ଡ଼କାୟତି ପାଠରେ ସ୍ନାତକ

ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ ବିଷୟ ଭଳି ଅପରାଧ ସମ୍ପର୍କିତ ତାଲିମ୍ ଦେବା ପାଇଁ ମଧ୍ୟ ଅନୁଷ୍ଠାନ ଅଛି । ଏହି ଅନୁଷ୍ଠାନ ଗୁଡ଼ିକରେ ମୋଟା ଅଙ୍କର ଚାନ୍ଦା ଦେଇ ପାଠ ପଢ଼ିବାକୁ ପଡ଼େ । ଏଥିରେ ପରୀକ୍ଷା ମଧ୍ୟ ରହିଛି । ଏସବୁ ଶୁଣିଲେ ସହଜରେ ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ଆମ ଦେଶରେ ଏଭଳି ଅନୁଷ୍ଠାନ ମଧ୍ୟ ଅଛି ବହୁ ବର୍ଷ ପୂର୍ବେ ପକେଟ୍ମାର୍ ସମ୍ପର୍କିତ ଶିକ୍ଷା ଦିଆଯିବା ପାଇଁ କଲିକତାର କେତେକ ସ୍ଥାନରେ ଅନୁଷ୍ଠାନ ରହିଥିବା କଥା ଶୁଣାଯାଉଥିଲା । ଏସବୁ ଶୁଣାଯାଉଥିଲେ ବି ସେଭଳି କିଛି ଅନୁଷ୍ଠାନର ଅବସ୍ଥିତି ସମ୍ପର୍କରେ ଲୋକେ କେବେ ସନେ୍ଦହ ପ୍ରକାଶ କରିନାହାନ୍ତି । କାରଣ କଲିକତାର ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରେଳ ଷ୍ଟେସନ୍ ଏବଂ ମେଟ୍ରୋ ଷ୍ଟେସନ୍ ଆଦି ସ୍ଥାନ ଗୁଡ଼ିକରେ ଯେଉଁଭଳି ଭାବରେ ପକେଟ୍ ମାର ହୁଏ ସେସବୁର ବିଶ୍ଳେଷଣ କରିଲେ ସେଠାରେ ପକେଟ୍ ମାର ତାଲିମ୍ କେନ୍ଦ୍ର ରହିଥିବା ଅସମ୍ଭବ ମନେ ହୁଏ ନାହିଁ । ତେବେ ଏବେ ଏକ ଖବର ପ୍ରକାଶ ପାଇଛି ଯେ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଡ଼କାୟତିରେ ସ୍ନାତକ ଡ଼ିଗ୍ରୀ ଦିଆଯିବା ପାଇଁ ଅନୁଷ୍ଠାନ ରହିଛି ଏବଂ ଏଥିପାଇଁ ୨ ଲକ୍ଷ ଟଙ୍କା ଫି' ଧାର୍ଯ୍ୟ କରାଯାଇଛି । ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପଚୋର୍ ତହସିଲ୍ ଅର୍ନ୍ତଗତ ତିନୋଟି ଗ୍ରାମର ପିଲାମାନଙ୍କୁ  ଅପରାଧୀ ହେବା ପାଇଁ ତାଲିମ୍ ଦିଆଯାଉଥିବାର ଖବର ପ୍ରକାଶ ପାଇଛି । 
ଗତ ମାସରେ ରାଜସ୍ଥାନରେ ଏକ ବିବାହ ଉତ୍ସବା ଚାଲିଥିବା ବେଳେ ଦେଢ଼ କୋଟି ମୂଲ୍ୟ ଟଙ୍କାର ଅଳଙ୍କାର ଏବଂ ନଗଦ ଅର୍ଥ ଚୋରି ହୋଇଗଲା । ଏହି ଘଟଣାର ଅନୁସନ୍ଧାନ କରି ପୁଲିସ୍ ଗୋଟିଏ ଗୋଷ୍ଠୀର କିଛି ସଦସ୍ୟଙ୍କୁ ଗିରଫ କରିଲା । ଏହି ଗିରଫଦାରୀ ପରେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଡ଼କାୟତି ତାଲିମ୍ ଦିଆଯାଉଥିବା ସତ୍ୟତା ପ୍ରକାଶ ପାଇଲା । ଏହି ଗାଁ ତିନିଟି ରାଜଧାନୀ ଭୋପାଳ ଠାରୁ ୧୧୭ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏଠାକାର ପିଲାମାନଙ୍କୁ ଚୋରି, ଲୁଟ୍ପାଟ୍, ଡ଼କାୟିତ, ପକେଟ୍ମାର ଆଦି ବିଭିନ୍ନ ପ୍ରକାର ଅପରାଧର ତାଲିମ୍ ଦିଆଯାଏ । ପିଲାଙ୍କୁ ୧୨ ବର୍ଷ ବୟସ ଅତିକ୍ରମ କରିବା ମାତ୍ରକେ ଏ ପ୍ରକାରର ଶିକ୍ଷା ପାଇଁ ଅଭିଭାବକମାନେ ବିଭିନ୍ନ ଅପରାଧିକ ଗ୍ୟାଙ୍ଗ୍ ଲିଡ଼ରମାନଙ୍କୁ ଭେଟି କାହା ନିକଟରେ ତାଲିମ୍ ଦେଲେ ପିଲା ଭଲ ଶିକ୍ଷା ପାଇପାରିବେ ସେ ନେଇ ତାଲିମ୍ଦାତା ଖୋଜିବୁଲନ୍ତି । ଏଥିପାଇଁ ୨ରୁ ୩ ଲକ୍ଷ ଟଙ୍କା ଫି'ଦେବାକୁ ପଡ଼େ । ସେମାନଙ୍କୁ ସେଠାରେ ପକେଟମାର୍, ଚୋରି କରିବା, ଭିଡ଼ ଭିତରେ ବ୍ୟାଗ୍ ଉଠେଇ ନେବା, ଧରା ପଡ଼ିବା ସମ୍ଭାବନା ହେଲେ ଦ୍ରୁତ ଗତିରେ ଦୌଡିÿ ପଳାଇବା ଭଳି ତାଲିମ୍ ସବୁ ଦିଆଯାଏ । ଏ କ୍ଷେତ୍ରରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ନିର୍ଦ୍ଦିଷ୍ଟ ତିନିଟି ଗାଁରେ ଏ ପ୍ରକାରର ତାଲିମ୍ ଦିଆଯାଉଥିଲେ ମଧ୍ୟ ଏ ସମ୍ପର୍କରେ ପୁଲିସ୍ କିଭଳି ସୂଚନା ପାଇପାରୁନଥିଲା ତାହା ଏକ ବଡ଼ ପ୍ରଶ୍ନ । ଏହି ତାଲିମ୍ରେ ବିଭିନ୍ନ ଅପରାଧିକ କୌଶଳ ସହିତ ଆବଶ୍ୟକ ସ୍ଥଳେ ମାଡ଼କୁ ସହିଯିବାର କୌଶଳ ମଧ୍ୟ ଶିକ୍ଷା ଦିଆଯାଇଥାଏ । ବର୍ଷେ ପର୍ଯନ୍ତ ଏ ପ୍ରକାରର ଶିକ୍ଷା ପାଇବା ପରେ ସେମାନଙ୍କୁ ବିଭିନ୍ନ ଅପରାଧିକ ଗ୍ୟାଙ୍ଗ୍ ସହିତ କାମ କରିବାକୁ ପଡ଼େ । ଦେଶରେ ଘଟିଥିବା କେତେକ ବଡ଼ ବଡ଼ ଅପରାଧ ଘଟଣାରେ ଏହି ତିନି ଗାଁର ଅପରାଧୀ ରହିଥିବା ଘଟଣାରୁ ଅପରାଧିକ ତାଲିମ୍ ସମ୍ପର୍କରେ ପୁଲିସ୍ ନିଶ୍ଚିତ ହୋଇଯାଇଛି । ଏହି ତିନିଟି ଗ୍ରାମରୁ ତାଲିମ୍ ପାଇଥିବା ଯୁବକମାନେ ଅଲଗା ଅଲଗା ରାଜ୍ୟରେ ବିବାହ ଉତ୍ସବ ଗୁଡ଼ିକରେ ଅଳଙ୍କାର, ଟଙ୍କା ଆଦି ଚୋରି କରିଥାନ୍ତି । ଏହି ତିନି ଗାଁର ୨ ହଜାର ଲୋକଙ୍କ ନାଁରେ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ୮ ହଜାର କେସ୍ ରୁଜୁ ହୋଇଥିବା ଜଣାପଡିଛି । ଉକ୍ରଟ ବେକାରୀ ମଣିଷକୁ ଏ ଦିଗରେ  ମଧ୍ୟ ନେଇ ଯାଇପାରେ ଏଥିରେ ଆଶ୍ଚର୍ଯ୍ୟ ହେବାର ଆଉ କିଛି ନାହିଁ ।