ଶ୍ରୀମନ୍ଦିରରେ ଝୁଲଣ ପରମ୍ପରା

ଅଲେଖ ଚନ୍ଦ୍ର ସାମଲ :  ଭାରତବର୍ଷର ଅଧିକାଂଶ ପର୍ବ ପୁରାଣ ବର୍ଣ୍ଣିତ ଓ କିମ୍ବଦନ୍ତୀ ଅନ୍ତରାଳରେ ସମ୍ବଳିତ ହୋଇଥିବା ହେତୁ ପ୍ରତ୍ୟେକ ଉତ୍ସବର କିଛି ଆଧ୍ୟାତ୍ମିକ ତଥା ଧାର୍ମିକ ଗୁରୁତ୍ୱ ରହିଛି । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଭୂମି ବ୍ରଜଭୂମି ବୃନ୍ଦାବନରେ ଏହି ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୁଏ । କୁହାଯାଏ ଆଜକୁ ପାଞ୍ଚ ହଜାର ବର୍ଷ ଧରି ବୃନ୍ଦାବନରେ ଶ୍ରୀରାଧାକୃଷ୍ଣଙ୍କର ପବିତ୍ର ଝୁଲଣ ଯାତ୍ରା ଉତ୍ସବ ଖୁବ ଜାକଜମକରେ ପାରମ୍ପରିକ ରୀତି ନୀତିରେ ପାଳିତ ହେବା ଲକ୍ଷ୍ୟ କରାଯାଏ । ବୃନ୍ଦାବନରେ ଏହି ପ୍ରସିଦ୍ଧ ଝୁଲଣ ଯାତ୍ରା ଦୀର୍ଘ ତେର ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥାଏ । ବୃନ୍ଦାବନ ଓ ତାହାର ଆଖପାଖ ଅଞ୍ଚଳରେ ଭାରତ ତଥା ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏହି ଝୁଲଣ ଯାତ୍ରାକୁ ଆସି ବେଶ୍ ଉପଭୋଗ ମଧ୍ୟ କରିଥାନ୍ତି । ବୃନ୍ଦାବନରେ ଠାକୁରମାନେ ଝୁଲୁଥିବା ଦୋଳି ଗୁଡ଼ିକ କେଉଁଠାରେ ବିଭିନ୍ନ ପୁଷ୍ପ ଦ୍ୱାରା ତ କିଛି ମନ୍ଦିରରେ ଦୋଳି ଗୁଡ଼ିକ ରୂପା ଓ ସୁନାରେ ନିର୍ମିତ ହୋଇଥାଏ । ବୃନ୍ଦାବନରେ ଥିବା ପ୍ରସିଦ୍ଧ ଶ୍ରୀବାଙ୍କେବିହାରୀ ମନ୍ଦିର, ଶ୍ରୀରାଧାରମଣ ମନ୍ଦିର, ମଥୁରାର ଶ୍ରୀଦ୍ୱାରକାଧିଶୀ ମନ୍ଦିର, ଲାଡ଼ଲୀଲାଲ ଏବଂ ପୁରୀ ଶ୍ରୀମନ୍ଦିରରେ ଶ୍ରାବଣର ଏହି ପବିତ୍ର ଝୁଲଣଯାତ୍ରା ଦେଖିବାକୁ ଭକ୍ତ ମାନଙ୍କ ପ୍ରବଳ ଜନସମାଗମ ହୁଏ । ବୃନ୍ଦାବନର ଘଞ୍ଚ କୁଞ୍ଜବନର ବର୍ଷା ଭିଜା ଆକାଶ ଶ୍ରାବଣରେ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିଥାଏ । ଭରା ଯମୁନାର କୂଳେ କୂଳେ ବର୍ଷ ଦିନିଆ ଫୁଲମାନେ ଜୁଇ, ଜାଇ, ଚମେଲୀ, ମାଧବୀ ଫୁଲ ମଧ୍ୟରେ ଛାଇ ଯାଇଥାନ୍ତି । ସମଗ୍ର ପରିବେଶ ଜୀବନ୍ତ ହୋଇଉଠେ ଯେତେବେଳେ ବୃନ୍ଦାବନର ପ୍ରତ୍ୟେକ ମଠରେ, ଘରେ, ମନ୍ଦିରରେ ଓ କୁଞ୍ଜବନରେ ରାଧାରାଣୀ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ସହିତ ଆକର୍ଷଣୀୟ ଝୁଲଣରେ ଦୋଳି ଖେଳନ୍ତି । ବୃନ୍ଦାବନର ସାରା ପରିବେଶ ରାଧେ ରାଧେ ଅମୃତ ନାମାମୃତରେ ପବିତ୍ର ହୋଇଉଠେ ଝୁଲଣ ଯାତ୍ରାର ଏହି ତେର ଦିନ ।
ଶ୍ରାବଣ ମାସର ପୂର୍ଣ୍ଣିମା ହେଉଛି ଗହ୍ମା ପୂର୍ଣ୍ଣିମା । ଏହାକୁ ବଳରାମଙ୍କ ଜନ୍ମ ତିଥି ଭାବେ ଗ୍ରହଣ କରାଯାଇଛି । ସେ ଚାଷୀ କୁଳର ପ୍ରତୀକ ତଥା ଗୋ ଜାତିର ପାଳନ କର୍ତ୍ତା । ତେଣୁ ଏହି ଦିନରେ ଗାଈଗୋରୁଙ୍କୁ ମଧ୍ୟ ପୂଜା କରାଯାଏ । ଏକମତ ଅନୁଯାୟୀ, ଗୋପୂର୍ଣ୍ଣିମାର ଅପଭ୍ରଂଶ ହେଉଛି ଗହ୍ମା ପୂର୍ଣ୍ଣିମା । ପୁଣି ଏହାକୁ ରାଖୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କିମ୍ବଦନ୍ତୀ କହେ, କୁନ୍ତୀ ମାତା, ଏହି ଦିନରେ ପଞ୍ଚପୁତ୍ରଙ୍କୁ କୌରବଙ୍କ ବିଷ ଦୃଷ୍ଟିରୁ ରକ୍ଷା କରିବା ଉଦେ୍ଦଶ୍ୟରେ, ଶ୍ରୀକୃଷ୍ଣଙ୍କ ହାତରେ ରାଖି ବାନ୍ଧି, ତାଙ୍କ ଅନୁଗ୍ରହ ଭିକ୍ଷା କରିଥିଲେ । ଏହି ଦିନର ଅନ୍ୟ ଏକ ଆକର୍ଷଣ ହେଉଛି ଝୁଲଣ ଯାତ୍ରା । ଶ୍ରାବଣ ଶୁକ୍ଳ ପକ୍ଷ ଏକାଦଶୀରେ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣିମାରେ ଶେଷ ହୁଏ । ଆମ ରାଜ୍ୟର କ୍ଷତ୍ରିୟମାନେ ଏହି ଦିନରେ ଯଜ୍ଞ ଉପବୀତ ବଦଳାନ୍ତି । ଆଗ କାଳରେ ପାଇକମାନେ ଏହି ଦିନକୁ ଅତି ଶୁଭ ମନେକରି, ପିଲାଙ୍କର ଯୁଦ୍ଧବିଦ୍ୟା ଶିକ୍ଷା ଆରମ୍ଭ କରୁଥିଲେ । ଏହି ଅବସରରେ ପାଇକ ପିଲାମାନେ ପ୍ରଥମେ ଉଚ୍ଚ ସ୍ଥାନରୁ ତଳକୁ ଡେଉଁଥିଲେ । ସୁଉଚ୍ଚ ସ୍ଥାନକୁ ତଳକୁ ଡେଇଁବାକୁ ଗହ୍ମା ଡିଅାଁ । ଯେଉଁମାନେ କୃତକାର୍ଯ୍ୟ ହେଉଥିଲେ, ସେମାନଙ୍କୁ ପାଇକ ହେବା ପାଇଁ ତାଲିମ ଦିଆଯାଉଥିଲା ।  