ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଆଳରେ ଗଛ କଟା
ଯଖପୁରା: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଓ ଦାନଗଦୀ ବ୍ଲକ୍ରେ ଚାଲିଛି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ । ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଆଳରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । କେଉଁଠି ଗୃହ ନିର୍ମାଣ ପାଇଁ ବିଦ୍ୟାଳୟ ପରିସରରେ ଥିବା ବଡ଼ବଡ ଗଛ କଟା ଯାଉଛି ତ କେଉଁଠି ଜମିର କିସମ ନ ବଦଳାଇ ଗୃହ ନିର୍ମାଣ ହେଉଛି । ଏହାକୁ ନେଇ ଅନେକ ଅଭିଯୋଗ ହେଉଥିବାର ଦେଖିବାକୁ ମିଳୁଛି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ପଙ୍କପାଳ ପଂଚାୟତର ନୀଳମଣି ଦେଈପୁର ଶାସନ ବୀଣାପାଣି ବିଦ୍ୟାପୀଠରେ । ବିଭିନ୍ନ ସମସ୍ୟା ପାଇଁ ଅନେକ ସମୟର ବିଦ୍ୟାଳୟଟି ଚର୍ଚ୍ଚାରେ ରହିଥିବାର ଦେଖିବାକୁ ମିଳୁଛି । ଉକ୍ତ ବିଦ୍ୟାଳୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଉଛି । ଗୃହ ନିର୍ମାଣ ଆଳରେ ଅନେକ ଅନିୟମିତତା ଲାଗି ରହିଛି । ବିଦ୍ୟାଳୟରେ ଥିବା ପରିତ୍ୟକ୍ତ ଶ୍ରେଣୀ ଗୃହକୁ ବିନା ଅନୁମତିରେ ଭଙ୍ଗାଯାଇଥିଲା । ଯାହାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏବେ ବିଦ୍ୟାଳୟରେ ଥିବା ଗଛକୁ ଜଙ୍ଗଲ ବିଭାଗ ବିନା ଅନୁମତିରେ କଟାଯାଇଛି । ଏହାର ଖବର ପାଇ ସୁକିନ୍ଦା ରେଞ୍ଜର ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଗଛ କଟା ହେବାର କାରଣ ପଚାରି ବୁଝିବା ସହିତ କାହା ଠାରୁ ଅନୁମତି ଆଣି ଗଛ କାଟିଲ ବୋଲି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜବାବ ତଲବ କରିଛନ୍ତି । ଜବାବରେ ବୀଣାପାଣି ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷ ଜନକ ଉତର ରଖିପାରି ନାହାଁନ୍ତି । ବରଂ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ଦୋଷ ଦେଇଥିଲେ । କିନ୍ତୁ ପରେ ପରିଚାଳନା କମିଟି ସଦସ୍ୟ କହିଛନ୍ତି ଗଛ କଟା ବାବଦରେ ଆମ ସହିତ କେହି ଯୋଗାଯୋଗ କରିନାହାଁନ୍ତି । ଏହାକୁ ନେଇ ରେଞ୍ଜର ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଗଛ କଟା ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନୋଟିସ କରାଯିବ ବୋଲି କହିଛନ୍ତି ।