ରତ୍ନ ସିଂହାସନ ନିକଟରୁ ହୁଏ ଠାକୁରଙ୍କ ଛେରାପହଁରା
ନୀଳଗିରି: ଜଗତର ନାଥ ଶ୍ରୀଜଗନ୍ନାଥ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ପୂଜା ପାଉଛନ୍ତି । ପ୍ରତିବର୍ଷ ବିଭିନ୍ନ ନିଆରା ପରମ୍ପରାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି । ବାଲେଶ୍ୱର ଜିଲ୍ଲା ଅଧିନ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ଟଣା ବିଧି ରହିଛି । ଏକଦା ନୀଳଗିରି ଏକ ଗଡ଼ଜାତ ରାଜ୍ୟ ଥିଲା । ଗରଡ଼ିଠାରେ କାର୍ଯ୍ୟ କରୁଥିଲା ଏହାର ରାଜଧାନୀ । ତତ୍କାଳୀନ ପୁରୀ ରାଜା ପୁରୁଷୋତ୍ତମ ଦେବ ନୀଳଗିରି ଗଡ଼ଜାତ ରାଜ୍ୟର କୁଡୁମୀ ରାଜା ନାରାୟଣ ବସନ୍ତ ବିରାଟ ଭୁଜଙ୍ଗ ମାନଧାତାଙ୍କୁ ଉତ୍ତର ଓଡ଼ିଶାର ସେନାପତି ଦାୟିତ୍ୱ ଅର୍ପଣ କରିଥିଲେ । ତାଙ୍କର କାର୍ଯ୍ୟ ଦକ୍ଷତା ଓ ଶାସନ କ୍ଷମତା ଦେଖି ସେ ନିଜ ଭଉଣୀ କଲରା ଦେବୀଙ୍କୁ ବସନ୍ତ ବିରାଟଙ୍କ ସହ ବିବାହ ଦେଇଥିଲେ ।
କଲରା ଦେବୀ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିବାରୁ ତାଙ୍କର ଅନୁରୋଧକ୍ରମେ ବିରାଟ ଭୁଜଙ୍ଗ ଗରଡ଼ିଠାରେ ଦଧିବାମନଜିଉଙ୍କୁ ସ୍ଥାପନା କରାଇଥିଲେ । ପରବର୍ତ୍ତୀ ସମୟରେ ନୀଳଗିରି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଦଧିବାମନ ଜୀଉ ଦାରୁଦେବତା ଭାବେ ଅବସ୍ଥାପିତ ହୋଇଥିଲେ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ଠାକୁରଙ୍କର ସମାନ ରୀତିନୀତି ସହ ପ୍ରତିବର୍ଷ ଶ୍ରୀଜୀଉଙ୍କର ରଥଯାତ୍ରା ହୋଇଥାଏ । ମନ୍ଦିର ବାହାରକୁ ଆସି ରଥରେ ଯାତ୍ରା ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତିନି ଠାକୁର । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ଅମଳରେ ୧୭୫୦ ମସିହା ବେଳକୁ ନୀଳଗିରି ରଥଯାତ୍ରା ଆରମ୍ଭ ହୋଇଥିଲା । ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ଗୋଟିଏ ଦିନ ରଥଯାତ୍ରା ପରମ୍ପରା ଚାଲିଥିଲା । ହେଲେ ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଜତ୍ୱ ସମୟରୁ ରଥଯାତ୍ରା ୩ଦିନ ହେଉଛି । ପ୍ରଥମ ଦିନ ପହଣ୍ଡି , ଦ୍ୱିତୀୟ ଦିନ ଅଧା ଏବଂ ତୃତୀୟ ଦିନ ସମ୍ପୂର୍ଣ୍ଣ ରଥ ଟଣା ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାର ବିଧି ରହିଛି । ତେବେ ନୀଳଗିରି ରଥଯାତ୍ରାର ଦୁଇଟି ସ୍ୱାତନ୍ତ୍ର୍ୟ ରହିଛି । କେବଳ ନୀଳଗିରିରେ ରାଜା ରତ୍ନସିଂହାସନ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଛେରାପହଁରା କରିଥାଆନ୍ତି । ସେହିପରି ମହିଳା ଓ ଶିଶୁମାନଙ୍କ ପାଇଁ ଏଠାରେ ନିର୍ମାଣ ହୋଇଥାଏ ସ୍ୱତନ୍ତ୍ର ରଥ ।