ଉଚ୍ଛେଦ ଅଭିଯାନ ବନ୍ଦ ରଖିବା ଓ ଦୋକାନୀଙ୍କୁ ଥଇଥାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

 ଭଦ୍ରକ: ଭଦ୍ରକ ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦକୁ ବେଆଇନ ଦର୍ଶାଇ ଆଜି ଭଦ୍ରକରେ ବଣିକ ସଂଘ ଓ କେତେକ ଉଚ୍ଛେଦ ଦୋକାନୀ ମିଳିତ ଭାବେ ସହରାଞ୍ଚଳରେ ଶୋଭାଯାତ୍ରାରେ ଆସି ସରକାର ବିରୋଧୀ ନାରା ଦେଇ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଭଦ୍ରକ ଟାଉନରେ ଏବେଠାରୁ ଆଉ ଜବରଦଖଲ ଉଚ୍ଛେଦକୁ ବନ୍ଦ କରାଯିବା ଏବଂ ଉଚ୍ଛେଦ ହୋଇଥିବା ଦୋକାନୀ ମାନଙ୍କୁ ତୁରନ୍ତ ଦୋକାନ ମାର୍କେଟ କରାଯାଇ ଥଇଥାନ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦୋକାନ ଉଚ୍ଛେଦକୁ ବେଆଇନ ଦର୍ଶାଇ ଉଚ୍ଛେଦର ୫ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦୋକାନ ଦିଆଯିବାର ପ୍ରତିଶୃତିକୁ ପାଳନ କରୁ ନଥିବା କୁହା ଯାଇଛି । ବିଶେଷ କରି ଯେଉଁମାନେ ଦୀର୍ଘ ବର୍ଷର ପୁରୁଣା ଦୋକାନୀମାନେ ଥିଲେ ସେମାନଙ୍କୁ ଥଇଥାନ କରାଯିବାର ପ୍ରତିଶୃତି ପାଳନ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ଓ ସରକାରଙ୍କୁ ଦୋକାନୀ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ପ୍ରତି ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଦୋକାନୀମାନଙ୍କୁ ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନଯାଏ ତାହେଲେ ଦୁର୍ବାର ଆନେ୍ଦାଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦୋକାନୀମାନଙ୍କର ରାଲି ଟାଉନ ହଲ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ବଣିକ ସଂଘ ସଭାପତି ଗୌରଚନ୍ଦ୍ର ପଣ୍ଡା, ବିଜେଡି ନେତା ପ୍ରଫୁଲ୍ଲ ସାମଲ, ଆଇନଜୀବୀ ଦିବ୍ୟସିଂ ନାୟକ ଓ ଦୋକାନୀ ସଂଘ ନେତା ଟିକି ବଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସମସ୍ତ ବିଷୟ ଉପରେ ଦାବି ଜଣାଇଥିଲେ  ।