କେଇସି ଠିକା ସଂସ୍ଥା ପାଇଁ ଦାନଗଦୀ ବ୍ଲକରେ ଜଳ ଯାତନା ଭୋଗୁଛନ୍ତି ଜନତା

କାଳ ବୈଶାଖି ପାଇଁ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି ସତ କିନ୍ତୁ ଖରାର ପ୍ରକୋପ ପୁଣି ବଢ଼ିବ । ଗ୍ରୀଷ୍ମ ପୂର୍ବରୁ ସମୀକ୍ଷା ପରେ ସମୀକ୍ଷା ବୈଠକ ବସୁଛି ସତ କିନ୍ତୁ ସମୟ ଅବଧିରେ କୌଣସି କାମ ସରୁନାହିଁ । ବିଶେଷ କରି ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ଉପରେ ହେଉଥିବା ସମୀକ୍ଷାରେ ମେଗା ପ୍ରକଳ୍ପ କାର୍ଯ୍ୟ କଥା ହେଉ କି ଗାଁ ଗାଁରେ ଅଚଳ ନଳକୂପ ମରାମତି କରିବା ଉପରେ ଆଲୋଚନା ହେଉଥିଲେ ହେଁ ତାହା କେବଳ ଆଲୋଚନାରେ ସିମିତ ରହିଯାଉଛି ।
ଫଳରେ ଅନେକ ପଞ୍ଚାୟତ ଗ୍ରୀଷ୍ମଦିନେ ଜଳକଷ୍ଟ ଭୋଗିଥାନ୍ତି । ଦାନଗଦୀ ବ୍ଲକରେ ମଧ୍ୟ ଅନେକ ପଞ୍ଚାୟତ ଜଳକଷ୍ଟ ଭୋଗୁଛନ୍ତି । ବ୍ଲକବାସୀଙ୍କୁ ଘରେ ଘରେ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ତାହା ଅବଧି ମଧ୍ୟରେ ଶେଷ ହୋଇନପାରିବା ଏହାର ପ୍ରମୂଖ କାରଣ ହୋଇଛି । ବିଭାଗୀୟ ଅଧିକାରୀଙ୍କ କହିବା କଥା ଚଣ୍ଡିଖୋଲରେ ହୋଇଥିବା ବୈଠକରେ କେ.ଇ.ସି ଠିକାସଂସ୍ଥାର ଅଧିକାରୀ ସୂଚନା ଦେଇଥିଲେ କି ଦାନଗଦୀ ବ୍ଲକ ରାଛିପୁରରେ ନିର୍ମାଣଧୀନ ଜଳ ବିଶୋଧକ କାରଖାନା କାମ ସାରିବାକୁ ମେ ମାସ ଶେଷ ପର୍ଯ୍ୟନ୍ତ ଲାଗିବ । ପାଣି ଲୋକେ ପାଇବେ ନଭେମ୍ବର ମାସ ଆଡକୁ । ଅତଏବ ଏବର୍ଷ ଖରାଦିନେ ପାଣି ମିଳିବ । କିନ୍ତୁ ସମୀକ୍ଷା ବୈଠକରେ ଠିକାସଂସ୍ଥା ଦେଇଥିବା ସୂଚନା ତାହା ମିଛ ଥିଲା ବୋଲି ଅଭିଯୋଗ ହୁଏ । ମେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବିଳମ୍ବ ଘଟୁଥିବାରୁ ସବୁଆଡେ ଲୋକେ ଡାକିଲେଣି ତ୍ରାହିତ୍ରାହି । ପାଣି ମୁନେ୍ଦ ପାଇଁ ହେଲେଣି ଡହଳ ବିକଳ । ଦାନଗଦୀ ବ୍ଲକର ବାସିନ୍ଦା ଗ୍ରୀଷ୍ମରେ ଜଳ କଷ୍ଟର ଯେଉଁ ଭୋଗୁଛନ୍ତି ତାର ମୁଖ୍ୟ କାରଣ ହେଲା ଶିଳ୍ପାଞ୍ଚଳରେ ଭୁତଳ ଜଳର ବହୁଳ ମାତ୍ରାରେ ବ୍ୟବହାର । ଭୂତଳ ଜଳ ବ୍ୟବହାର କାରଣରୁ ଜଳରସ୍ତର କମି କମି ଯାଉଛି । କୂଅ, ପୋଖରୀ, ନଳକୂପ, ନଦୀ, ନାଳ ଶୁଖିବା ଆରମ୍ଭ କଲାଣି । ବିଗତ ବର୍ଷ ମାନଙ୍କରେ ଜଳ କଷ୍ଟ ଦେଖି ଦାନଗଦୀ ବ୍ଲକରେ ଟ୍ୟାପ ଯୋଗେ ଯେଉଁ ପାନୀୟ ଜଳ ଯୋଗାଣ ମେଗା ପ୍ରକଳ୍ପ ହାତକୁ ନିଆଯାଇଥିଲା ତାହା ଏବେ ଅଧା କାମ ମଧ୍ୟ ସରିନାହିଁ । ସମୀକ୍ଷା ବୈଠକରେ ଘୋଷଣା ହୋଇଥିଲା ଯେ ମାର୍ଚ୍ଚ ଆରମ୍ଭରୁ ପାଣି ସବୁ ପଞ୍ଚାୟତରେ ମିଳିଯିବ ତାହା କିନ୍ତୁ ଏବେ ମରୀଚିକା ପାଲଟିଛି । ଦାନଗଦୀ ବ୍ଲକର ୧୦୪ଟି ରାଜସ୍ୱ ଗ୍ରାମର ୧ଲକ୍ଷ ୬୦ହଜାର ଲୋକଙ୍କ ପାଇଁ ୨୪ଘଣ୍ଟିଆ ଜଳ ଯୋଗାଣ ପାଇଁ ୧୪୦ କୋଟି ଅନୁଦାନ ଯୋଗାଇ ଦିଆଯାଇଥିଲା । ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମ କେ.ଇ.ସି ନାମକ ଠିକାସଂସ୍ଥା ଦାୟିତ୍ୱ ନେଇ ୨୦୨୪ ସୁଦ୍ଧା ସାରିବା ପାଇଁ ଚୁକ୍ତି ହୋଇଥିଲା । କିନ୍ତୁ ବାରମ୍ବାର ସମୀକ୍ଷା ବୈଠକ କରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତାଗିଦ କରିଥିଲେ ଏହି ବର୍ଷ ମାର୍ଚ୍ଚ ମାସ ଖରା ଦିନରେ ଲୋକଙ୍କୁ ପାଣି ଯୋଗାଇ ଦେବା ପାଇଁ କିନ୍ତୁ ଏହି ଠିକା ସଂସ୍ଥା ଯେପରି କଚ୍ଛପ ଗତିରେ କାମ କରୁଛି ତାହା ସମ୍ପୂର୍ଣ୍ଣ ହେବାକୁ ୨୦୨୫ ହୋଇଯିବା ପରି ଲାଗୁଛି । ଏବେ ମଧ୍ୟ କେତୋଟି ପଞ୍ଚାୟତରେ ପାଇପ୍ ବିଛା କାମ ଚାଲିଛି । ଠିକାସଂସ୍ଥା ପାଇପ ବିଛା କାମ ସରିନାହିଁ ପେଟି ଠିକାଦାର କହିବା କଥା ଆମେ କାମ ବିଳମ୍ବ କରିବାର କାରଣ ଠିକ୍ ସମୟରେ ଟଙ୍କା ଆମକୁ ମିଳୁନାହିଁ ଆଉ କିଛି ଗାଁରେ ସହଯୋଗ ମିଳୁନାହିଁ । ଅନ୍ୟପଟେ୨୩ ଗୋଟି ପଞ୍ଚାୟତ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣରେ ଲୋକଙ୍କୁ ପାଣି ମୁନେ୍ଦ ମିଳିପାରିଲା ନାହିଁ । ବ୍ଲକର ମୋଟ ୨୧ଟି ଓଭର ହେଡ ଟାଙ୍କି ଅଛି । ଅଧିକାଂଶ ଓଭର ହେଡ୍ÿଟାଙ୍କି ଅଚଳ ଅବସ୍ଥାରେ, ବାସ୍ତବରେ ଦେଖିବାକୁ ଗଲେ ସରକାରଙ୍କର ଜଳ ଯୋଗାଣ ପାଇଁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହା କାର୍ଯ୍ୟକାରୀ ହେବା ପାଇଁ ବିଳମ୍ବ ହେବା, ପ୍ରତିବର୍ଷ ପରି ଚଳିତ ବର୍ଷ ପାନୀୟ ଜଳ ଟିକେ ପାଇଁ ବ୍ଲକ ଅଧିବାସୀ ହୀନସ୍ତା ହେବା ନିଶ୍ଚିତ ଜଣାପଡ଼ିଲାଣି । ଦାନଗଦୀ ବ୍ଲକର ୨୩ ଗୋଟି ପଞ୍ଚାୟତରେ ମୋଟ୧୫୦୬ଟି ନଳକୂପ ଅଛି ସବୁ ଗୁଡିକ ଠିକ ଭାବେ ଚାଲୁନାହିଁ । ମୁଖ୍ୟତଃ ଖରାଦିନେ ସବୁ ନଳକୂପ ଗୁଡିକ ପାଣି ବାହାରେ ନାହିଁ । ସବୁଠାରୁ ଦୁର୍ଭାଗ୍ୟର କଥା ଏତେ ଗୁଡିଏ ନଳକୂପ ମରାମତି ପାଇଁ ଆବଶ୍ୟକ ସଂଖ୍ୟାରେ ମେକାନିକ କି କର୍ମଚାରୀ ନାହାନ୍ତି । ମାତ୍ର ଦୁଇଜଣ କର୍ମଚାରୀ ନଳକୂପ ମରାମତି ପାଇଁ ଅଛନ୍ତି । ଏତେ ବଡ଼ ବ୍ଲକରେ ଜଳ ସମସ୍ୟା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଅଭିଯୋଗ କଲେ କର୍ମଚାରୀ ଅଭାବରୁ ମରାମତି ପାଇଁ ବହୁତ ବିଳମ୍ୱ ହେଉଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ଜିଲାପାଳ ଏସବୁ ପ୍ରତି ଦୃଷ୍ଟି ଦେଇ ଶୀଘ୍ର ସମାଧାନର ରାସ୍ତା ବାହାର କରିବାକୁ ଦାବି କରାଯାଇଛି । ନଚେତ ଆଗକୁ ଅଞ୍ଚଳବାସୀ କଠିନ ଜଳକଷ୍ଟ ଭୋଗିବେ ଏଥିରେ ତିଳେ ମାତ୍ର ସନେ୍ଦହନାହିଁ ।