କାଠ ମାଫିଆ ସକ୍ରିୟ, କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା : କେନ୍ଦୁଝର ସଦର ରେଞ୍ଜରେ ସଂଖ୍ୟାଲଘୁ କାଠ ମାଫିଆ ସକ୍ରୀୟ ଥିବାବେଳେ ବନ ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ବହୁ ଜଙ୍ଗଲରେ ମେସିନରେ ଶହ ଶହ ଗଛ କାଟି ନେଉଛନ୍ତି । ବନ ବିଭାଗର ଅପାରଗତା ଏବଂ ନିଷ୍କ୍ରିୟତା କାଠ ମାଫିଆ ସକ୍ରୀୟ ଅଛନ୍ତି । ଶନିବାର କେନ୍ଦୁଝର ମୁଖ୍ୟାଳୟଠାରୁ ମାତ୍ର ୭ କିଲୋମିଟର ଦୂର ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ କେତେକ ସଂଖ୍ୟାଲଘୁ କାଠ ମାଫିଆ କଟକ ମେସିନ ସାହାଯ୍ୟରେ ଗଛ କାଟିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ତାଙ୍କ ନିକଟରେ ଅନୁମତି ଥିବା କହିବାରୁ ଗ୍ରାମବାସୀଙ୍କ ସନେ୍ଦହ ହେବାରୁ ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଁଚିବାରୁ କାଠ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ । ବେଲଦା ବିଟ୍ ଦାୟିତ୍ୱରେ ଥିବା ବନରକ୍ଷୀ ସରୋଜ କୁମାର ପାତ୍ର ଘଟଣାସ୍ଥଳରୁ ଗୋଟିଏ କଟର ମେସିନ ଏବଂ ବହୁ ପରିମାଣର କଟାଯାଇଥିବା କାଠ ଗଣ୍ଡି ଜବତ୍ କରିଥିଲେ । ଗତ କିଛି ଦିନ ହେବ ଉକ୍ତ ଅଂଚଳରେ କାଠ ମାଫିଆ ସକ୍ରୀୟ ଅଛନ୍ତି । ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲ ନିକଟରେ ମଇଦାନକେଲ ସଂରକ୍ଷିତ ଜଙ୍ଗଲ ଏବଂ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ରହିଛି । ଉକ୍ତ ଅଂଚଳରେ ଘଂଚ ଜଙ୍ଗଲ ରହିଥିବାବେଳେ ହାତୀ, ଭାଲୁ, କୁଟୁରା, ଠେକୁଆ, ବାରହା, ଝିଙ୍କ, ବଣ ବିଲେଇ ବହୁ ସଂଖ୍ୟାରେ ରହିଛନ୍ତି । ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀଙ୍କ ଅବାସସ୍ଥଳୀ ନଷ୍ଟ ହେଉଛି । ଫଳରେ ସେମାନେ ଗାଁ ମୁହାଁ ହୋଇ ଶୀକାର ହେଉଛନ୍ତି । ବନ ବିଭାଗର ଅବହେଳାରୁ ଜଙ୍ଗଲ କ୍ଷୟ ହେବା ସହ ବନ୍ୟପ୍ରାଣୀ ସଙ୍କଟରେ ରହିଛନ୍ତି । କେନ୍ଦୁଝର ବନଖଣ୍ଡରେ କାଠ ମାଫିଆମାନେ ଘୁରି ବୁଲୁଛନ୍ତି ଏକଂ କାଠ ଚୋରା କାରବାର କରିବା ସହ ବନ୍ୟପ୍ରାଣୀ ଶୀକାର କରୁଛନ୍ତି । ଗୋଟିଏ ପଟେ ବନ ବିଭାଗ ବ୍ୟାପକ ଜଙ୍ଗଲ ସୃଷ୍ଟି କରୁଥିବା ଦେଖାଇ ଉଚ୍ଚ ଅଧିକାରୀ ଏବଂ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଙ୍କ ନିକଟରେ ବାହା ବାହା ନେଉଥିବାବେଳେ ଅନ୍ୟପଟରେ ବ୍ୟାପକ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ମୃତୁ୍ୟବରଣ କରିବା ଚିନ୍ତାର କାରଣ ହୋଇଛି । ଆହୁରି ଆଚମ୍ବିତ କଥା ହେଲା କେନ୍ଦୁଝର ସଦର ରେଞ୍ଜ ଟାଉନ ବିଟ୍ ର ବନରକ୍ଷୀ ସରୋଜ କୁମାର ପାତ୍ରଙ୍କୁ ଅତିରିକ୍ତ ଭାବେ ବେଲଦା ବିଟ୍, ମଇଦାନକେଲ ବିଟ୍ ଏବଂ ପଦ୍ମପୁର ମେଗା ନର୍ସରୀ ଦାୟିତ୍ୱରେ ରହିଛନ୍ତି । ଫଳରେ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ଠିକ୍ ଭାବରେ ହୋଇପାରୁନାହିଁ । କାହିଁକି ଏବଂ କାହା ସ୍ୱାର୍ଥରେ ଜଣେ ବନରକ୍ଷୀଙ୍କୁ ଏତେ ଦାୟିତ୍ୱ ଦିଆଯାଇଛି ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।