ଶ୍ରୀକ୍ଷେତ୍ର ଓ ଅରୁଣ ସ୍ତମ୍ଭ
ଅରୁଣ ବିଷ୍ଣୁଙ୍କ ବାହନ ନୁହନ୍ତି, ସୂର୍ଯ୍ୟଙ୍କ ସାରଥୀ । କିନ୍ତୁ ଅରୁଣ ଉଭାଥିବା ଏକ ସୁଦୃଶ୍ୟ ସ୍ତମ୍ଭ ବିଦ୍ୟମାନ ଶ୍ରୀମନ୍ଦିରର ପ୍ରଥମ କୀର୍ତ୍ତିି । ଏହା ଏଥିପାଇଁ କୁହାଯାଉଛି ଯେ ମନ୍ଦିର ଦର୍ଶନରେ ଆସିଥିବା ଦର୍ଶନାର୍ଥୀଟିଏ ପ୍ରଥମେ ଏଇ ଅରୁଣ ସ୍ତମ୍ଭଙ୍କୁ ଦେଖିବ ମୁଖ୍ୟଦ୍ୱାର ସିଂହଦ୍ୱାର ଠାରେ । ବିଷ୍ଣୁଙ୍କ ମନ୍ଦିର ଆଗରେ ସୂର୍ଯ୍ୟଙ୍କ ସାରଥୀ ସ୍ତମ୍ଭ କିଞ୍ଚôତ ବିସ୍ମିତ କରିପାରେ, ଶ୍ରୀମନ୍ଦିର କିନ୍ତୁ ଏମିତି ଆଚମ୍ବିତ କଥା, କାହାଣୀ ଓ ଘଟଣାକୁ ନେଇ ମହାନ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ କରିବା ସମୟରେ ପ୍ରଥମେ ଗୋଟିଏ ଚଉତରା ପ୍ଲଟ ୧୬୧ ଓ ତାହିଁ ଉପରେ ଅବସ୍ଥିତ ଅରୁଣ ସ୍ତମ୍ଭ ପ୍ଲଟ ୧୬୦ ଦେଖିବାକୁ ମିଳେ ।
ଜନ ପ୍ରବାଦ ଅଛି ଯେ, ଏହି ଅରୁଣସ୍ତମ୍ଭ ପ୍ରଥମେ କୋଣାର୍କରେ ଥିଲା । କୋଣାର୍କ ମନ୍ଦିର ଭାଙ୍ଗିଯିବାରୁ ପରେ ଏହାକୁ ପୁରୀ ଅଣାଯାଇ ବର୍ତ୍ତମାନ ସ୍ଥାନରେ ସ୍ଥାପନ କରାଯାଇଥିଲା । ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ଏହି କାର୍ଯ୍ୟ ସମାପନ ହୋଇଥିଲା । ତେବେ ଐତିହାସିକ ତଥ୍ୟ ଅନୁଯାୟୀ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମରହଟ୍ଟା ମାନଙ୍କ ରାଜତ୍ୱ କାଳରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟିକୁ ନିଖୁଣ ଅବସ୍ଥାରେ କୋଣାର୍କରୁ ଆଣି ଶ୍ରୀମନ୍ଦିରର ପୂର୍ବଦ୍ୱାର ସିଂହଦ୍ୱାର ଠାରେ ପ୍ରତିଷ୍ଠା କରାଇଥିଲେ । ଏହି ସ୍ତମ୍ଭର ଉଚ୍ଚତା ୩୩ଫୁଟ ୮ ଇଞ୍ଚ । ପୀଠର ପତ୍ତନ ଠାରୁ ଅରୁଣଙ୍କ ଶିଖା ପର୍ଯ୍ୟନ୍ତ ଏହି ଉଚ୍ଚତା ରହିଥିବାବେଳେ ପୀଠର