ଖୁଡୀକୁ କାମୁଡି ପୁତୁରା ଗିରଫ


 ବ୍ରହ୍ମବରଦା: ସମ୍ପର୍କୀୟ ବିଧବା ଖୁଡୀକୁ କାମୁଡିବା ଅଭିଯୋଗରେ ପୁତୁରାକୁ ପୁଲିସ ଗିରଫ କରିଛି । ଗିରଫ ପୁତୁରା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ବାଲିଗୁଡ଼ା ଗ୍ରାମର ସ୍ୱର୍ଗତ ଧିର ମଲିକଙ୍କ ପୁଅ ବିଚିତ୍ର (୩୦) ବୋଲି ଜଣାପଡିଛି । ଅଭିଯୋଗ ମତେ ଅଭିଯୁକ୍ତ ବିଚିତ୍ର ନିଜ ବିଧବା ଖୁଡୀ (୫୨) କୁ ନାନାଦି ସମୟରେ ବହୁ ହଇରାଣ ହରକତ କରାଇବା ସହ ନିଜ ଘରେ ନପୁରାଇ ଦେବା ପାଇଁ ସବୁବେଳେ ଧମକ ଚମକ ଦେଉଥିଲା । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ ପାରିବାରିକ କଳହ ଓ ବଚସା ଲାଗିରହୁଥିଲା । ଗତ ୧୭ ତାରିଖ ବୁଧବାର ସନ୍ଧ୍ୟାରେ ବିଚିତ୍ର ଉତକ୍ଷୀପ୍ତ ହୋଇ ରାଗରେ ନିଜ ଖୁଡୀର ଓଠକୁ କାମୁଡି ଦେଇଥିଲା । ଏନେଇ ଖୁଡୀ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର କରି ପୁଲିସ କେସ୍ ନଂ ୭୬/୨୪ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଶୁକ୍ରବାର ସକାଳୁ ପୁଲିସ ବିଚିତ୍ରକୁ ଗିରଫ କରି ଜେଲ ପଠାଇଥିବା ବ୍ରହ୍ମବରଦା ଥାନା ଏଏସ୍ଆଇ ଲକ୍ଷ୍ମୀଧର ରାଜ ସୂଚନା ଦେଇଛନ୍ତି ।