ଓଏଏସ ପରୀକ୍ଷାରେ କେଜିଆଇର ୭୦ ଜଣ କୃତକାର୍ଯ୍ୟ
ବ୍ୟାସନଗର,୨୬ା୯ : ଚଳିତ ବର୍ଷ ପ୍ରଶାସନିକ ପରୀକ୍ଷାରେ ନିମନ୍ତେ କଳିଙ୍ଗ ଏକାଡେମୀ ଅଫ୍ ସିଭିଲ୍ ସର୍ଭିସ୍ର ୭୦ଜଣ ମେଧାବୀ ଓଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । "କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ’ ଅଧୀନରେ ପ୍ରଶାସନିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିବା ପାଇଁ ଉଦ୍ଧିଷ୍ଟ କ୍ୟାକ୍ସ ଆଇଏସ୍ ଏଥର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସାଉଁଟିଛି ଅଦ୍ଭୁତପୂର୍ବ ସଫଳତା । ଗତବର୍ଷ ୭୯୮ପୋଷ୍ଟ ପାଇଁ କଳିଙ୍ଗର ୯୨ଜଣ ମେଧାବୀ ଓଡ଼ିଶା ସିଭିଲ୍ ସର୍ଭିସ୍-୨୦୨୨ପରୀକ୍ଷାରେ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ୩୯୯ପୋଷ୍ଟ ପାଇଁ କଳିଙ୍ଗର ୭୦ଜଣ ସଫଳତା ହାସଲ କରିଛନ୍ତିା ତନ୍ମଧ୍ୟରୁ ଦୁଇଜଣ ମେଧାବୀ ଛାତ୍ର ରାଙ୍କ୍ ୩ ଏବଂ ୮ରେ କୃତକାର୍ଯ୍ୟ ହୋଇ ଏକ ନୂତନ ମାଇଲଖୁଂଟ ସ୍ଥାପନ କରିଛନ୍ତି । ସେହିପରି ଯାଜପୁର ଜିଲାର ସାଇକୃଷ୍ଣ ସାମଲ, ରଜତ କୁମାର ବିଶ୍ୱାଳ, ଆଶୁତୋଷ ବେହେରା, ମହେଶ କୁମାର ପଣ୍ଡା, ଶ୍ରୀକାନ୍ତ ମଲ୍ଲିକ, ସସ୍ମିତା ସେଠୀ ଯଥାକ୍ରମେ ୭୭, ୧୭୬, ୨୫୫, ୩୦୦, ୩୨୪ ଓ ୩୨୫ ରାଙ୍କରେ ରହି ଯାଜପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଯାଜପୁର ଜିଲ୍ଳାର ବିଞ୍ଝାରପୁର ଅଙ୍ଗାଲୋର ସାଇକୃଷ୍ଣ, ଯାଜପୁର ସଦରର ଛତିଶ ଦେବିଲ୍ର ରଜତ କୁମାର ବିଶ୍ୱାଳ, ଅସନପୁରର ଆଶୁତୋଷ ବେହେରା, କୋରେଇ ବ୍ଲକ୍ ବରୁଣ୍ଡେଇର ମହେଶ କୁମାର ପଣ୍ଡା, ବ୍ୟାସନଗରର କୋପଣ୍ଡର ଶ୍ରୀକାନ୍ତ ମଲ୍ଲିକ, କୁଆଖିଆ ମୁଗୁପାଳର ସସ୍ମିତା ସେଠୀ ସମଗ୍ର ଯାଜପୁର ପାଇଁ ଗୌରବ ଆଣି ଦେଇଛନ୍ତି । କଳିଙ୍ଗର ଯାଜପୁର ରୋଡ ଏବଂ ଭୁବନେଶ୍ୱର ସ୍ଥିତ ୨ଗୋଟି ସେଂଟର୍ ମାଧ୍ୟମରେ ସିଭିଲ୍ ସର୍ଭିସ୍ ପରୀକ୍ଷା ନିମନ୍ତେ ବର୍ତମାନ ତାଲିମ୍ ପ୍ରଦାନ କରାଯାଉଛି । ଏହି ସଫଳତା ନିମନ୍ତେ ଅନୁଷ୍ଠାନର ଅଧ୍ୟକ୍ଷ ଇଂଆଲେକଜାଣ୍ଡାର ଦାସ ସମସ୍ତ ମେଧାବୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବର୍ତମାନ କଳିଙ୍ଗ ଦ୍ୱାରା ସପ୍ତମ ଶ୍ରେଣୀରୁ ପ୍ରଶାସନିକ ପରୀକ୍ଷା ନିମନ୍ତେ ତାଲିମ୍ ପ୍ରଦାନ କରାଯାଉଥିବାରୁ ଆଗାମୀ ଦିନରେ ବହୁ ଛାତ୍ରଛାତ୍ରୀ ସଫଳ ପ୍ରଶାସନିକ ଅଧିକାରୀ ହୋଇପାରିବେ ବୋଲି ଇଂ ଦାସ ବିଶ୍ୱାସ ପ୍ରକାଶ କରିଛନ୍ତି । ଏହି ସଫଳତା ପରେ କେଜିଆଇ ସହ ଅନୁବନ୍ଧିତ ସମସ୍ତ ଶିକ୍ଷାନୁଷ୍ଠାନରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଚେୟାରମ୍ୟାନ ଆଲେକ୍ସଜାଣ୍ଡାରକୁ ଶୁଭେଚ୍ଛା ଦେଇଛନ୍ତି । ଆଗାମୀ ଦିନରେ କେଜିଆଇରୁ ଆହୁରି ଛାତ୍ରଛାତ୍ରୀ ସଫଳ ହେବେ ବୋଲି ଅନୁଷ୍ଠାନର ମୁଖ୍ୟ ପରାମର୍ଶ ଦାତା ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଏଏସ୍ ପାଇଲେ ମୋନାଲିସା ଓ ସାଇକୃଷ୍ଣ