ଉପରଠାରୁ ଅରୁଣଙ୍କ ପାଦ ପର୍ଯ୍ୟନ୍ତ ୨୫ ଫୁଟ ୨ଇଞ୍ଚ । ଗୋଟିଏ କଳା ମୁଗୁନି ପଥରରେ ଖମ୍ବଟି ନିର୍ମିତ । ଖମ୍ବଟିର ଷୋଳଟି କୋଣ ଯଥା ମୁହଁ ପଗ, ପାଗ ରହିଛି । ପାଗଗୁଡ଼ିକର ଓସାର ସମାନ । ୭ଫୁଟ ୯ଇଞ୍ଚ ଲମ୍ବ । ସେହି ଓସାର ଓ ୬ଫୁଟ ଉଚ୍ଚର ଏକ ପୀଠ ଉପରେ ସ୍ତମ୍ଭଟି ରହିଅଛି । ସ୍ତମ୍ଭର ବ୍ୟାସ ଦୁଇଫୁଟ ଓ ଗୋଲେଇ ୬ଫୁଟ ସାଢ଼େ ୩ ଇଞ୍ଚ । କୋଣ ଗୁଡ଼ିକର ଓସାର ସମାନ । ସ୍ତମ୍ଭ ପୀଠର ଗାତ୍ରରେ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଅନେକ କମନୀୟ ମୂର୍ତ୍ତି ଶୋଭା ପାଉଛି । ଶ୍ରୀମନ୍ଦିରର ସତ୍ତ୍ୱଲିପି ଅନୁଯାୟୀ ଚୁନରା ବା ଶ୍ରୀମନ୍ଦିରର ଗରୁଡ଼ ସେବକ ଏହି ଅରୁଣ ସ୍ତମ୍ଭ ସେବା କରିବା ସହିତ ଏହି ସ୍ତମ୍ଭର ଦାୟିତ୍ୱରେ ଅଛନ୍ତି । ରଥଯାତ୍ରା ସମୟରେ ପୂଜା ପଣ୍ଡା ସେବକମାନେ ଏହି ସ୍ତମ୍ଭ ଠାରେ ଉପସ୍ଥିତ ରହି ଭକ୍ତ ମାନଙ୍କ ପ୍ରଦତ୍ତ ଭୋଗ ଦ୍ରବ୍ୟକୁ ରଥାରୁଢ଼ ଠାକୁରଙ୍କ ଉଦେ୍ଦଶ୍ୟରେ ନୈବେଦ୍ୟ ସମର୍ପଣ କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନବଗ୍ରହର ପ୍ରତୀକ ବା ସୂର୍ଯ୍ୟ ନାରାୟଣ ରୂପେ ପରିକଳ୍ପନା କରାଯାଇଥିବାରୁ ଅରୁଣ ଶ୍ରୀମନ୍ଦିର ଆଡ଼େ ଯୋଡ଼ହସ୍ତରେ ପରଂବ୍ରହ୍ମଙ୍କୁ ଏକନିଷ୍ଠ ଭାବରେ ପ୍ରାର୍ଥନା କରୁଅଛନ୍ତି । ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ କଳାମୁଗୁନି ପଥର ସ୍ତମ୍ଭରେ ଅରୁଣ ବିରାଜିତ । ଶ୍ରୀମନ୍ଦିରର ମୁଖ୍ୟଦ୍ୱାର ଅର୍ଥାତ୍ ସିଂହଦ୍ୱାର ପ୍ରବେଶ ମାର୍ଗରେ ସୁଉଚ୍ଚ ପ୍ରସ୍ତର ନିର୍ମିତ ସ୍ତମ୍ଭ । ଅନେକ ହୁଏତ ଜାଣି ନାହାଁନ୍ତି ସିଂହଦ୍ୱାରର ଏହି ଅଞ୍ଚଳକୁ ଅରୁଣ ସ୍ତମ୍ଭ ଚକଡ଼ା ବୋଲି କୁହାଯାଏ ।
ଯଶସ୍ୱିନୀ ପଟ୍ଟନାୟକ