ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା ; ରାସ୍ତା ଅବରୋଧ କଲେ ମାଙ୍କିଡିଆ ବସ୍ତି ବାସିନ୍ଦା
କାଳିଆପାଣି : ମାଙ୍କିଡିଆ ବସ୍ତି ଭିତରେ ପାଚେରି ଭଙ୍ଗାକୁ ନେଇବସ୍ତିର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରେ ବସିଥିଲେ । କାଳିଆପାଣି ଖଣି ଅଞ୍ଚଳର ଦୁର୍ଗାପୂଜା ପଡିଆ ଏବଂ ମାଙ୍କିଡିଆ ବସ୍ତିର ଖେଳ ପଡିଆକୁ ବେଆଇନ ଭାବେ ଟ୍ରକ ପାର୍କିଂକୁ ନେଇ ଏହି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି । ସୂଚନା ମୁତାବକ ରବିବାର ସୌରିକ ସାର୍ବଜନୀନ ଦୁର୍ଗାପୂଜା ପଡିଆ ଏବଂ ମାଙ୍କିଡିଆ ମାନଙ୍କ ଖେଳ ପଡିଆରେ ହଜାର ହଜାର ଟ୍ରକ ପାର୍କିଂ କରିଥିଲେ । ଯେଉଁ ଟ୍ରକ ଗୁଡିକ ବିଳମ୍ବରେ ସେଠାକୁ ପହଁଚିଥିଲେ ସେମାନଙ୍କ ପାଇଁ ଟ୍ରକ ପାର୍କିଂ କରିବା ସମ୍ଭବ ହୋଇନଥିଲା । ତେଣୁ କିଛି ଅମାନିଆ ଟ୍ରକ ଡ୍ରାଇଭର ମାଙ୍କିଡିଆ ବସ୍ତି ଭିତରେ ଥିବା ଗାଁ ଦାଣ୍ଡରେ ଟ୍ରକ ଗୁଡ଼ୁକୁ ପଡିଆର ପଛପଟୁ ପ୍ରବେଶ କରିବା ପାଇଁ ନେଇଥିଲେ । ସେଇ ଅଣଓସାରିଆ ଗାଁ ଦାଣ୍ଡରେ ଟ୍ରକ ଗୁଡିକୁ ନେବା ବେଳେ ମାଙ୍କିଡିଆ ବସ୍ତିର କିଛି ଲୋକଙ୍କ ଘର ପାଚେରି ଭାଙ୍ଗି ଦେଇଥିଲେ । ତାସହିତ ଗାଁ ଦାଣ୍ଡ କଡରେ ଥିବା ପିଇବା ପାଣିର ପାଇପ ଗୁଡିକୁ ଟ୍ରକ ଚକାରେ ଚାପି ଫଟେଇ ଦେଇଥିଲେ । ପାଚେରିି ଭାଙ୍ଗିବାକୁ ନେଇ ପ୍ରତିବାଦ କରିବାରୁ ଡ୍ରାଇଭର ମାନେ ମାଙ୍କିଡିଆ ମାନଙ୍କୁ ଅପଶବ୍ଦ କହିବା ସହିତ ଧମକାଇ ଦୁର୍ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ ଶହଶହ ମହିଳା ଏବଂ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟମକା-ମଙ୍ଗଳପୁର ରାଜକୁ ଦୀର୍ଘ ୨ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ପରିଣାମ ସ୍ୱରୂପ ହଜାର ହଜାର ଗାଡି ମୋଟର ରାସ୍ତାର ଉଭୟ ଦିଗରେ ଠିଆ ହେବାକୁ ବାଧ୍ୟ ହୋଇଥିଲା । କେବଳ ୨ଚକିଆ ମୋଟର ସାଇକେଲ ଏବଂ ଆମ୍ବୁଲାନ୍ସକୁ ଯିବାର ଅନୁମତି ଦେଇ ଦୀର୍ଘ ସମୟ ଧରି ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । କାଳିଆପାଣି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଲୋକ ମାନଙ୍କ ଅଭିଯୋଗ ଶୁଣିଥିଲେ ଏବଂ କ୍ଷତି ଗ୍ରସ୍ତ ଲୋକଙ୍କ ଘରବାରୀ ବୁଲି ଦେଖିଥିଲେ । ଏହାର ସ୍ଥାୟୀ ସମାଧାନ ନିମନ୍ତେ ମାଙ୍କିଡିଆ ବସ୍ତିର ସମସ୍ତ ମହିଳା ଏବଂ ପୁରୁଷ କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇଥିଲେ । କାଳିଆପାଣି ଥାନାର ଭାରପ୍ରାପ୍ତ ଅଧିକାରୀ ଶିବଚରଣ ବେହେରାଙ୍କ ଉପସ୍ଥିତିରେ ଉଭୟ ମାଙ୍କିଡିଆ ବସ୍ତି ବାସିନ୍ଦା ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଗଣ ଏହାର ସମାଧାନ ଉପରକୁ ଆସିଥିଲେ । ଥାନାରେ ଚୁକ୍ତିନାମା ଅନୁଯାଇ ଆଜିଠାରୁ ମାଙ୍କିଡିଆ ପଡିଆରେ ଆଉ କୌଣସି ଟ୍ରକ ପାର୍କିଂ କରିପାରିବେ ନାହିଁ ଏବଂ ଗତ ରାତିରେ ଯେଉଁ ମାନଙ୍କର ଘର ପାଚେରି ଭାଙ୍ଗିଛି ତାକୁ ଟ୍ରକ ଆସୋସିଏସନ ତରଫରୁ ୨୦ଦିନ ମଧ୍ୟରେ ମରାମତି କରିବାକୁ ସହମତି ଦେଇଥିଲେ ।