ଆସିକାରେ ୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ 

ଆସିକା : ରାଜ୍ୟ ସରକାର ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ଗୁଣାତ୍ମକ ଶୈକ୍ଷିକର ବୃଦ୍ଧି ନିମନ୍ତେ  ବ୍ଲକ ସ୍ତରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବରେ କିଛି ବିଦ୍ୟାଳୟକୁ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ଆଠ ଗୋଟି ବିଦ୍ୟାଳୟକୁ ସ୍ଥାନ ଦିଆଯାଇଛି । ଆସିକା ଶିକ୍ଷା ଜିଲ୍ଲାର ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଟନଇ ବାଳିକା ପ୍ରାଥମିକ ବିଦ୍ୟାଳୟ,ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କମାଗଡ଼ ଉଚ୍ଚ ପ୍ରାଥମିକ ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯୁଧିଷ୍ଠିର ଦୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣ୍ଡିଆ ପଥର, ବାଦଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ବିଭୁ ନନ୍ଦନ ପଣ୍ଡା, ଭଞ୍ଜ ବେହେରା, ସି ଆର ସି ସି ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସଂପ୍ରତି ଏହି ବିଦ୍ୟାଳୟରେ ପାଚେରୀ ନିର୍ମାଣ, ଅଡିଟ ରୀୟମ ନିର୍ମାଣ, ଚାରିଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ନିର୍ମାଣ, ମୁଖ୍ୟ ଫାଟକ ନିର୍ମାଣ, ଛାତ୍ର ଛାତ୍ରୀ ଓ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ନିର୍ମାଣ, ରୋଷେଇ ଘର ସହ ସାମୁହିକ ଡାଇନିଂ ହଲ ନିର୍ମାଣ, ପେଭର ଯୁକ୍ତ ଏପ୍ରୋଚ ରାସ୍ତା, ପ୍ରଧାନ ଶିକ୍ଷକଙ୍କ ସ୍ୱତନ୍ତ୍ର ରୁମ ସହ କମନ ରୁମ, ବୋର ୱେଲ ସହ ଓଭର ହେଡ ଟେଙ୍କ ନିର୍ମାଣ କରାଯିବ । ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ପୁରୁଣା ଶ୍ରେଣୀ ଗୃହକୁ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ବିଦ୍ୟାଳୟର ପରିବେଶକୁ ସରସ ସୁନ୍ଦର କରାଯିବା ସହ ସମଗ୍ର ପରିସରକୁ ସି ସି ଟିଭି ଫୁଟେଜ ମଧ୍ୟରେ ରଖାଯିବ । ସଂପ୍ରତି ପ୍ରାଥମିକ ଶିକ୍ଷା ରେ ସଂସ୍କାର ଆଣିବା ସହ ସୈଖିକ ବାତାବରଣ ସୃଷ୍ଟି କରି ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ନେଇଥିବା ଏହି ପଦକ୍ଷେପକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି ।