ଇଣ୍ଡିଆନ ଆଇଡଲର ଶ୍ରେଷ୍ଠ ୫୦ ମଧ୍ୟରେ ଶ୍ରୁତି
ସୁକିନ୍ଦା : ଇଣ୍ଡିଆନ ଆଇଡଲର ଶ୍ରେଷ୍ଠ ୫୦ଜଣ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ସୁକିନ୍ଦାର ଶ୍ରୁତି ଶୌଜନ୍ୟା ପୁହାଣ ସ୍ଥାନ ହାସଲ କରିଛନ୍ତି । ସୁକିନ୍ଦା ବ୍ଲକ ଆମ୍ପଳବା ପଞ୍ଚାୟତ ଜାମୂପଶି ଗ୍ରାମ ସନ୍ତୋଷ କୁମାର ପୁହାଣ ଓ ସସ୍ମିତାଙ୍କ ଝିଅ ଶ୍ରୁତି ଶୌଜନ୍ୟା ଭଦ୍ରକ ଡିଏଭି ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ । ବାପା ସନ୍ତୋଷ ଜଣେ ବ୍ୟବସାୟୀ ଓ ମା ସସ୍ମିତା ଜଣେ ଶିକ୍ଷୟତ୍ରୀ । ଶ୍ରୁତି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ସିଦ୍ଧାର୍ଥ ଟିଭିର ସିଜିନ ୧ରେ "ମୁଁ ବି ନମିତା ଅଗ୍ରୱାଲ ହେବି’ର ସେମିଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ପହଁଚିଥିଲେ । ପରେ ଭଜନ ପଦ୍ୟାନ୍ତରିରେ ୧୦ଟି ଏପିସୋଡରେ ଭଜନ ଗାଇ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର କାଇଁଚମାଳିର ଟାଇଟେଲ ସଂଗୀତ ଗାଇ ସାରା ରାଜ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ଇଣ୍ଡିଆନ ଆଇଡଲର ଓଡ଼ିଶାରେ ତୃତୀୟ ରାଉଣ୍ଡ ଅତିକ୍ରମ କରି ଶ୍ରେଷ୍ଠ ୫୦ପ୍ରତିଦ୍ୱନ୍ଦୀଙ୍କ ଭିତରେ ସ୍ଥାନ ଅର୍ଜନ କରି ଆସନ୍ତା ମାସରେ ମୁମ୍ବାଇରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାତ୍ର ୧୫ବର୍ଷ ବୟସରେ ଏହି ଉଚ୍ଚ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଶ୍ରୁତି ସର୍ବ କନିଷ୍ଠ ପ୍ରତିଦ୍ୱନ୍ଦୀ ହୋଇଥିବା ଜଣାପଡିଛି ।