ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ 

ଭଦ୍ରକ: ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକର ବାର୍ଷିକ ପ୍ରତିଷ୍ଠା ସମାରୋହ ‘ନେତ ଉଡ଼ାଣ ଉତ୍ସବ’ର ପ୍ରସ୍ତୁତି ସମ୍ପର୍କରେ ଏକ ଜରୁରୀ ବୈଠକ ଭଦ୍ରକସ୍ଥ ବାଲ୍ଗୋପାଲ ମନ୍ଦିର ପରିସରରେ ପରିଚାଳନା ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ସମିତିର ପ୍ରତିଷ୍ଠା ସ୍ମାରକୀ ଓ ନେତ ଉଡ଼ାଣ ସମାରୋହ ଭଦ୍ରକ ଚରମ୍ପା ନିକଟସ୍ଥ ଡଗରାସାହି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ  ହେବାକୁ ସ୍ଥିର କରାଯାଇ କାର୍ଯ୍ୟକ୍ରମମାନ ଗ୍ରହଣ କରଗଲା ।  ଇଂରାଜୀ ନବବର୍ଷ ଜାନୁଆରୀ ପହିଲା ଦିନ ପ୍ରାତଃ ୬ ଘଟିକାରୁ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଶ୍ରୀଜଗନ୍ନାଥଙ୍କ ଷୋଡ଼ଶ ଉପଚାର ପୂଜା ନେତ ଉଡ଼ାଣ ଓ ବିଶ୍ୱଶାନ୍ତି ଯଜ୍ଞ ଦିବା ୧୧ ଘଟିକା ପର୍ଯ୍ୟନ୍ତ କରାଯିବାର ସ୍ଥିର କରାଗଲା । ଦିବା ୧୦ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ସଂକୀର୍ତ୍ତନ ମଣ୍ଡଳୀ କଳାକାରଙ୍କୁ ନେଇ ନଗର ପରିକ୍ରମା, ଦିବ୍ୟ ଚେତନା ଅଭିଯାନ, ଶିଶୁ କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଅପରାହ୍ଣ ୫ ଘଟିକା ପର୍ଯ୍ୟନ୍ତ ଆଧ୍ୟାତ୍ମିକ ସଭା ଓ ସମିତିର ମୁଖପତ୍ର ‘ନୀଳକନ୍ଦର’ ପତ୍ରିକା ଲୋକାର୍ପଣ ଆଦି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା । ଏହି ଆଲୋଚନା ସଭାରେ ସମିତିର ସହପରିଚାଳକ ସୁଦର୍ଶନ ପଣ୍ଡା, ସହ ଆବାହକ ବାବୁଲାଲ ଦାସ, ବରିଷ୍ଠ ଉପଦେଷ୍ଟା ସନେଇ ଶିଅଳ, ବଳରାମ ମହାନ୍ତି, ପ୍ରଶାନ୍ତ କୁମାର ଦେ, ହେମଲତା ବେହେରା ପ୍ରମୁଖ ବହୁ ସଦସ୍ୟ ଯୋଗଦାନ କରିଥିଲେ । ବୈଠକ ପ୍ରାରମ୍ଭରେ ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ଶ୍ରୀଜଗନ୍ନାଥଙ୍କ ସ୍ତୁତି ପାଠ ପୂର୍ବକ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଆଗାମୀ ‘ନେତ ଉଡ଼ାଣ ଉତ୍ସବ’ରେ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ  ।