିଭ୍ରମଣ କରି କୁସ୍ତିବିତ୍ମାନଙ୍କର ସମସ୍ୟା ସଂପର୍କରେ ପଚାରି ବୁଝିବା ସହ  ଆଗାମୀ  ନିର୍ବାଚନରେ ଜୟଯୁକ୍ତ ହେବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୁରୀ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଜଗନ୍ନାଥ ବଲ୍ଲଭ ଜାଗାକୁ ଯାଇ ମହାବୀରଙ୍କୁ ଦର୍ଶନ କରି ଫେରିଥିଲେ । ଶ୍ରୀମନ୍ଦିର ସମ୍ମୁଖକୁ ମଧ୍ୟ ଫୁଲରେ ସଜ୍ଜିତ କରାଯାଇଥିଲା ।  ଅପରାହ୍ନରେ ବିଭିନ୍ନ ମନ୍ଦିରରେ ମହାବୀରଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥିଲା । ବହୁ ଭକ୍ତ ମହାବୀରଙ୍କୁ ଦର୍ଶନ କରିବା ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ ।