କଟକ ବାଲିଯାତ୍ରାରେ ଗୀତିନାଟ୍ୟ "ସମର ତରଙ୍ଗ' ମଞ୍ଚସ୍ଥ

 ଢେଙ୍କାନାଳ: ଢେଙ୍କାନାଳ ପ୍ରତିକୃତ ନାଟ୍ୟସଂସ୍ଥା ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ଢେଙ୍କାନାଳ ଗୌରବ ବହନ କରୁଥିବା  ଗୀତିନାଟ୍ୟ "ସମର ତରଙ୍ଗ' ମଞ୍ଚସ୍ଥ ହୋଇଛି । ପ୍ରକାଶ ଯେ, ଏକଦା ଓଡିଶା ଅକ୍ତିଆର କରୁଥିବା ମରହଟ୍ଟାମାନଙ୍କର ଲୋଲୁପ ଦୃଷ୍ଟି ଢେଙ୍କାନାଳ ଉପରେ ପଡିଥିଲା । ଏକ କରଜ ରାଜ୍ୟ ଭାବରେ ଢେଙ୍କାନାଳ ରାଜ୍ୟ ମରହଟ୍ଟାମାନଙ୍କୁ "ପେସ୍କସ୍' ବା କର ଦେବା ପାଇଁ ପ୍ରଜାମାନଙ୍କୁ ନିଦେ୍ର୍ଦଶ ଦେଉଥିଲେ । ମାତ୍ର ଢେଙ୍କାନାଳ ତତ୍କାଳୀନ ରାଜା ତ୍ରିଲୋଚନ ସିଂ ମହୀନ୍ଦ୍ରବାଦୂର କର ଦେବା ପାଇଁ ମନା କରିଦେବାରୁ ମରହଟ୍ଟାମାନେ ଢେଙ୍କାନାଳ ରାଜ୍ୟକୁ ନିଜ ଅକ୍ତିଆରକୁ ନେବା ପାଇଁ ବାରମ୍ବାର ଆକ୍ରମଣ କରି ଯୁଦ୍ଧ କରିଥିଲେ । କିନ୍ତୁ ରାଜାଙ୍କ ସାହସିକତା ଏବଂ ସୈନ୍ୟମାନଙ୍କର ଦୃଢ ଜବାବ ଫଳରେ ମରହାଟ୍ଟା ସେନା ପରାସ୍ତ ହୋଇଥିଲେ । ଫଳରେ ଖାଲି ଢେଙ୍କାନାଳ ନୁହେଁ ବରଂ ଓଡିଶା ଛାଡିବାକୁ ବାଧ୍ୟ ହୋଇଥିଲେ । ତାହାକୁ କବି ବ୍ରଜନାଥ ପଡଜେନା ନିଜ ରଚିତ ସମର କାବ୍ୟରେ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ଏହି କାବ୍ୟକୁ ନାଟ୍ୟକାର ଅବନୀ କୁମାର ମିଶ୍ର ଗୀତିନାଟ୍ୟରେ ରୂପାନ୍ତରିତ କରିଥିବାବେଳେ ନିଦେ୍ର୍ଦଶକ ଶତୃଘନ ମାଟି, ନିଦେ୍ର୍ଦଶନା ଏବଂ ବରିଷ୍ଠ ନାଟ୍ୟକାର ଓ ନିଦେ୍ର୍ଦଶକ ଦିଲ୍ଲେଶ୍ୱର ମହାରଣାଙ୍କ ଦିଗ୍ଦର୍ଶନରେ କଳାପରିଷଦ ଢେଙ୍କାନାଳର କଳାକାରମାନେ ସଫଳତାର ସହିତ ନିଖୁଣ ଅଭିନୟ କରିଥିଲେ । ଶିବାୟ ଡ୍ୟାନ୍ସ ଏଣ୍ଡ ମୁ୍ୟଜିକ୍ ଅନୁଷ୍ଠାନର ନୃତ୍ୟାଙ୍ଗନାମାନେ ଗୁରୁ ଶିବ ରଞ୍ଜନଙ୍କ ନିଦେ୍ର୍ଦଶନାରେ ନୃତ୍ୟ ଅଭିନୟ ପ୍ରଦର୍ଶନ କରିଥିବାବେଳେ ପ୍ରଭାତ ମହାନ୍ତି ସଙ୍ଗୀତରେ ସଜେଇଥିଲେ । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମଞ୍ଚରେ କଳାପରିଷଦ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।