ନରେନ୍ଦ୍ରନାଥ ସ୍ମୃତି ଟ୍ରଷ୍ଟର ବାର୍ଷିକୋତ୍ସବ

 ବାଲିପାଟଣା : ସୋମାଣା ଶାସନ ଗ୍ରାମ ପଞ୍ଚାୟତର ବରଦାପଡ଼ା ସ୍ଥିତ ସନ୍ ଫ୍ଲାୱର୍ କଲ୍ୟାଣ ମଣ୍ଡପ ଠାରେ ସ୍ୱର୍ଗତ ନରେନ୍ଦ୍ରନାଥ ଦାଶଙ୍କ ସ୍ମୃତିରେ ଗଠିତ ନରେନ୍ଦ୍ରନାଥ ସ୍ମୃତି ଟ୍ରଷ୍ଟର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି  କାର୍ଯ୍ୟକ୍ରମରେ ଅତିଥି ଭାବରେ ଅର୍ଯ୍ୟ ସମାଜର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଛତିଆ ସିଦ୍ଧଗିରି ଆଶ୍ରମର ମହନ୍ତ ବାବା ବିଶ୍ୱନାଥ ମହାରାଜ, ସହକାରୀ ଶ୍ରମ ଅଧିକାରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନରେନ୍ଦ୍ର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟର ଉପଦେଷ୍ଟା ରସାନନ୍ଦ ପରିଡ଼ା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଟ୍ରଷ୍ଟର ସମ୍ପାଦିକା ସୁନନ୍ଦା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ ସାଇ ଇଣ୍ଟିଗ୍ରାଲ ସ୍କୁଲର ଛାତ୍ରୀ ଶିବାନୀ ପାଇକରାୟ ଚିତ୍ତାକର୍ଷକ ଯୋଗ ପ୍ରଦର୍ଶନ ଓ ସାଇ ସ୍ମରଣିକା ମିଶ୍ର, ଆହାନା ହଂଶିକା ସାହୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ମାଟ୍ରିକ ପରୀକ୍ଷାରେ ବ୍ଲକସ୍ତରରେ ଶ୍ରେଷ୍ଠ  ହୋଇଥିବା ମୋନାଲିସା ଆଚାର୍ଯ୍ୟ, ବିଭୁପ୍ରସାଦ ମହାପାତ୍ର ଓ ଶାଶ୍ୱତୀ କୁଣ୍ଡୁଙ୍କୁ ପ୍ରମାଣପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡ.ରଘୁନାଥ ମିଶ୍ର, ଭଗବାନ ସାହୁ, ପ୍ରଶାନ୍ତ ବିଶ୍ୱାଳ, ନିରଞ୍ଜନ ନାୟକ, ଗୋବିନ୍ଦ ବେହେରା, ରବୀନ୍ଦ୍ର ପାଳ, କୃଷ୍ଣଚନ୍ଦ୍ର ଦାସ ଓ ହରେକୃଷ୍ଣ ଜେନାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦିଲ୍ଲୀପ ରଥ, ଶୁଭେନ୍ଦୁ ଦାଶ ଓ ଶୈଲେନ୍ଦୁ ଦାଶ ପରିଚାଳନା କରିଥିଲେ ।