ଚୌଦ୍ୱାର ଜେଲରୁ ୨ ଆସାମୀ ଚମ୍ପଟ

ଚୌଦ୍ୱାର : ଚୌଦ୍ୱାର ସର୍କଲ ଜେଲରୁ ୨ ବିଚାରାଧୀନ ଆସାମୀ ଫେରାର ହୋଇଯାଇଛନ୍ତି । ସେଲ ଗ୍ରିଲ କାଟି କମ୍ବଳକୁ ଦଉଡି କରି ପାଚେରୀ ଡେଇଁ ଚାଲି ଯାଇଛନ୍ତି । ଏହି ଘଟଣାରେ ୨ ୱାର୍ଡର ନିଲମ୍ବିତ ହୋଇଥିବାବେଳେ ଆସାମୀଙ୍କ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି ।
ଟାଙ୍ଗୀ ଚୌଦ୍ୱାରରୁ ଫେରାର କଏଦୀ ହେଲେ ବିହାର ବେଗୁସାରାୟ ଜିଲ୍ଲାର ରାଜା ସାହାଣୀ ଓ ସରାୟ ଜିଲ୍ଲାର ମଧୁକାନ୍ତ କୁମାର । କିଛି ମାସ ତଳେ ପାଣିକୋଇଲି ଅଞ୍ଚଳରୁ ସୁନା ଚୋରି, ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ବିଚାରାଧୀନ କଏଦୀ ଭାବେ ଯାଜପୁର ସ୍ଥିତ ରଗଡ଼ି ଜେଲରେ ସଜା କାଟୁଥିଲେ । ସେଠାରେ ଜେଲରୁ ଖସିବାକୁ ଉଦ୍ୟମ କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ପ୍ରାୟ ରାତି ୪ଟା ସମୟରେ ବିଚାରାଧୀନ ଭାବେ ସଜା କାଟୁଥିବା ଏହି ଅପରାଧୀ ଦୁଇଜଣ ସ୍ପେଶାଲ ସେଲର ଗ୍ରିଲ କାଟି ଏକ ବାଉଁଶ ଓ କମ୍ବଳକୁ କାଟି ଦଉଡି କରି ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜେଲ ଡିଜି, କଟକ ଡିସିପି ଓ ଚୌଦ୍ୱାର ଥାନା ଅଧିକାରୀ ପହଁଚି ତଦନ୍ତ କରିଥିଲେ । ତଦନ୍ତ ପରେ ତୁରନ୍ତ ଜେଲ ଡିଜି ୨ ଜଣ ଜେଲ ୱାର୍ଡର ଭଗତ ରାମ ଓ ସିଦ୍ଧାନ୍ତ ସାହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ତାଙ୍କର କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି । ଏହି ଘଟଣାରେ ଆଉ ଯେଉଁମାନେ ଅଛନ୍ତି ତାଙ୍କୁ ମଧ୍ୟ ତଦନ୍ତ ଘେରକୁ ନିଆଯାଇ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ ୪ ଦିନ ଧରି ଜେଲ୍ରେ ଦଶହରା ପୂଜା ପାଇଁ ମାଇକ ବାଜୁଥିଲା । ଏହାର ସୁଯୋଗ ନେଇ ଏହି ଆସାମୀ ଲୁହା ଆରିରେ ଜେଲ୍ ଗ୍ରିଲକୁ କାଟି ଦେଇଥିଲେ । ଅତି ଆଶ୍ଚର୍ଯ୍ୟର କଥା ଜେଲର ଦୁଇଟି ପାଚେରୀ ଡେଇଁ କିପରି ପଳାଇଲେ, ଏହାକୁ ନେଇ ସନ୍ଦେହ କରାଯାଉଛି । ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତିଙ୍କର ଭୂମିକା ଅଛି ବୋଲି ଚର୍ଚ୍ଚା ହେଉଛି । ଏହା ସହିତ କଟକ ଡିସିପି ଦୁଇ ଆସାମୀଙ୍କ ଫଟୋ ଜାରି କରିଛନ୍ତି । ଯଦି କେହି ସଠିକ ସୂଚନା ଦେବ ତାହା ହେଲେ ୫୦ ହଜାର ଟଙ୍କା ମିଳିବ । ଚୌଦ୍ୱାର ପୁଲିସ ସିସିଟିଭି ଫୁଟେଜ୍କୁ ନେଇ ତଦନ୍ତ ଆରମ୍ଭ କରିଛି।