ଯାଜପୁର ଟାଉନ : ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କ ଦ୍ୱାରା ପରିଚାଳିତ ଓପିଏସସି ପରୀକ୍ଷାରେ ୨୦୨୩ ବ୍ୟାଚ୍ର ୯୧ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଯାଜପୁର ଭୀମକରପୁର ଅଞ୍ଚଳର ମୋନାଲିସା ରାଉତ । ମୋନାଲିସା ୟୁପିଏସ୍ସି ପରୀକ୍ଷା ୨ଥର ଦେଇ ପାଇନଥିବା ବେଳେ ତୃତୀୟ ଥରରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବରୀ ବ୍ଲକ୍ ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ଇଂ ସାଇକୃଷ୍ଣ ସାମଲ ୨୦୨୩ ବ୍ୟାଚ୍ରେ ୭୭ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ବର୍ତମାନ ବାଙ୍ଗାଲୋର୍ରେ ସିନିୟର ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ସେ ନୋଟାରୀ ପବ୍ଲିକ୍ ଅମ୍ବିକା ପ୍ରସାଦ ଓ ବାଣିଶ୍ରୀଙ୍କ ଏକମାତ୍ର ପୁତ୍ର ଅଟନ୍ତି । ତେବେ ଇଂ ସାଇକୃଷ୍ଣ ଓ ମୋନାଲିସା ୟୁ.ପି.ଏସ୍.ସିରେ କୃତକାର୍ଯ୍ୟ ହୋଇଥିବାରୁ ପରିବାରରେ ଖୁସି ଖେଳି ଯାଇଥିବା ବେଳେ ସମସ୍ତେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଏଏସ ପାଇଲେ ନଜିବ ହତିବ
ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ମାଟିର ପୁଅ ମହମ୍ମଦ ନଜିବ ହତିବ ଓଡିଶା ପ୍ରଶାସନିକ ସେବା ପାଇଛନ୍ତି । ସେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ସର୍ଭିସ ୨୦୨୩ରେ ଦେଇଥିବା ପରୀକ୍ଷାରେ ୮ନଂ ରାଙ୍କିଙ୍ଗ ସହ ଉତୀର୍ଣ୍ଣ ହୋଇ ସମଗ୍ର ବ୍ରହ୍ମବରଦା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରସାରିତ ହେବା ଫଳରେ ନିଜ ପରିବାର ତଥା ସମଗ୍ର ବ୍ରହ୍ମବରଦା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଆରମ୍ଭରୁ ସେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ସେଠାରୁ ସେ ସିବିଏସଇ ମ୍ୟାଟ୍ରିକରେ ଉତୀର୍ଣ୍ଣ ହେବା ପରେ ଭୁବନେଶ୍ୱରର ୟୁନିଟ୍ ୫ରେ ଡିଏଭିରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଶିକ୍ଷା ଗ୍ରହଣ କରିଥିଲେ । ୨୦୨୨ରେ ହୋଇଥିବା ଓଡିଶା ରେଭିନ୍ୟୁ ସର୍ଭିସ୍ ପରିକ୍ଷାରେ ୨୨୫ ନଂ ରାଙ୍କିଙ୍ଗରେ ଉତୀର୍ଣ୍ଣ ହୋଇ ତାଲିମ ନେଉଥିଲେ । ତାଙ୍କ ସଫଳତାର ସବୁ ଶ୍ରେୟ ସେ ନିଜ ମା ରହିଲା ସୁଆବ ଓ ବାପା ସେକ୍ ନୁରୁଲ ହକଙ୍କୁ ଦେଇଥିବା ବେଳେ ନିଜ ପରିବାର, ବନ୍ଧୁ ବାନ୍ଧବ ଓ ସମଗ୍ର ବ୍ରହ୍ମବରଦା ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।