ସାମ୍ବାଦିକଙ୍କୁ ମାଡ଼, କାର୍ଯ୍ୟାନୁଷ୍ଠାନ ଦାବି

 ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଅକଥନୀୟ ଅତ୍ୟାଚାର । ଗାଁ ମଝିରେ ଦୁଇ ଘଣ୍ଟା ଧରି ସାମ୍ବାଦିକଙ୍କୁ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଏହି ଗ୍ରାମରେ ୧୦ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ କାମ ଚାଲିଥିଲା । ଯାହାର କୌଣସି ସୂଚନା ଫଳକ ନ ଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିଲା । ଏବଂ ଏହାର ଖବର ସଂଗ୍ରହ କରିବାକୁ ସଂପୃକ୍ତ ସାମ୍ବାଦିକ ସେହି ଗାଁକୁ ଯାଇଥିଲେ । ତେବେ ସେଥି ସେ ଭିଡ଼ିଓ ଉତ୍ତୋଳନ କରୁଥିବାବେଳେ କିଛି ଗୁଣ୍ଡା ଆସି ତାଙ୍କୁ ବିନା ବୁଝାସୁଝାରେ ମାଡ଼ ମାରିବା ଆରମ୍ଭ କରିଥିଲେ । ସେହିପରି ତାଙ୍କ ହାତ ବାନ୍ଧି ଦେଇ ଗାଁ ମଧ୍ୟରେ ବୁଲାଇବା ସହ ଗାଁ ଦାଣ୍ଡରେ ତାଙ୍କୁ ବାନ୍ଧି ରଖିଥିଲେ । ଏବଂ ଲାତବିଧା ଚପଳ ଇତ୍ୟାଦିରେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ସେପଟେ ଦୁଇ ଘଣ୍ଟାର ନିର୍ଯାତନା ପରେ ତାଙ୍କୁ ଏକ ମନ୍ଦିରକୁ ନେଇ ଏହି ଘଟଣା କିମ୍ବା କାମର କୌଣସି ସମ୍ବାଦ ପରିବେଷଣ ନ କରିବାକୁ ଶପଥ କରାଇଥିଲେ । ସେହିପରି ସାମ୍ବାଦିକଙ୍କ କ୍ୟାମେରା, ଦୁଇଟି ମୋବାଇଲ ଭାଙ୍ଗି ଦେଇ ନଷ୍ଟ କରିବା ସହ ତାଙ୍କ ଟଙ୍କା ପଇସା ମଧ୍ୟ ଲୁଟି ନେଇଥିଲେ ବୋଲି ସଂପୃକ୍ତ ସାମ୍ବାଦିକ ପୁଇନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 
   ସେପଟେ ଏହି ଘଟଣା ପ୍ରଘଟ ହେବା ସହ ସେ ସମୟର ନିର୍ଯାତନା ଫଟୋ ସାମ୍ନାକୁ ଆସିବା ପରେ ସବୁ ମହଲରୁ ଏହି ନାରକିୟ କାଣ୍ଡକୁ ତୀବ୍ର ନିନ୍ଦା କରାଯାଇଛି । ଏଥିସହିତ ବଲାଙ୍ଗୀର ଜିଲ୍ଲା  ତଥା ସାମ୍ବାଦିକ ସଂଗଠନ ପକ୍ଷରୁ ବଲାଙ୍ଗୀର ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଯେଉଁଥିରେ ଜିଲ୍ଲା ସାମ୍ବାଦିକ ସଂଘ, ଏସ୍ୟୁଜେ ସାମ୍ବାଦିକ ସଂଘ ଓ ଓୟୁଜେ ସାମ୍ବାଦିକ ସଂଘର ସବୁ ସାମ୍ବାଦିକ ସାମିଲ ହୋଇଥିଲେ । ସେପଟେ ପୁଲିସ୍ ଏହି ଘଟଣା ଗୁରୁତର ସହ ନେଇ ଥିବାବେଳେ  ତଦନ୍ତ ଜାରି ରଖିଥିବାର ସୂଚନା ଦେଇଛି । ସେହିପରି ଦୁଇଟି ସ୍ୱତନ୍ତ୍ର ଟିମ ଏହାର ତଦନ୍ତ କରୁଥିବା ବେଳେ ଦୋଷୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ଧରିବାର ପ୍ରତିଶ୍ରୁତି ଦେବା ପରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି । ଘଟଣାକୁ ନେଇ ଏସୟୁଜେ ସାମ୍ବାଦିକ ସଙ୍ଗଠନ ଜିଲ୍ଲା ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ଶରତ ମହାକୁର କହିଛନ୍ତି ଯେ,  ଆଜି ଦେଶର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ଆଦୌ ସୁରକ୍ଷିତ ନାହାନ୍ତି । ଏହିଭଳି ଏହି ଘଟଣା ସମସ୍ତଙ୍କୁ ନିହାତି ବିଚଳିତ କରିବ । ଗୋଟିଏ ସାମ୍ବାଦିକକୁ ଗାଁ ମଝିରେ କାଙ୍ଗାରୁ କୋର୍ଟ କରି ହାତ ବାନ୍ଧି ଏଭଳି ଅମାନୁଷିକ ମାଡ ମାରିବା ଅପମାନ ଦେବା ଆମେ ଆଦୌ ସହ୍ୟ କରିବୁ ନାହିଁ । ଏବଂ ଆଜି ଆମେ ଏହାର ସମସ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ଧାରଣା ଦେଇଥିଲୁ  । ହେଲେ ପୁଲିସ୍ ଦୃଢ଼ ପ୍ରତିଶ୍ରୁତି ପରେ ଆମେ ଧାରଣାରୁ ଓହରିଛୁ । ତେବେ ଆଗକୁ ପୁଲିସ୍ ସଠିକ୍ ପଦକ୍ଷେପ ନ ନେଲେ ଆମେ ରାଜ୍ୟ ତମାମ ଆନେ୍ଦାଳନ କରିବୁ  ବୋଲି ସେ କହିଛନ୍ତି ।