ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର
କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତିର ସଭାପତି ବିଦ୍ୟାଧର ମହାନ୍ତି ନେତୃତ୍ୱ ନେଇଥିବାବେଳେ ଜିଲ୍ଲା ସମ୍ପାଦକ ନାରାୟଣ ପ୍ରାସାଦ ସାହୁ, ଅଭିମନୁ୍ୟ ନାୟକ, ଉପସଭାପତି ଛବିନ୍ଦ୍ର ସ୍ୱାଇଁ, ସବିତା ମହାପାତ୍ର, ଭାରତୀ ମିଶ୍ର, ଜୀବନାନନ୍ଦ ଅଧିକାରୀ, ନିରୂପମା ମହାପାତ୍ର, ଅଞ୍ଜନା ମିଶ୍ରଙ୍କ ସମେତ ଶତାଧିକ ସଂଖ୍ୟାର ଭତ୍ତା ହିତାଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଦରଦାମ ବୃଦ୍ଧି ବଢ଼ୁଥିବା ବେଳେ ବିଭିନ୍ନ ବର୍ଗର ଭତ୍ତା ହିତାଧିକାରୀ ତଥା ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ଦିବ୍ୟାଙ୍ଗ, କଳାକାର ଓ ଅସହାୟ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟିର ନେତାମାନେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୩ ହଜାରରୁ ୩ ହଜାର ୫ଶହ ଟଙ୍କା ସମସ୍ତ ଭତ୍ତା ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିବା ପାଇଁ ଆଜି ବିଡିଓଙ୍କ ଜରିଆରେ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଶତାଧିକ ସଂଖ୍ୟାର ବୃଦ୍ଧବୃଦ୍ଧାମାନଙ୍କୁ ନେଇ କୁଜଙ୍ଗ ବ୍ଲକ ଫାଟକ ସମ୍ମୁଖରେ ଦର ଦାମ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତିର ସଦସ୍ୟମାନେ । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଏହି ଦାବିଗୁଡ଼ିକ ପୂରଣ ନ କରନ୍ତି ତେବେ ଓଡ଼ିଶା ଭତ୍ତା ପ୍ରଦାନ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।