ଅବ୍ୟବସ୍ଥା ମଧ୍ୟରେ କପିଳାସ ପୀଠ 

 ଢେଙ୍କାନାଳ : ଓଡିଶାର ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ଢେଙ୍କାନାଳର କପିଳାସ ପୀଠରେ ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି । ଏହାର ସମାଧନା ପାଇଁ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଙ୍ଗଲ ପାହାଡ ଘେରା ସବୁଜିମା ପରିବେଶରେ କପିଳାସ ଠାରେ ପ୍ରତିଷ୍ଠିତ ଦ୍ୱାଦଶ ଶତାବ୍ଦୀର ଶ୍ରୀ ଶ୍ରୀଚନ୍ଦ୍ରଶେଖରଜୀଉ ମହାଦେବଙ୍କ ପୀଠ ଢେଙ୍କାନାଳ ଜିଲ୍ଲା ସମେତ ସମଗ୍ର ରାଜ୍ୟର ଏକ ପ୍ରମୁଖ ଶୈବପୀଠ । କପିଳାସ ପୀଠର ଅଚଳାଚଳ ସମ୍ପତି ଥିବାବେଳେ ଦେବୋତ୍ତର ବିଭାଗ, ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିମାନଙ୍କର ଦୁର୍ବଳ ମାନସିକତା ଯୋଗୁଁ ଢେଙ୍କାନାଳ ବାସୀଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କପିଳାସ ପୀଠ ଅବହେଳିତ ଅବସ୍ଥାରେ ରହିଛି । ପୀଠ ପରିସରରେ କୁଢ କୁଢ ଅଳିଆ  ଆବର୍ଜନା ଗଦା ହୋଇ ରହୁଛି । ପୀଠ ମଧ୍ୟ ଦେଇ ବୋହିଯାଇଥିବା ପ୍ରାକୃତିକ ଝରଣା ମଧ୍ୟ ପ୍ରଦୂଷିତ । ମନ୍ଦିର ପରିସରକୁ ଝାଡୁ କରାଯାଉନଥିବା ବେଳେ ଅଳିଆ ଆବର୍ଜନା ଯୋଗୁଁ ଦୁର୍ଗନ୍ଧରେ ନାକ ଫାଟୁଛି । ସେହିପରି ଠାକୁରଙ୍କ ନୀତିକାନ୍ତି ମଧ୍ୟ ଠିକ୍ ଭାବରେ ହେଉନାହିଁ । ପାହାଚ ରାସ୍ତା ଅପରିସ୍କାର ହୋଇପଡିଛି । ସିସି ଟିଭି କ୍ୟାମେରା ମଧ୍ୟ କାମ କରୁନାହିଁ । ପୀଠ ସଂପର୍କରେ ମାସକୁ ମାସ କୌଣସି ସମୀକ୍ଷା ହେଉନାହିଁ । ମନ୍ଦିର ନିକଟରେ ଭକ୍ତଙ୍କ ଠାରୁ ଜୁଲୁମ୍ କରି ପାର୍କିଂ ଫି ଆଦାୟ କରାଯାଉଛି । କପିଳାସ ପୀଠରେ ଏହିପରି ବହୁ ସମସ୍ୟା ଲାଗିରହିଥିବା ବେଳେ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯାଇ ମନ୍ଦିର ପରିସରକୁ ଏକ ସୁନ୍ଦର ପରିବେଶରେ ପରିଣତ କରିବା ସହିତ ପ୍ରାଚୀନ ଐତିହ୍ୟ କୀର୍ତିରାଜିର ସୁରକ୍ଷା କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବି ଜଣାଇଛନ୍ତି ସାମ୍ବାଦିକ ସଂଘ । ଯଦି ସମସ୍ୟାର ସମାଧାନ ନହେଲା ତେବେ କପିଳାସ ପୀଠ ସୁରକ୍ଷା ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଛନ୍ତି । ଏହି ଧାରଣାରେ ଜିଲ୍ଲା ଓକିଲ ସଂଘ, ଜିଲ୍ଲା ବଣିକ ସଂଘ ଓ ଢେଙ୍କାନାଳର ସମସ୍ତ ନାଗରିକଙ୍କୁ ସାମିଲ୍ କରିବା ପାଇଁ ନିବେଦନ କରାଯିବ । ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ, ସଂପାଦକ ସତ୍ୟ ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।