ଡାଲି ଜାତୀୟ ଫସଲ ନଷ୍ଟ ଆଶଙ୍କାରେ ଚାଷୀ

ଗୋଳାମୁଣ୍ଡା:  ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବରେ ବର୍ଷା ପାଗ ଲାଗି ରହିଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ରାତ୍ରିଠାରୁ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଫଳରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଝିପି ଝିପି ବର୍ଷା ପାଇଁ ଧାନ ଓ କପା ଚାଷୀ ଚିନ୍ତାରେ ଥିବାବେଳେ ବ୍ଲକରେ ଡାଲି ଜାତୀୟ ଫସଲ ମୁଗ, କୋଳଥ, କାନ୍ଦୁଲ ଚାଷ କରିଥିବା ଚାଷୀ ମଧ୍ୟ ଚିନ୍ତାରେ ଅଛନ୍ତି । ଏପରି ପାଗରେ ମୁଗ, କୋଳଥ, କାନ୍ଦୁଲ ଅନେକାଂଶରେ ପ୍ରଭାବିତ ହେବ ବୋଲି କହିଛନ୍ତି ବ୍ଲକର ଚାଷୀମାନେ । ବର୍ତ୍ତମାନ ଅନେକ କାନ୍ଦୁଲ ଗଛରେ ଫୁଲ ଧରି ଫଳ ଧରିବାକୁ ଲାଗିଥିବା ବେଳେ ଏମିତି ପାଗ କାନ୍ଦୁଲ ଗଛ ପାଇଁ ଅନୁକୁଳ ନୁହେଁ । ଏମିତି ପାଗରେ ଫୁଲ ଝଡି ଯିବା ସହିତ କାନ୍ଦୁଲରେ ପୋକ ଲାଗିଥାଏ । ଫଳରେ କାନ୍ଦୁଲର ଚାଷ ନଷ୍ଟ ହେବା ଆଶଂକାରେ ଅଛି ଚାଷୀ । ଅପର ପକ୍ଷରେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ଅନେକ ଜମିରେ ଧାନ ଚାଷ ହୋଇ ନଥିବା ବେଳେ ଏହି ସବୁ ଜମିରେ ଚାଷୀ ମୁଗ ଓ କୋଳଥ ଚାଷ କରିଛି ।  କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିବା ଯୋଗୁଁ ମୁଗ ଓ କୋଳଥ ଚାଷ ଜମି ମାନଙ୍କରେ ବର୍ଷା ପାଣି ଜମି ରହିଛି । ପାଣି ଜମି ରହିବା ହେତୁ ଚାଷ ସଢ଼ି ଯିବା ଓ ପୋକ ଲାଗି ନଷ୍ଟ ହେବା ଆଶଂକାରେ ଅଛି ଚାଷୀ । ଚାଷୀ ଡାଲି ଜାତୀୟ ଚାଷ କରି ଦୁଇ ପଇସା ରୋଜଗାର କରିବାର ଆଶାରେ ଥିବା ବେଳେ ଅଦିନିଆ ବର୍ଷା ସବୁ ଆଶାକୁ ନିରାଶାରେ ପରିଣତ କରିଛି ବୋଲି ଚାଷୀ ମହଲରୁ ପ୍ରକାଶ । ଜିଲ୍ଲା ପ୍ରଶାସନ ଗୋଲାମୁଣ୍ଡା ବ୍ଲକରେ ଡାଲି ଜାତୀୟ ଚାଷର ଏକ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।