ଅବାଧ ନିର୍ବାଚନକୁ ଗୁରୁତ୍ୱ : ମତଦାନ କେନ୍ଦ୍ରରେ ରହିବେନି ୧୨ଶହରୁ ଅଧିକ ଭୋଟର

 ଜଗତସିଂହପୁର: ଭାରତର ୨୬ତମ ମୁଖ୍ୟ ନିର୍ବାଚନ କମିଶନର (ସିଇଓ) ଭାବରେ ଜ୍ଞାନେଶ କୁମାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମୁକ୍ତ ଓ ଅବାଧ ମତଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ନିର୍ବାଚନ କମିଶନର ଡ.ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଯୋଶୀ ସହଯୋଗ କରିଛନ୍ତି । ନିର୍ବାଚନ କମିଶନ ସମସ୍ତ ଭୋଟରଙ୍କ ଅଂଶ ଗ୍ରହଣକୁ ପ୍ରୋସାହନ କରୁଛନ୍ତି । ମତଦାନ କେନ୍ଦ୍ରରେ ଭୋଟରଙ୍କ ଏକ ସୁଖଦ ଅଭିଜ୍ଞତା ସୁନିଶ୍ଚିତ କରିବା ବ୍ୟବସ୍ଥା କରିଛନ୍ତି । ଏଥିରେ ରାଜନୈତିକ ଦଳ ଓ ପ୍ରମୁଖ ଅଂଶୀଦାର ତୃଣମୂଳସ୍ତରରେ ସାମିଲ ହେଉଛନ୍ତି ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ସକାଶେ ପ୍ରାୟ ୧ କୋଟି ନିର୍ବାଚନ ଅଧିକାରୀଙ୍କ କ୍ଷମତା ବୃଦ୍ଧି ପାଇଁ ଡିଜିଟାଲ ତାଲିମ ବ୍ୟବସ୍ଥା କରାଯାଇଛି । ନିର୍ବାଚନ କର୍ତ୍ତୃପକ୍ଷଙ୍କ ସହ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ପ୍ରାୟ ୫ ହଜାର ସର୍ବଦଳୀୟ ବୈଠକ ମାଧ୍ୟମରେ ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ । ବୈଠକରେ ଏ ପର୍ଯ୍ୟନ୍ତ କେବଳ ୮୯ଟି ପ୍ରଥମ ଅପିଲ୍ ଏବଂ କେବଳ ୧ଟି ଦ୍ୱିତୀୟ ଅପିଲ ଦାଖଲ ହୋଇଛି । ୟୁଆଇଡିଏଆଇ ଏବଂ ଭାରତୀୟ ନିର୍ବାଚନ କମିଶନର ବିଶେଷଜ୍ଞଙ୍କ ମଧ୍ୟରେ ବୈଷୟିକ ପରାମର୍ଶ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କମିଶନ ଦେଶବ୍ୟାପୀ ଭୋଟର ତାଲିକାରେ ଡୁପ୍ଲିକେଟ୍ ହଟାଇବେ । ୩ ମାସ ମଧ୍ୟରେ ଏକ ଦଶନ୍ଧି ଧରି ଚାଲିଥୁବା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ଜନ୍ମ ଓ ମୃତୁ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମନ୍ୱୟରେ ଭୋଟର ତାଲିକା ନିୟମିତ ହେବ  । ସମସ୍ତ ଯୋଗ୍ୟ ନାଗରିକଙ୍କ ୧୦୦% ପଞ୍ଜୀକରଣ ସୁନିଶ୍ଚିତ କରିବା, ସହଜ ମତଦାନ ଏବଂ ଏକ ସୁଖଦ ମତଦାନ ଅଭିଜ୍ଞତା ସୁନିଶ୍ଚିତ କରିବା ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ଉଦେ୍ଦଶ୍ୟ । କୌଣସି ମତଦାନ କେନ୍ଦ୍ରରେ ୧୨୦୦ରୁ ଅଧିକ ମତଦାତା ରହିବେ ନାହିଁ  । ମତଦାତାଙ୍କ ଠାରୁ ୨ କିଲୋମିଟର ଦୂର ମଧ୍ୟରେ ମତଦାନ କେନ୍ଦ୍ର ରହିବା ପାଇଁ ପଦକ୍ଷେପ ନିଆଯିବ । ଏପରିକି ଦୂରତମ ଗ୍ରାମୀଣ ମତଦାନ କେନ୍ଦ୍ରରେ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ ବୋଲି କାର୍ଯ୍ୟାଳୟ ସୂଚନା ଦେଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରାଙ୍କ ଦୁଇ ଦିନିଆ ସମ୍ମିଳନୀ ମାର୍ଚ୍ଚ ୪ରେ ନୂଆଦିଲ୍ଲୀରେ ହୋଇଥିଲା । ଯେଉଁଥିରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ତୃଣମୂଳସ୍ତରରେ ରାଜନୈତିକ ଦଳ ଦ୍ୱାରା ଉଠାଯାଇଥିବା ସମସ୍ୟାର ସମାଧାନ କରିବାରେ ସାହାର୍ଯ୍ୟ କରାଯିବ । ଏହି ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ସମଗ୍ର ଭାରତରେ ସମାପ୍ତ ହେବ ।