ଆଦର୍ଶ ବିଦ୍ୟାଳୟ ହଷ୍ଟେଲରୁ ପୁଣି ଚୋରି
ସୁକିନ୍ଦା : ମାଧପୁର ମୌଜାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରୁ ବାରମ୍ବାର ଚୋରି ହେଉଛି । ବିଦ୍ୟାଳୟ ପରିସରରେ ଏକ ନବନିର୍ମିତ ହଷ୍ଟେଲ ଗୃହରୁ ଗତ ସପ୍ତାହରେ ଲଗାତାର ଦୁଇଥର ଚୋରି ହୋଇଛି । ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ବିଦୁ୍ୟତ୍ ସରଞ୍ଜାମ ତଥା ଫ୍ୟାନ, ଲାଇଟ, ବ୍ୟାଟେରୀ, ତାର ଓ ବିଭିନ୍ନ ବିଦୁ୍ୟତ୍ ଉପକରଣ ଚୋରିକରି ନେଇଛନ୍ତି । ଖବର ପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । ହେଲେ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲିରହିଛି । ଯାହା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଚିନ୍ତାରେ ପକାଇ ଦେଇଛି । ହେଲେ ବିଦ୍ୟାଳୟ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି । ବିଦ୍ୟାଳୟ ପରିସରରେ ଥିବା ଏହି ନବନିର୍ମିତ ଗୃହ ଉଦଘାଟନ ହୋଇନଥିବାରୁ ଏହା ବିଦ୍ୟାଳୟକୁ ହସ୍ତାନ୍ତର ହୋଇନଥିବା ଜଣାପଡିଛି । କିନ୍ତୁ ବିଦ୍ୟାଳୟ ପରିସରରେ ଏହା ଅବସ୍ଥିତ ଥିବା କାରଣରୁ ଏହା ଉପରେ ବିଦ୍ୟାଳୟର ସମ୍ପୂର୍ଣ ନଜର ରହିବା ଆବଶ୍ୟକ ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି ।