ଅଣ୍ଡର ପାସ ବ୍ରିଜ ଓ ଜଳ ନିଷ୍କାସନ ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ବନ୍ତୋଲ ବଗ୍ରାମ ପଂଚାୟତ ନିକଟସ୍ଥ ଅଣ୍ଡର ପାସ ବ୍ରିଜ ଓ ଜଳ ନିଷ୍କାସନ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ଏଆରଏମଙ୍କ ଜରିଆରେ ପ୍ରଦାନ କରାଯିବା ସହ ଦାବି ପୂରଣ ନହେଲେ ଆଗାମୀ ଜାନୁଆରୀ ୬ ତାରିଖରେ ୨୪ ଘଣ୍ଟିଆ ମାଲବାହୀ ଟ୍ରେନ ଅବରୋଧ କରିବାକୁ ନିଷ୍ପତି ନିଆଯାଇଛି । ତାଳଚେର ରେଳ ଷ୍ଟେସନ ନିକଟସ୍ଥ ବନ୍ତୋଲ ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଫାଟକ ଦୀର୍ଘ ସମୟ ଧରି ବନ୍ଦ ରହୁଥିବା ଯୋଗୁଁ ବନ୍ତୋଲ, ଜଗନ୍ନାଥପୁର, ସନ୍ଥପଡା, ଗୁରୁଜାଙ୍ଗୁଲି ଆଦି ପଂଚାୟତବାସୀ ତଥା ତାଳଚେରର ଜନସାଧାରଣ ଅନେକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ତୋଲ ରେଳ ଫାଟକ ଠାରେ ବର୍ତ୍ତମାନ ୫ ଟି ରେଳ ଲାଇନ ଦ୍ୱାରା ପ୍ରତ୍ୟେକ ଦିନ ପ୍ରାୟତଃ ୨ଶହରୁ ଉର୍ଦ୍ଧ୍ୱ ରେଳ ଗାଡି ଯାତାୟତ କରୁଛି । ପ୍ରକାଶଥାଉକି, ଏହି ରେଳ ଫାଟକ ରାସ୍ତା ଦେଇ ଛାତ୍ରଛାତ୍ରୀ, ଡାକ୍ତରଖାନା ଯିବା ନିମନ୍ତେ ରୋଗୀ ନଯାଇ ପାରିବା, ଚାଷକାର୍ଯ୍ୟ ତଥା ବିଭିନ୍ନ ଜରୁରୀ ପରିସ୍ଥିତି ସମୟରେ ବହୁ ଅସୁବିଧାର ସମୁଖୀନ ହେଲେ ମଧ୍ୟ କୌଣସି ବିକଳ୍ପ ରାସ୍ତା ନଥିବା ଯୋଗୁଁ ଜନସାଧାରଣ ଅସହାୟ ହୋଇ ପଡିଛନ୍ତି । ଏଣୁ ଏଠାରେ ରେଳ ବିଭାଗର ବର୍ତମାନର ୫ଟି ରେଳ ଲାଇନ ଓ ନିର୍ମାଣଧୀନ ଆଉ ୨ଟି ରେଳ ଲାଇନ ତଥା ସର୍ବମୋଟ ୭ ଗୋଟି ରେଳ ଲାଇନ ଦେଇ ଲୋକଙ୍କ ଯାଆସ କରିବା ଆଗାମୀ ଭବିଷ୍ୟତରେ କଷ୍ଟସାଧ୍ୟ ହୋଇପଡିବ ।
ତେବେ ରାଷ୍ଟ୍ର ଉଦେ୍ଦଶ୍ୟରେ ରେଳ ବିଭାଗର ଯେ କୌଣସି ନିର୍ମାଣ କାର୍ଯ୍ୟ ହେଉ ମନା ନାହିଁ, କିନ୍ତୁ ବନ୍ତୋଲ ଓ କୁକୁଡୁଲା ଦୁଇ ଗ୍ରାମକୁ ବର୍ଷାଦିନେ ସଂପୂର୍ଣ୍ଣ ଜଳବନ୍ଦୀ କରାନଯାଉ ବୋଲି ପଂଚାୟତବାସୀ ପ୍ରକାଶ କରିଛନ୍ତି । ବର୍ଷାଦିନେ ଅଂଚଳବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ପୂର୍ବରୁ ଥିବା ଦୁଇଟି ଜଳ ନିଷ୍କାସନ ବ୍ୟବସ୍ଥାକୁ ରେଳ ବିଭାଗ ଦ୍ୱାରା ବିଗତ କିଛି ବର୍ଷ ହେବ ବନ୍ଦ କରି ଦିଆଯାଇଛି । ବନ୍ତୋଲ ରେଳ ଫାଟକ ଠାରେ ଏକ ଅଣ୍ଡରପାସ ବ୍ରିଜ ଓ ଉପର ବର୍ଣ୍ଣିତ ଅଂଚଳରୁ ଜଳ ନିଷ୍କାସନ ନିମନ୍ତେ ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଏଣୁ ନୂଆ ଅଣ୍ଡରପାସ ବ୍ରିଜ ଓ ରାସ୍ତା ନିର୍ମାଣ କରାଯିବା ପରେ ସଂପୂର୍ଣ୍ଣ ଅଂଚଳକୁ ତାଳଚେର ରେଳ ଷ୍ଟେସନ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ ଲଗାଯାଉ ବୋଲି ଦାବି ହୋଇଛି । ଦୀର୍ଘ ପନ୍ଦର ବର୍ଷ ହେବ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ରେଳ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ସ୍ଥାନୀୟ ଜନସାଧାରଣଙ୍କ ଅସନ୍ତୋଷ ତଥା ସମସ୍ୟାକୁ ଆଖି ଆଗରେ ରଖି ଆସନ୍ତା ୫ ଜାନୁୟାରୀ ସୁଦ୍ଧା ଯଦି କାର୍ଯ୍ୟାରମ୍ଭ ନହୁଏ, ତାହେଲେ ୬ ଜାନୁୟାରୀ ଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରେଳ ଫାଟକ ଦେଇ ଯାଉଥିବା ମାଲବାହୀ ଟ୍ରେନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ଗ୍ରାମବାସୀଙ୍କ ସମେତ ପଂଚାୟତବାସୀ ପ୍ରକାଶ କରିଛନ୍ତି ।