ଓଡ଼ିଶାର କୋଣ ଅନୁକୋଣରେ ଥିବା ପ୍ରାୟ ସମସ୍ତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଝୁଲଣ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ । ପ୍ରତ୍ୟେକ ମନ୍ଦିର ପରିସରରେ ସୁସଜ୍ଜିତ ଦୋଳି ନିର୍ମାଣ କରାଯାଇ ଠାକୁର ମାନଙ୍କୁ ରୀତିନୀତିରେ ଭକ୍ତମାନେ ଝୁଲାଇ ଥାଆନ୍ତି । ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକ ବ୍ୟତୀତ କଣ୍ଟିଲୋର ନୀଳମାଧବ ମନ୍ଦିର, ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର, ପୁରୀ ନିକଟସ୍ଥ ସାକ୍ଷୀଗୋପାଳ ଜୀଉଙ୍କ ମନ୍ଦିର ଏବଂ ଭୁବନେଶ୍ୱରସ୍ଥ ଇସ୍କନ ଶ୍ରୀକୃଷ୍ଣ ମନ୍ଦିରରେ ଝୁଲଣ ଯାତ୍ରା ମହାସମାରୋହରେ ସାତ ଦିନ ବ୍ୟାପୀ ଭକ୍ତମାନଙ୍କ ଦ୍ୱାରା ପାଳିତ ହୋଇଥାଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ସାତ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଏ । ମୁକ୍ତି ମଣ୍ଡପରେ ହୋଇଥିବା ସୁସଜ୍ଜିତ ଝୁଲଣ କୁଞ୍ଜରେ ମଦନ ମୋହନ, ଲକ୍ଷ୍ମୀ, ସରସ୍ୱତୀ ଦୋଳି ଉପରେ ବିଜେ କରନ୍ତି । ଏହା ଦ୍ୱାଦଶ ଯାତ୍ରା ଅନ୍ତର୍ଗତ ନ ହେଲେ ସୁଦ୍ଧା ଏ ଯାତ୍ରାର ଲୋକପ୍ରିୟତା ଖୁବ୍ ବେଶି । ଶ୍ରୀମନ୍ଦିରର କୁଞ୍ଜବନରେ ଅନୁଷ୍ଠିତ ଝୁଲଣ ଯାତ୍ରାରେ କିନ୍ତୁ ସ୍ୱକୀୟା ପ୍ରେମକୁ ପ୍ରାଧାନ୍ୟ ଦେଇ ପତି ପତ୍ନୀଙ୍କ ପ୍ରେମ ପ୍ରଣୟ ଏହି ପର୍ବରେ ପ୍ରତିଫଳିତ ହୋଇଥାଏ । ପୁରୀ ମନ୍ଦିରରେ ଝୁଲଣ ପରମ୍ପରା ଅଷ୍ଟାଦଶ ଶତକର ଶେଷ ଭାଗରୁ ଅଦ୍ୟାବଧି ଚଳି ଆସୁଥିବାର ବିଭିନ୍ନ ଲିଖିତ ବିବରଣୀରୁ ମିଳିଥାଏ । ପୁରୀର ଶୋଲ ଶିଳ୍ପୀ ମାନଙ୍କର କରାମତି ସବୁଠୁ ଅଧିକ ଫୁଟି ଉଠେ ଝୁଲଣ କୁଞ୍ଜରେ । ଶ୍ରୀମନ୍ଦିର କୁଞ୍ଜବନର ଅନ୍ୟତମ ବିଶେଷତ୍ୱ ହେଲା ଯେ, ଏହାର ଦୁଇ ପାଶ୍ୱର୍ରେ ପ୍ରକାଣ୍ଡକାୟ ଦୁଇ ଜଣ ଦ୍ୱାରପାଳ ରହନ୍ତି । ଏ ଦୁଇଟି ଦ୍ୱାରପାଳଙ୍କ ଉଚ୍ଚତା ପ୍ରାୟ ଚଉଦ ଫୁଟ । ମୂର୍ତ୍ତି ଦ୍ୱୟର ଗୋଟେ ଲେଖାଏଁ ହାତ ଉତ୍ତୋଳିତ ହୋଇଥାଏ ଏବଂ ସେଥିରେ ସେମାନେ ଧରିଥାଆନ୍ତି ଗୋଟିଏ ଗୋଟିଏ ଗଦା । ଏହି ପ୍ରକାଣ୍ଡକାୟ ମୂର୍ତ୍ତିଗୁଡ଼ିକ ଶୋଲରେ ହିଁ ତିଆରି ହୋଇଥାଏ । ସାତଦିନ ଯାଏଁ ଝୁଲଣ କୁଞ୍ଜରେ ଦେବତାମାନେ ଝୁଲନ୍ତି । ଅବଶ୍ୟ ରତ୍ନସିଂହାସନରେ ବିରାଜୁଥିବା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଏହି ଝୁଲଣରେ ଶୋଭା ନପାଇଲେ ମଧ୍ୟ ଅଷ୍ଟଧାତୁରେ ନିର୍ମିତ ହୋଇଥିବା ତାଙ୍କର ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଲକ୍ଷ୍ମୀ ସାଆନ୍ତାଣୀ ତଥା ମା'ସରସ୍ୱତୀଙ୍କ ପିତୁଳା ଦ୍ୱୟ ଝୁଲଣରେ ଝୁଲିଥାନ୍ତି । ପ୍ରତି ଝୁଲଣରେ ସୁନ୍ଦର ଭାବେ ବିଗ୍ରହ ଗୁଡ଼ିକୁ ବିଶେଷ ବେଶରେ ସଜାଇ ଦିଆଯାଏ । ଯଥାରୀତି ଭୋଗ ଅର୍ପଣ କରିବା ପରେ ସେବାୟତ ବସିରହି ଧୀରେ ଧୀରେ ଦଉଡି ଟାଣି ଦୋଳିକୁ ଝୁଲାନ୍ତି । ଏହି ଝୁଲଣ ଯାତ୍ରା ଯେ, କେବଳ ଶ୍ରୀମନ୍ଦିରରେ ନୁହେଁ ବରଂ ଶ୍ରୀମନ୍ଦିରକୁ ବେଢ଼ି ରହିଥିବା କୋଡିଏରୁ ଅଧିକ ମଠରେ । ମହାନନ୍ଦରେ ପାଳିତ ହେବା ଦେଖାଯାଏ । ଏମାର ମଠର ଆକର୍ଷଣୀୟ କୁଞ୍ଜବନରେ ବାଇଶି ଫୁଟର କୁଞ୍ଜ ନିର୍ମାଣ କରାଯାଇ ଶୋଲରେ ସଜ୍ଜିତ କରାଯାଇଥାଏ । ପ୍ରତିମଠରେ ଏକା ଦେବତା ଝୁଲନ୍ତି ନାହିଁ । ଏମାର ମଠରେ ଝୁଲନ୍ତି ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତା । ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଝୁଲନ୍ତି ଶ୍ରୀରାଧାକୃଷ୍ଣ । ସେହିପରି ଅନ୍ୟାନ୍ୟ ମଠ ଯଥା ଓଡ଼ିଆ ମଠ, ଗୌଡ଼ିୟ ମଠ, ଶ୍ରୀଚୈତନ୍ୟ ମଠ ପ୍ରଭୃତିରେ ପୁଷ୍ପ ଓ ଶୋଲରେ ନିର୍ମିତ ଆକର୍ଷଣୀୟ କୁଞ୍ଜ ଶ୍ରୀରାଧାକୃଷ୍ଣ ଦୋଳି ଖେଳନ୍ତି । ଓଡ଼ିଆ ଆଧ୍ୟାତ୍ମିକ ଜୀବନ ଚେତନାରେ ଝୁଲଣ ଯାତ୍ରାର ସ୍ଥାନ ସ୍ୱତନ୍ତ୍ର ଓ ଅନନ୍ୟ । 
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ : ୯୪୩୭୨୫୭୧୨୩