ନୀରବ ବିଭାଗ-ଚୁପ୍‌ ସୁରକ୍ଷା କମିଟି ; ଏପଟେ ବନ ମହୋତ୍ସବ, ସେପଟେ ବେଧଡକ ଗଛକଟା

ଦାନଗଦୀ : ବୃକ୍ଷ ରୋପଣ କରି ତାହାର ଯତ୍ନ ନେବାକୁ ସରକାରୀ ଅନୁଷ୍ଠାନ ଠାରୁ ବେସରକାରୀ ଅନୁଷ୍ଠାନ ଗୁଡିକ ପରାମର୍ଶ ଦେବା ସହ ବନ ମହୋତ୍ସବ ପାଳନ କରିଥାନ୍ତି । ବୃକ୍ଷ ରୋପଣର ମହତ୍ୱ ଏବଂ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥାନ୍ତି । 
ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି, ଏକଥା ସମସ୍ତଙ୍କୁ ଜଣା । କିନ୍ତୁ ବୃକ୍ଷ ରୋପଣକରି ତା’ର ଯତ୍ନ ନେବା ବଦଳରେ କିଛି ଲୁଟେରା ବେଧଡ଼କ ଗଛକାଟି ଚାଲିଛନ୍ତି । ଯେତେ ବେଳେ ଗୋଟେ ପଟେ ବନ ମହୋତ୍ସବ ଚାଲିଛି ସେତେ ବେଳେ ବେଧଡ଼କ ଗଛ କଟା ଚାଲିଥିଲେ ହେଁ ବନବିଭାଗ ନୀରବ ରହିଥିବା ବେଳେ ଜଙ୍ଗଲ ସୁରକ୍ଷା କମିଟି ଚୁପ୍‌ ବସିଛି । ଖବର ମୁତାବକ ଯାଜପୁର ଜିଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଧୂଳିଗଡ ଜଙ୍ଗଲଟି ବହୁ ପୁରାତନ । ଜଙ୍ଗଲରୁ ଦୈନିକ ଶାଳ ସହ ବହୁ ମୂଲ୍ୟବାନ ଗଛ ଲୋକେ କାଟିନେଉଥିବାର ବାରମ୍ବାର ଦେଖିବାକୁ ମିଳୁଛି । ହେଲେ ପଂଚାୟତ ଜଙ୍ଗଲ ସୁରକ୍ଷା କମିଟି ସବୁ ଜାଣି ଅଜଣା ରହୁଛି । ଧିରେଧିରେ ଧୂଳିଗଡ଼ ଜଙ୍ଗଲ ଲୋପ ପାଇବା ରାସ୍ତାରେ ଯାଉଥିବା ବେଳେ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି । କିନ୍ତୁ ଆଶ୍ଚର୍ଯ୍ୟ କଥା ବନବିଭାଗର ନିଦ ଭାଙ୍ଗିବାର ନାହିଁ । ୩୦ଏକର ବିଶିଷ୍ଟ ଏହି ପୁରାତନ ଜଙ୍ଗଲଟି ଶିଳ୍ପାଂଚଳକୁ ଲାଗିରହିଛି । ଏହାକୁ ବଞ୍ଚାଇ ରଖିଲେ ପରିବେଶ ପ୍ରଦୂଷିତ ହୁଅନ୍ତାନାହିଁ । ଜଙ୍ଗଲଟିରେ ବହୁ ଔଷଧୀୟ ଗଛ ସହ ଶାଳ, ଚାକୁଣ୍ଡା, ପିଆଶାଲ, ଆକାଶୀଆ, ଅର୍ଜୁନ ଆଦି ବହୁ ମୂଲ୍ୟବାନ ଗଛ ଲୋପ୍‌ ପାଉଛି । କୋଟିକୋଟି ଟଙ୍କା ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆସୁଛି କିନ୍ତୁ ପୁରୁଣା ଜଙ୍ଗଲକୁ ସୁରକ୍ଷା ପାଇଁ କେହି ଗୁୁରୁତ୍ୱ ଦେଉ ନାହାନ୍ତି । ଏହି ଜଙ୍ଗଲ ପାଖରେ ବେଆଇନ ଭାବରେ ଜୁଆ ଖେଳ, କୁକୁଡ଼ା ଲଢେଇ ଓ ବିଭିନ୍ନ ଅସାମାଜିକ କାର୍ଯକଳାପ ବୃଦ୍ଧି ପାଉଛି । ରାତିରେ ଚୋର ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ଜଙ୍ଗଲ ପାଖକୁ ଲାଗିଥିବା ସାହିଟିରେ ଚୋରା ଦେଶୀ ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ହୋଇଛି । ଏହି ଜଙ୍ଗଲକୁ ଲାଗି ରହିଥିବା ସାହିର କିଛି ଲୋକ ଦେଶୀ ମହୁଲି ଜଙ୍ଗଲ ଭିତରେ ଲୁଚାଇ ନିର୍ଭୟରେ ବିକୁଛନ୍ତି । ପୁଲିସ ସବୁ ଜାଣି କାହା ଚାପରେ କି ଆଉ କେଉଁ କାରଣରୁ ଚୋରା ମଦ ବେପାରୀଙ୍କୁ ଗିରଫ କରୁନାହିଁ । ଏଜଙ୍ଗଲରେ ଚାଲୁଥିବା ବେଆଇନ କାରବାରକୁ ରୋକ ଲଗାଉନାହିଁ । ଜଙ୍ଗଲ ଆଉନାହିଁ ଧିରେଧିରେ ପଦା ହୋଇଗଲାଣି । ଜଙ୍ଗଲ ଭିତରକୁ ଘର ମାଡି ଗଲାଣି, ବନବିଭାଗ ଓ ପ୍ରଶାସନ ସମ୍ପୂର୍ଣ ଭାବରେ ନୀରବ ରହିବାର କାରଣ କ’ଣ ହୋଇପାରେ ଶିଳ୍ପ ଚାରିପାଖରେ ଥିବା ଗାଁ ଗୁଡିକ ପ୍ରଦୂଷଣରୁ ରକ୍ଷା ପାଇଁ କାରଖାନାଙ୍କୁ ବୃକ୍ଷ ରୋପଣ ପାଇଁ ବାରମ୍ବାର ପ୍ରଶାସନ କହୁଥିବା ବେଳେ ଗୋଦାରା କୋଡେ ଯେତେ ମାଡେ଼ ସେତେ ଭଳି ହେବାରେ ଲାଗିଛି । ବିଡ଼ମ୍ବନାର ବିଷୟ ଜଙ୍ଗଲ ସୁରକ୍ଷା ପାଇଁ ପଂଚାୟତରେ ହୋଇଥିବା ଜଙ୍ଗଲ ସୁରକ୍ଷା କମିଟି ସବୁ ଜାଣି ଅଜଣା ରହିଛି । ବନ ବିଭାଗ ଓ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୁରାତନ ଜଙ୍ଗଲଟିକୁ ବଞ୍ଚାଇ ରଖିବାକୁ ସାଧାରଣରେ ଦାବୀ ହେଉଛି ।