ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ
ସାରସକଣା/ବାରିପଦା: ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ସାଂସଦ ନବଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତ ମାଧ୍ୟମରେ ଜଳ ବଣ୍ଟନର ସୁପରିଚାଳନା କରାଯାଇ ଚାଷ କାର୍ଯ୍ୟରେ କିଭଳି ବିଶେଷ ଉନ୍ନତ ଆଣିବାକୁ ହେବ ତାହା ଉପସ୍ଥିତ ଚାଷୀ ଭାଇଭଉଣୀଙ୍କୁ ବୁଝାଇଥିଲେ । ଅନ୍ୟପକ୍ଷରେ ପାଣିର ଅପଚୟ ଓ ଅପବ୍ୟବହାର ନକରି ସହଭାଗୀ ଜଳ ସେଚନ ପରିଚାଳନାରେ ଚାଷକାର୍ଯ୍ୟକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରିବାକୁ ହେବ ତାହା ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସାରସକଣା ବିଧାୟକ ଭାଦବ ହାଁସଦା, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଏବଂ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଂ ରମାକାନ୍ତ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାପାଳ ବିଭାଗୀୟ କାର୍ଯ୍ୟକ୍ରମ ବିଭିନ୍ନ ଯୋଜନା, ସହାୟତା ଓ ରିହାତି ପ୍ରଭୃତି ଉପରେ କହି କୃଷି ଜଳର ସମାବଣ୍ଟନକୁ କିଭଳି ନିଶ୍ଚିତ କରି ଫସଲରେ ଉନ୍ନତ ଆଣିହେବ ତାହା ବୁଝାଇ ସଚେତନ କରାଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପାଣି ପଞ୍ଚାୟତ ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଶୀର୍ଷା ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅର୍ପିତା ସାହୁ ବକ୍ତୃତା ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରି ସ୍କୁଲ ସହିତ ଅଞ୍ଚଳର ନାଁକୁ ଗୌରାବାନ୍ୱିତ କରିଥିବାରୁ ଅଞ୍ଚଳବାସୀଙ୍କ ସହିତ ଜାତୀୟ ଯୁବ ପ୍ରକଳ୍ପ ମୟୁରଭଞ୍ଜ ୟୁନିଟ୍ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।