କୃଷି ପର୍ବ ବାଲିଯାତ୍ରା ଉଦ୍ୟାପିତ
କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ଉକିଆପାଲି ପଞ୍ଚାୟତର ଗଜାଗାଁ ଐତିହାସିକ କୃଷିଭିଭିକ ପର୍ବ ବାଲିଯାତ୍ରା ଉଦ୍ୟାପିତ ହୋଇଯାଇଛି । ଦୀର୍ଘ ୧୫ବର୍ଷ ପରେ ୩ମାସ ଧରି ଚାଲିଥିବା ଏହି ଏତିହାସିକ ବାଲିଯାତ୍ରାର ପ୍ରଥମ ଦିନ ଅପରାହ୍ନରେ ଶତାଧକ ଶ୍ରଦ୍ଧାଳୁ ବାଲି ଛାମୁଡାଠାରୁ ମୁଣ୍ଡରେ ବାଲି ଚାଙ୍ଗୁଡି, ଶିରା ପୂଜାରୀ, ଲାଠି, କୁର୍ଚି, ବାଜା ବାଜଣା ସହ ବାହାରି ବାଲିଭଟ୍ଟାଠାରେ ପହଞ୍ଚିଥିଲେ । ସେଠାରେ ଶ୍ରୀ ଧାଙ୍ଗଡା ଭିମା ଦେବ ଓ କନ୍ଦନୀ ଦେବୀଙ୍କ ନିକଟେ ଗ୍ରାମର ମଙ୍ଗଳ କାମନା ସହ କୃଷିର ଉନ୍ନତି ସମେତ ଭଲ ବର୍ଷା ନିମନ୍ତେ ନଡିଆ ଧୂପ ଦୀପ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଗ୍ରାମର ସମସ୍ତ ସ୍ଥାନୀୟ ଏକ ପୋଖରୀ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ଭୀମା ଓ କନ୍ଦନୀ ଦେବତା ପ୍ରତିମୂର୍ତ୍ତି ଖୋଜି ବାହାର କରିଥିଲେ । ବିଶ୍ୱାସ ରହିଛି ଏହି ବାଲିଯାତ୍ରା ପାଳନ ଦ୍ୱାରା ଗ୍ରାମର ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇ ଗ୍ରାମବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସହ ଫସଲକୁ ରୋଗ ଦାଉରୁ ରକ୍ଷା କରିଥାନ୍ତି । ଦ୍ୱିତୀୟ ଦିନରେ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ବାଲିକଟା ପର୍ବପାଳନ କରାଯିବ ବୋଲି ବାଲିଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ୧୫ବର୍ଷ ପରେ ଏହି ଯାତ୍ରା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ଉତ୍ସ ବମୁଖର ହୋଇଥିଲା । ବାଲିଯାତ୍ରା କମିଟି ଏହାକୁ ତଦାରଖ କରିଥିଲେ । ଏଥିସହ ମନୋରଞ୍ଜନ ପାଇଁ ରାତ୍ରିରେ ଦେଶିଆ ନାଟକ ପରିବେଷଣ କରାଯାଇଥିଲା ।