ମୁନିଋଷିମାନେ କହିଛନ୍ତି କ୍ରୋଧ ମଣିଷର ପରମ ଶତ୍ରୁ, ଏହାକୁ ପରିତ୍ୟାଗ କରିବା ଉଚିତ । କିନ୍ତୁ ସବୁ ମଣିଷଙ୍କ ପାଇଁ କ୍ରୋଧ ପରିତ୍ୟାଗ କରିବା ଏତେ ସହଜ ନୁହେଁ । ଅବଶ୍ୟ ଏକଥା ସତ ଯେ ଯେତେ ବୁଦ୍ଧି, ଜ୍ଞାନ, ସୃଜନଶୀଳତା ଥାଉ କି ଯେତେ ସୁନ୍ଦର ଚେହେରା ଥାଉ, କ୍ରୋଧ ଏସବୁକୁ ନିଷ୍ପ୍ରଭ କରିଦେବ । ଥରେ ଜଣେ ଜ୍ଞାନୀ ଓ ସ୍କୁଲରେ ଭଲ ପାଠ ପଢ଼ୁଥିବା ପିଲା ତାର ସାଙ୍ଗମାନଙ୍କୁ ମନ ଇଛା ଗାଳି ଦେଲା । ସାଙ୍ଗମାନେ ତାଠାରୁ ଦୂରେଇ ଗଲେ । ଏହାର କାରଣ ହେଲା ତାର କ୍ରୋଧ ଓ ସ୍ୱାର୍ଥପରତା ଯେଉଁଥିପାଇଁ ସେ ଅନ୍ୟମାନଙ୍କୁ ସମ୍ମାନ ଦେଉ ନଥିଲା । ଏହା ହୋଇଯିବା ପରେ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ଅବସାଦ ବଢ଼ିଲା । ପରୀକ୍ଷାରେ ଖରାପ ହେଲା । ଶେଷରେ ଜଣେ ଶିକ୍ଷକ ଏକଥା ଜାଣିପାରି ତାକୁ ବୁଝାଇଲେ କ୍ରୋଧର ଭୟାବହତା । କାହାକୁ ଆଘାତ କଲେ ଶରୀରର କ୍ଷତ ଶୀଘ୍ର ଭରିଯିବ, କିନ୍ତୁ ରାଗରେ କାହାକୁ ବାଧିଲା ଭଳି କଥା କହିଲେ ସେ କ୍ଷତ ସାରା ଜୀବନ ବି ରହିଯାଇପାରେ । ଅଯଥାରେ ଅନେକ ଶତ୍ରୁ ବାହାରିବେ । ଏଭଳି ଏକାଧିକ ଲୋକଙ୍କୁ ଯଦି ମାନସିକ ଆଘାତ ହେବ ତେବେ କେତେଥର କାହାକୁ "ଦୁଃଖିତ' ବୋଲି କହି ସ୍ଥିତି ସୁଧାରିବ ? ସାଙ୍ଗସାଥୀ, ଆତ୍ମୀୟସ୍ୱଜନଙ୍କ ସହ ସୁସମ୍ପର୍କ ରକ୍ଷା କରିବାକୁ ହେଲେ ସେମାନଙ୍କ ସୁଖଦୁଃଖରେ ଭାଗିଦାର ହେବାକୁ ପଡ଼ିବ । କାହାର କାର୍ଯ୍ୟ ବା କଥା ଭଲ ନଲାଗିଲେ ମଧ୍ୟ ସହିବାକୁ ପଡ଼ିବ । ତେଣୁ ଅନ୍ୟକୁ ସ୍ନେହ କର ଓ ସମ୍ମାନ ଦିଅ । ତାହା ହିଁ ହେବ ସର୍ବଶ୍ରେଷ୍ଠ ସଫଳତା ।
ବ୍ୟକ୍ତି ନିଜେ ହିଁ ଜାଣି ନଥାଏ, ସେ କେତେବେଳେ କେମିତି କ୍ରୋଧିତ ହୋଇଥାଏ ଓ ଅନ୍ୟ ଉପରେ ଚିଡ଼ିଚିଡ଼ା ପ୍ରକାଶ କରେ । ସବୁ କିଛି ପାଖରେ ଥିଲେ ବି ସେ ଶାନ୍ତିରେ ରହିପାରେ ନାହିଁ । ଏପରି କ୍ରୋଧିତ ହେବା ଯୋଗୁଁ ସେ ବହୁ ଚିନ୍ତାରେ ମଧ୍ୟ ରହେ । ଏମିତି ଅବସ୍ଥାରେ ସେ ଘର ଓ ଅଫିସ ଦୁଇଟି ସ୍ଥାନରେ ମଧ୍ୟ ଚିଡ଼ିଚିଡ଼ା ପ୍ରକାଶ କରେ । ଏପରି ହେବା ଦ୍ୱାରା ସେ ସମସ୍ତଙ୍କର ଅପ୍ରିୟ ହୁଏ । ଆଜିର ଆଧୁନିକ ଜୀବନ ଶୈଳୀରେ ସାଧାରଣତଃ ଯୁବକମାନଙ୍କୁ କ୍ରୋଧ ଭଳି ରୋଗ କାବୁ କରି ରଖିଛି । ଏହା କେବଳ ଯୁବକମାନଙ୍କ କାର୍ଯ୍ୟକୁ ପ୍ରଭାବିତ କରୁଛି ତାହା ନୁହେଁ ବରଂ ଦେଶରେ ଅପରାଧୀଙ୍କ ସଂଖ୍ୟାକୁ ବୃଦ୍ଧି କରୁଛି । କ୍ରୋଧ ଯୁବପିଢ଼ିଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି । ଏହାକୁ ସେମାନେ ନିୟନ୍ତ୍ରଣ କରିପାରୁ ନାହାନ୍ତି । ଏପରି ଧୀରେ ଧୀରେ କ୍ରୋଧ ଏକ ରୋଗରେ ପରିଣତ ହୁଏ । ଛୋଟ ଛୋଟ କଥାରେ ରାଗିବା ଅବା କ୍ରୋଧିତ ହେବା ମାନେ ଆପଣ ମାନସିକ ଅବସାଦ ବା ଡିପ୍ରେସନର ଶିକାର ହୋଇଛନ୍ତି । ଏହା ସିଧାସଳଖ ଭାବରେ ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଏ । ଆଜିର ଯୁବପିଢ଼ି ଟିକେ ରାଗିଗଲେ ପାଗଳ ଭଳି ହୁଅନ୍ତି । ସତେ କି ଯେପରି ସବୁ କିଛି ଧ୍ୱଂସ କରିଦେବେ । ଏହି ସମୟରେ ଆପଣ ଏପରି କାମ କରିପକାନ୍ତି, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କର ବହୁ କ୍ଷତି ହୋଇଥାଏ । ବେଳେବେଳେ କ୍ରୋଧକୁ ସାମାନ୍ୟ ମନାଯାଏ, କିନ୍ତୁ ଅନ୍ୟ କେତେକ ସମୟରେ ଏହା ଭୟଙ୍କର ରୂପ ନିଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବାବେଳେ ଆପଣଙ୍କ ଚେହେରାରେ ମଧ୍ୟ ପରିବର୍ତ୍ତନ ଆଣେ ।
କ୍ରୋଧକୁ ଦୂରେଇବା ବା ଏଥିରେ ବଶୀଭୂତ ନ ହେବା ମୁଖ୍ୟତଃ ନିଜର ଭାବନାକୁ ପ୍ରକାଶ କରିଦେବା ଉଚିତ୍ । ଭାବନାକୁ ମନ ଭିତରେ ଚାପି ରଖିବା ଯୋଗୁଁ କ୍ରୋଧ ଜନ୍ମ ନିଏ । ତେଣୁ ଭାବନାକୁ ପ୍ରକାଶ କରିବା ପାଇଁ ଏକ ଭଲ ବନ୍ଧୁ ବାଛନ୍ତୁ । ଯିଏ ଆପଣଙ୍କ ସମସ୍ତଙ୍କ କଥା ଶୁଣି ଆପଣଙ୍କ ମନକୁ ବୁଝି ପାରୁଥିବ । ସମୟ ସମୟରେ ଆପଣଙ୍କ ବନ୍ଧୁ ତାଙ୍କ ଅଜାଣତରେ କିଛି ଭୁଲ କରିଦିଅନ୍ତି । ଉକ୍ତ ସମୟରେ ସେ ଭୁଲକୁ ବନ୍ଧୁଙ୍କୁ ନଜଣାଇ ତାଙ୍କ ଉପରେ ରାଗିଯାଆନ୍ତି । ଏହାଦ୍ୱାରା ରାଗ ବଢ଼ି ବଢ଼ି ଦିନେ ଭୟଙ୍କର ରୂପ ନିଏ । ତେଣୁ ନିଜର ଭାବନାକୁ ପ୍ରକାଶ କରିଦେଲେ, ଭୁଲଟାକୁ କଥା ଆକାରରେ ଜଣାଇ ଦେଲେ କ୍ରୋଧର ଶୀକାର ହେବାକୁ ପଡ଼ିବ ନାହିଁ । କ୍ରୋଧରେ ଶିକାର ଥିବା ବ୍ୟକ୍ତିମାନେ କିଛି ଲୁଚାଇ ରଖିପାରନ୍ତି ନାହିଁ । ଯେଉଁ କଥାକୁ ବାହାରକୁ ପ୍ରକାଶ କରିବା କଥା ନୁହେଁ କ୍ରୋଧରେ ଥିବା ସମୟରେ ସେ ତାକୁ ପ୍ରକାଶ କରେ । ତା'ସାମନାକୁ ଯେଉଁ ବ୍ୟକ୍ତି ଆସେ ତାକୁ କ୍ରୋଧର ଶୀକାର କରାଏ । ନୂଆ ପିଢ଼ି କ୍ରୋଧକୁ ଏକ ସାମାନ୍ୟ କଥା ଭାବରେ ଗ୍ରହଣ କରିନେଲେଣି । ସେମାନେ ନିଜର ଫାଇଦା ହାସଲ ପାଇଁ ତତ୍ପର ଥବାବେଳେ କ୍ଷତି ସହିବା ସେମାନଙ୍କ ପାଖେ ଆଦୌ ସମ୍ଭବ ନୁହେଁ । ତେଣୁ କ୍ରୋଧ ପ୍ରକାଶରେ ଅନ୍ୟକୁ ଭୟଭୀତ କରି ନିଜର ଫାଇଦାକୁ ହାସଲ କରନ୍ତି । ଏହାଦ୍ୱାରା ସହଜରେ ଫାଇଦା ହାସଲ ହେଉଥିବାରୁ ଯୁବସମାଜ ଏହାକୁ ସ୍ୱଭାବର ଏକ ଅଳଙ୍କାର ବୋଲି ମନେ କରୁଛନ୍ତି । କିନ୍ତୁ ଯୁବବନ୍ଧୁମାନେ ଜାଣିନଥାନ୍ତି ଏହାଦ୍ୱାରା ବ୍ୟକ୍ତିତ୍ୱ କିପରି ନଷ୍ଟ ହୁଏ । କ୍ରୋଧିତ ହେବା ଦ୍ୱାରା କେବଳ ଘର ଓ ଅଫିସର ଲୋକମାନେ ପ୍ରଭାବିତ ହୋଇନଥାନ୍ତି । ବରଂ ଏହାଦ୍ୱାରା କାର୍ଯ୍ୟ ଦକ୍ଷତା ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ଏହି ସମସ୍ୟାର ଶିକାର ହୋଇଥିବା ବ୍ୟକ୍ତିର ସ୍ମରଣଶକ୍ତି ଓ ଏକାଗ୍ରତା କ୍ଷମତା ବି ହ୍ରାସ ହୋଇଥାଏ । କ୍ରୋଧକୁ ଦୂର କରିବା ପାଇଁ ବ୍ୟକ୍ତି ମଦ୍ୟପାନ, ଧୂମପାନ ଇତ୍ୟାଦି ବଦ ଅଭ୍ୟାସ କରେ । ଏହାଦ୍ୱାରା ପରିବାର ଲୋକେ ଅସୁବିଧାରେ ପଡ଼ିବା ସହ ବାହାର ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆପଣ ଭିତରେ କ୍ରୋଧକୁ ସ୍ଥାନ ଦେଲେ, କ୍ରୋଧ ଆପଣଙ୍କ ପରେ ଶାସନ ଚଲାଏ । ଆପଣଙ୍କୁ ଅନିୟନ୍ତ୍ରିତ କରିଦିଏ ।
ବିକ୍ରମ ଦାଶ,ମୋ : ୯୮୬୧୫୭୫୨୩୭