ଟ୍ରକ୍ ପାର୍କିଂରୁ ଚାନ୍ଦା ଆଦାୟ

କାଳିଆପାଣି : କାଳିଆପାଣି ଖଣି ଅଂଚଳରେ ଟ୍ରକ ପାର୍କିଂକୁ ନେଇ ସବୁବେଳେ ସମସ୍ୟା ଲାଗି ରହିଛି । କେବଳ କୁଳିପୋଷି ଠାରେ  ଓଏମସି ଏବଂ ସାରୁଆବିଲି ଠାରେ ଟାଟା କମ୍ପାନୀର ଟ୍ରକ ପାର୍କିଂ ଦୁଇଟିକୁ ଛାଡିଦେଲେ ଅନ୍ୟ କୌଣସି କମ୍ପାନୀଙ୍କର ନିଜସ୍ୱ ଟ୍ରକ ପାର୍କିଂ ନାହିଁ । କିନ୍ତୁ ଓଡିଶା ଖଣି ନିଗମର କଲରଙ୍ଗୀ ଠାରେ ଏକ ଅସ୍ଥାୟୀ ଟ୍ରକ ପାର୍କିଂ ୟାର୍ଡÿ ରହିଛି । ଓଡିଶା ଖଣି ନିଗମର କଲରଙ୍ଗୀ କ୍ରୋମାଇଟ ମାଇନ୍ସ ନିକଟରେ ଥିବା ଏହି ସ୍ଥାନଟିକୁ ସ୍ଥାନୀୟ ଟ୍ରକ ମାଲିକ ପ୍ରତିଦିନ ଶହଶହ ସଂଖ୍ୟାର ଟ୍ରକ ରଖିବାରେ ବ୍ୟବହାର କରିଥାନ୍ତି । ଏହା ପ୍ରାୟ ବିଗତ ୧୦ ବର୍ଷ ଧରି ଚାଲିଆସୁଛି । ବର୍ତମାନ ଏହି ବେଆଇନ ଟ୍ରକ ପାର୍କିଂ ବିରୁଦ୍ଧରେ ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅଭିଯୋଗଟି ହେଲା ଏହି ଟ୍ରକ ପାର୍କିଂଟିକୁ କିଛି ମୁଷ୍ଟିମେୟ ବ୍ୟକ୍ତି ବିଭିନ୍ନ ଅନୈତିକ ଏବଂ ଅସାମାଜିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି । ଟ୍ରକ ପାର୍କିଂରେ ସହସହ ସଂଖ୍ୟାର ଟ୍ରକ ଗୁଡ଼ିକରୁ ପ୍ରତିଦିନ ହଜାର ହଜାର ଟଙ୍କାର ଚାନ୍ଦା ଆଦାୟ କରାଯାଉଛି । ଏଥିପାଇଁ କିଛି ଅସାମାଜିକ ଯୁବକ ଏବଂ ନାବାଳକଙ୍କୁ ନିୟୋଜିତ କରାଯାଉଛି । ଜିଲ୍ଲା ତଥା ଜିଲ୍ଲା ବାହାରର ଟ୍ରକ ଗୁଡ଼ିକରୁ ଉକ୍ତ ଯୁବକ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିଥାନ୍ତି । ଏହାସହିତ ଏଠାରେ ବହୁଳ ପରିମାଣରେ ନିଶା କାରବାର ସହିତ ଅନୈତିକ କାର୍ଯ୍ୟ ହେଉଥିବାର ଅଭିଯୋଗ ଆସିଛି । ପ୍ରକାଶ ଥାଉକି ଉକ୍ତ ସ୍ଥାନଟି ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତା କଡରେ ରହିଛି । ପ୍ରତ୍ୟହ ଶହଶହ ସାଧାରଣ ମହିଳା ପୁରୁଷ ସେହି ବାଟଦେଇ ଯିବାଆସିବା କରିଥାନ୍ତି । ପ୍ରତିଦିନ ଉକ୍ତ ସ୍ଥାନରେ ଗାଡି ମୋଟର ଯାମ ହୋଇଥାଏ ଯାହା ଫଳରେ ସାଧାରଣ ଜନତା ଭିଷଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଆସୁଛି ଯେ ଏହି ସ୍ଥାନଟିକୁ ଓଡିଶା ଖଣି ନିଗମ କାହିଁକି ବେଆଇନ ଭାବେ ଟ୍ରକ ପାର୍କିଂ କରିବାକୁ ଅନୁମତି ଦେଇଛି? ପ୍ରତିଦିନ ହଜାର ହଜାର ଟଙ୍କାର ବେଆଇନ ଚାନ୍ଦା କାହା ଇସାରାରେ ଚାଲିଛି ଏବଂ ତାହା କାହା ପକେଟ ଗରମ ହେଉଛି । ସୂଚନା ଥାଉକି ଗତ ୨ସପ୍ତାହ ପୂର୍ବେ ମୁଖ୍ୟ ସଚିବ କାଳିଆପାଣି ଖଣି ଅଂଚଳ ଗସ୍ତ କରିଥିବା ସମୟରେ ଏସମ୍ବନ୍ଧରେ ଓଡିଶା ଖଣି ନିଗମ ଅତିଥିଭବନରେ ଅଧିକାରୀ ମାନଙ୍କୁ ପ୍ରଶ୍ନ କରିଥିଲେ । ଯାହାକୁ ଅଧିକାରୀମାନେ ଚତୁରତାର ସହିତ ଏଡେଇ ଦେଇଥିଲେ । ଦେଖିବାକୁ ବାକି ରହିଲା ଜିଲାପାଳଙ୍କୁ ହୋଇଥିବା  ଅଭିଯୋଗର ଫଳାଫଳ କଣ ଆସୁଛି ।